କର୍ଣ୍ଣାଟକରେ ବୁଧବାରଠୁ ଆରମ୍ଭ ହୋଇଛି ଡିକେ ଶିବକୁମାରଙ୍କ ଯୁଗ,୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଡିକେ ଶିବକୁମାର

କର୍ଣ୍ଣାଟକ ରାଜନୀତିରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ବହୁ ଚର୍ଚ୍ଚା ଓ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସିଦ୍ଦରମୈୟାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ ବୁଧବାରଠୁ ଆରମ୍ଭ ହୋଇଛି ଡିକେ ଶିବକୁମାରଙ୍କ ଯୁଗ। ଶିବକୁମାର ଆଜି ଲୋକଭବନ ସ୍ଥିତ ଗ୍ଲାସ୍ ହାଉସଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ୍ ଅପରାହ୍ନ ୪ଟା ୧୦ ମିନିଟରେ ଶିବକୁମାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହା ପୂର୍ବରୁ ଶିବକୁମାର ମଞ୍ଚରେ ଜଣ ଜଣ କରି ନେତାଙ୍କୁ ଭେଟିଥିଲେ। ଶିବକୁମାରଙ୍କ ସହିତ ଅନେକ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି।

ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଜି. ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପୁତ୍ର ୟତୀନ୍ଦ୍ରଙ୍କ ସମେତ ଅନ୍ୟ ୧୨ ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି।

ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବିଭିନ୍ନ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିବକୁମାରଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାଜନୈତିକ ନେତାଙ୍କ ବ୍ୟତୀତ ବହୁ ସଂଖ୍ୟାରେ ସାଧୁସନ୍ଥ ମଧ୍ୟ ଏହି ସମାରୋହରେ ସାମିଲ ହୋଇ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଶିବକୁମାରଙ୍କ ସମର୍ଥକମାନେ ବିପୁଳ ସଂଖ୍ୟାରେ ଏକାଠି ହୋଇ ଉତ୍ସବ ମନାଇବା ସହ ନିଜ ପ୍ରିୟ ନେତାଙ୍କୁ ଶୀର୍ଷ ପଦରେ ଦେଖି ଖୁସି ଜାହିର କରିଛନ୍ତି।

ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଯେଉଁ ୧୩ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି, ସେମାନେ ହେଲେ: ଜି. ପରମେଶ୍ୱର (ଉପ-ମୁଖ୍ୟମନ୍ତ୍ରୀ), ୟତୀନ୍ଦ୍ର (ସିଦ୍ଧରମୈୟାଙ୍କ ପୁତ୍ର), ପ୍ରିୟଙ୍କ ଖଡଗେ (ମଲ୍ଲିକାର୍ଜୁନ ଖଡଗେଙ୍କ ପୁତ୍ର), କେ.ଏଚ୍ ମୁନିୟାପ୍ପା, କେ.ଜେ ଜର୍ଜ, ରାମଲିଙ୍ଗା ରେଡ୍ଡୀ, ଏମ.ବି ପାଟିଲ, ସତୀଶ ଜାରକିହୋଲି, କ୍ରିଷ୍ଣା ବାଇରେଗୌଡା, ୟୁ.ଟି ଖାଦର, ଈଶ୍ୱର ଖଣ୍ଡ୍ରେ, ବାଇରତି ସୁରେଶ, ଶରଣ ପ୍ରକାଶ ପାଟିଲ।

ଡି.କେ ଶିବକୁମାର ଦୀର୍ଘ ବର୍ଷ ଧରି କଂଗ୍ରେସର ସବୁଠାରୁ ପ୍ରଭାବଶାଳୀ ଏବଂ ସଂଗଠନ ପ୍ରିୟ ନେତା ଭାବେ ଜଣାଶୁଣା। ଦଳ ଯେତେବେଳେ ବି ସଙ୍କଟରେ ପଡ଼ିଛି, ସେ ସେତେବେଳେ ଜଣେ ଦକ୍ଷ ପରିଚାଳକ ଭାବେ ସାମ୍ନାକୁ ଆସି ଦଳକୁ ବଞ୍ଚାଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସକୁ ପୁଣି କ୍ଷମତାକୁ ଫେରାଇ ଆଣିବାରେ ତାଙ୍କର ରଣନୀତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏବେ ସେ ରାଜ୍ୟର ସର୍ବୋଚ୍ଚ ପଦବୀ ସମ୍ଭାଳିବା ପରେ କର୍ଣ୍ଣାଟକ ବିକାଶର ଏକ ନୂଆ ଧାରା ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ଦଳ ମଧ୍ୟରେ ଚାଲିଥିବା ଆପୋଷ ବୁଝାମଣା ଏବଂ ନେତୃତ୍ୱ ପରିବର୍ତ୍ତନର ଫର୍ମୁଲା ଅନୁଯାୟୀ, ଗତ ମେ’ ୨୮ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ମେ’ ୩୦ରେ ହୋଇଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ୬୪ ବର୍ଷୀୟ ଭୋକାଲିଗା ସମୁଦାୟର ଶକ୍ତିଶାଳୀ ନେତା ଡି.କେ ଶିବକୁମାରଙ୍କୁ ସର୍ବସମ୍ମତି କ୍ରମେ ନେତା ନିର୍ବାଚିତ କରାଯାଇଥିଲା। ଏହି ଶପଥ ଗ୍ରହଣ ସହ ସିଦ୍ଦରମୈୟା ଏବଂ ଶିବକୁମାରଙ୍କ ଶିବିର ମଧ୍ୟରେ ଥିବା ଦୀର୍ଘଦିନର କ୍ଷମତା ଯୁଦ୍ଧରେ ସମାପ୍ତ ଘଟିଛି।

Leave a comment