ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
ବଢିଲା ଖାନ୍ ସାରଙ୍କ ଅଢୁଆ । ଖାନ ସାରଙ୍କ ବିରୋଧରେ କଦମକୁଆନ ପୋଲିସ ଷ୍ଟେସନରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଦୁଇଦିନ ପୂର୍ବେ ପାଟନାରେ କୋଚିଂ ସେଣ୍ଟର ବାହାରେ ହୋଇଥିବା ପଥରମାଡ଼, ଗୁଳିକାଣ୍ଡ ଘଟଣା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ପୋଲିସ ଏହି ମାମଲାରେ ଖାନ ସାରଙ୍କର ଦୁଇଜଣ ବଡିଗାର୍ଡଙ୍କୁ ମଧ୍ୟ ଗିରଫ କରିଛି । ଆଉ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ପୋଲିସ ଖାନ ସାରଙ୍କୁ ଗିରଫ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।
ପାଟନାରେ ଥିବା ଖାନ୍ ସାରଙ୍କ କୋଚିଂ ସଂସ୍ଥାନ ‘ଜିଏସ୍ ଗ୍ଲୋବାଲ୍ ଷ୍ଟଡିଜ୍’ (GS Global Studies) ବାହାରେ କିଛି ଦିନ ପୂର୍ବରୁ ପ୍ରବଳ ହଙ୍ଗାମା ଏବଂ ପଥର ମାଡ଼ ହୋଇଥିଲା । ମଙ୍ଗଳବାର ରାତିରେ ପ୍ରାୟ ୧୫ ରୁ ୨୦ ଜଣ ଦୁର୍ବୃତ୍ତ ଖାନ୍ ସାରଙ୍କ କୋଚିଂ ସେଣ୍ଟର ପରିସରରେ ପଶି ଭଙ୍ଗାରୁଜା କରିବା ସହ ପଥର ମାଡ଼ କରିଥିଲେ । ଏହି ଘଟଣା ପରେ ଖାନ୍ ସାର୍ ପ୍ରଥମେ ଦାବି କରିଥିଲେ ଯେ, ତାଙ୍କ କୋଚିଂର ସୁରକ୍ଷାକର୍ମୀଙ୍କ ମାରପିଟ୍ କରାଯିବା ପରେ ଗୁଳିମାଡ଼ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ବୟାନରୁ ଓହରି ଯାଇଥିଲେ ।
ପୋଲିସ ଖାନ୍ ସାରଙ୍କ ଦୁଇ ବଡିଗାର୍ଡ ପ୍ରଦୀପ ଏବଂ ତାଲେଶ୍ୱରଙ୍କୁ ପ୍ରଥମେ ଅଟକ ରଖି ପଚରାଉଚରା କରିଥିଲା ଏବଂ ପରେ ସେମାନଙ୍କୁ ଗିରଫ କରିଥିଲା । ପୋଲିସର ଜେରା ସମୟରେ ଗିରଫ ଦୁଇ ବଡିଗାର୍ଡ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ସେମାନେ କହିଛନ୍ତି ଯେ, ଖାନ୍ ସାରଙ୍କ ନିର୍ଦ୍ଦେଶକ୍ରମେ ହିଁ ସେମାନେ ସେଠାରେ ଗୁଳି ଚଳାଇଥିଲେ । ପୋଲିସ ଏହି ବୟାନକୁ ଆଧାର କରି ଉଭୟଙ୍କୁ କୋର୍ଟରେ ହାଜର କରିବାକୁ ପ୍ରସ୍ତୁତି ଚଳାଇଛି । ବଡିଗାର୍ଡଙ୍କ ଏହି ସ୍ୱୀକାରୋକ୍ତି ପରେ ପୋଲିସ ତଦନ୍ତ ପରିସରକୁ ଖାନ୍ ସାର ଆସିଛନ୍ତି ।
ସେପଟେ ଜ୍ଞାନ ବିନ୍ଦୁ କୋଚିଂ ସେଣ୍ଟର ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା । ଏହି ସିସିଟିଭି ଫୁଟେଜରେ ଖାନ୍ ସାରଙ୍କ ବଡିଗାର୍ଡମାନେ ଗୁଳି ଚଳାଉଥିବାର ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଭିଡିଓ ସାମ୍ନାକୁ ଆସିବା ପରେ ପାଟନା ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା ।