ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବିଶ୍ଵପ୍ରସିଦ୍ଧ ରଥଯାତ୍ରା ବେଳେ ବ୍ୟବହୃତ ହେବ ନବ ନିର୍ମିତ ତାଳବଣିଆ ଥାନା । ପ୍ରାୟ ୨୦୦ କୋଟି ଟଙ୍କା ବିନିଯୋଗରେ ନବ ନିର୍ମିତ ଏହି ଥାନାକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏ ଅବସରରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଓ SDPO କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ଖୋର୍ଦ୍ଧା ଜିଲ୍ଲାରେ ବାଲୁଗାଁ ଏସଡିପିଓ କାର୍ଯାଳୟ, କୋରାପୁଟରେ ନୂତନ ପ୍ରଶାସନିକ କାର୍ଯାଳୟ, ଯାଜପୁରରେ ଏସଡିପିଓ କାର୍ଯାଳୟ, କଟକ ତୁଳସୀପୁର ଠାରେ ପୋଲିସ ବାସଗୃହ ନିର୍ମାଣ ଉଦଘାଟନ କରିଥିଲେ।
ଓଡ଼ିଶାକୁ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟରେ ଗଢି ତୋଳିବା ପାଇଁ ପୋଲିସ ବାହିନୀର ଆଧୁନିକୀକରଣ, ସଶକ୍ତିକରଣ ଓ ଭିତ୍ତିଭୂମି ନିହାତି ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ଦେଇଥିଲେ। ତେବେ ଆଗକୁ ୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ଉନ୍ନତିମୂଳକ ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ପ୍ରତି ବନ୍ଧୁତ୍ୱ ଭାବ ସହ ଅପରାଧୀଙ୍କ ପ୍ରତି କଡା ଆଭିମୁଖ୍ୟ ପୋଲିସ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଉପଦେଶ ଦେଇଥିଲେ। ଅପରପକ୍ଷେ ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଭାବେ ଗଠିତ ଶ୍ରୀଜଗନ୍ନାଥ ସ୍ଵତନ୍ତ୍ର ସୁରକ୍ଷା ବାହିନୀର ନିଜସ୍ଵ ବିଲଡ଼ିଂ ପାଇଁ ଜମି ଚିହ୍ନଟ ହେଉଛି। ଆସନ୍ତା ୩ ବର୍ଷ ଭିତରେ ଏହି ବାଟାଲିୟନର ନିଜସ୍ଵ ବିଲଡ଼ିଂ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ।
ଉତ୍ସବରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ, ପୁରୀ ଏସପି ପ୍ରତୀକ ସିଂହ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ବିଧାୟକ ସୁନୀଲ ମହାନ୍ତି , ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।