ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣାରେ ମାରାଥନ ତଦନ୍ତ ଚଳାଇଛନ୍ତି NHRC ଟିମ୍ । ଗତକାଲି ବାଲିଅନ୍ତାର ସେହି କ୍ରାଇମ ସ୍ପଟ୍ ଓ ଅଡ଼ଶପୁରରେ ସୌମ୍ୟଙ୍କ ଜିମକୁ ଯାଇ ତଦନ୍ତ କରିଥିବା ବେଳେ ମଉଜପୁରରେ ସୌମ୍ୟଙ୍କ ପରିବାରକୁ ଭେଟି ପଚରା ଉଚରା କରିଥିଲେ । ଆଜି ସକାଳ ୮ଟାରୁ ପୁଣି ଆରମ୍ଭ ହୋଇଥିଲା NHRC ଟିମର ତଦନ୍ତ । ପ୍ରଥମେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଘଟଣା ଦିନ ସୌମ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଯୁବତୀ । ପର୍ଯ୍ୟାୟକ୍ରମ ଆମ୍ବୁଲାନ୍ସ ଡ୍ରାଇଭର, ବାଲିଅନ୍ତାର ପୂର୍ବତନ ଥାନା ଅଧିକାରୀ ଅନୀଲ ପରିଡ଼ା, ସୌମ୍ୟଙ୍କ ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କରିଛନ୍ତି ।
ସୌମ୍ୟ ହତ୍ୟା ମାମଲା । ମାରାଥନ ତଦନ୍ତ ଚଳାଇଛି NHRC ଟିମ୍ । ଘଟଣାରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚାଲିଛି ପଚରା ଉଚରା । GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣାରେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ମାରାଥନ ତଦନ୍ତ ଚଳାଇଛି NHRC ଟିମ୍ । ଗତକାଲି ବାଲିଅନ୍ତାର ସେହି କ୍ରାଇମ ସ୍ପଟ୍ ଓ ଅଡ଼ଶପୁରରେ ସୌମ୍ୟଙ୍କ ଜିମ୍କୁ ଯାଇ ତଦନ୍ତ କରିଥିବା ବେଳେ ମଉଜପୁରରେ ସୌମ୍ୟଙ୍କ ପରିବାରକୁ ଭେଟି ପଚରା ଉଚରା କରିଥିଲେ । ଆଉ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଇଥିଲା NHRC ଟିମ୍ର ଏନକ୍ବାରୀ ।
ଯେତେବେଳେ ସକାଳ ୮ଟାରେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଘଟଣା ଦିନ ସୌମ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଯୁବତୀ । ଘଟଣା ଦିନ ପ୍ରକୃତରେ କ’ଣ ଘଟିଥିଲା ? ସେଦିନ ସୌମ୍ୟଙ୍କ ଆକ୍ଟିଭିଟି କ’ଣ ଥିଲା ? ସେ ସମ୍ପର୍କରେ ପ୍ରାୟ ଅଧଘଣ୍ଟା କାଳ ସଂପୃକ୍ତ ଯୁବତୀଙ୍କୁ ପଚରା ଉଚରା କରିଥିଲେ NHRC ଟିମ୍ ।ଏହାପରେ ସକାଳ ୮ଟା ୩୦ରେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଘଟଣା ଦିନ ସୌମ୍ୟଙ୍କୁ ନେଇ ଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭର । ଘଟଣା ଦିନ ତାଙ୍କ ପାଖକୁ କେତେବେଳେ ଫୋନ୍ ଆସିଥିଲା ? ସେ କେଉଁ ସ୍ଥାନରୁ ସୌମ୍ୟଙ୍କୁ କେଉଁ ଜାଗାକୁ ନେଇଥିଲେ? ସୌମ୍ୟଙ୍କ ଅବସ୍ଥା ସେତେବେଳେ କ’ଣ ଥିଲା ? ତାଙ୍କ ସାଙ୍ଗରେ ଆଉ କିଏ କିଏ ଆମ୍ବୁଲାନ୍ସରେ ଯାଇଥିଲେ ? ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଠାରୁ ସେସବୁ ପ୍ରଶ୍ନର ଉତ୍ତର ଚାହିଁଥିଲେ NHRC ଟିମ୍ ।
ଏହାର ଅଧଘଣ୍ଟା ପରେ ଅର୍ଥାତ ସକାଳ ୯ଟାର NHRC ଟିମ୍ ସାମ୍ନାରେ ହାଜର ହୋଇଥିଲେ ବାଲିଅନ୍ତା ଥାନାର ତତ୍କାଳୀନ IIC ଅନୀଲ ପରିଡ଼ା । ସୌମ୍ୟଙ୍କ ଉପରେ ଆକ୍ରମଣ ଖବର କେତେବେଳେ ଓ କେମିତି ପାଇଲା ପୋଲିସ ? ପରବର୍ତ୍ତୀ ସମୟରେ ପୋଲିସର ଆକ୍ସନ କ’ଣ ଥିଲା ? ଘଟଣାସ୍ଥଳରେ ପୋଲିସ ପହଞ୍ଚିଲା ବେଳକୁ ପରିସ୍ଥିତି କିଭଳି ଥିଲା ? ସୌମ୍ୟଙ୍କୁ ଉଦ୍ଧାର କରିବାକୁ ପୋଲିସ କ’ଣ ପଦକ୍ଷେପ ନେଇଥିଲା ? ସେସବୁ ପ୍ରଶ୍ନର ଉତ୍ତର ଚାହିଁଥିଲେ NHRC ଟିମ୍ । ସେହିଭଳି ସୌମ୍ୟ ହତ୍ୟା ଘଟଣାକୁ ନେଇ NHRCରେ ଅଭିଯୋଗ କରିଥିବା ଭଜମନ ବିଶ୍ବାଳ ମଧ୍ୟ NHRC ଟିମ୍ ପାଖରେ ତାଙ୍କର ତଥ୍ୟ ରଖିଥିଲେ ।
ସେହିଭଳି ଦିନ ୧୦ଟାରେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ କ୍ୟାପିଟାଲ ହସ୍ପିଟାଲରେ ସୌମ୍ୟଙ୍କ ମୃତଦେହ ପୋଷ୍ଟମର୍ଟମ କରିଥିବା ଡାକ୍ତର ଏଲ.ଡି ବେହେରା । ସୌମ୍ୟଙ୍କ ଶରୀରରେ କେତେ କ୍ଷତ ଚିହ୍ନ ଥିଲା ? ସୌମ୍ୟଙ୍କ ମୃତ୍ୟୁର କାରଣ କ’ଣ ହୋଇପାରେ ? ସୌମ୍ୟଙ୍କ ଶରୀରରେ ଷ୍ଟେ-ରଏଡ୍ର ମାତ୍ରା କେତେ ଥିଲା ? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁଥିଲେ NHRC ଟିମ୍ ।
ସେହିଭଳି ଦିନ ୧୨ଟାରେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଘଟଣା ଦିନ ସୌମ୍ୟଙ୍କୁ ଘଟଣାସ୍ଥଳରୁ ନେଇ ଯାଇଥିବା ମିନିଟ୍ରକ୍ ଡ୍ରାଇଭର ସଫିଉଲ୍ଲା ଖାଁ । ସେ ନିଆଳିରୁ ବାଲିପାଟଣା ଯାଉଥିବା ବେଳେ ତାଙ୍କୁ ଜଣେ ପୋଲିସ କର୍ମୀ ଅଟକାଇବା ସହ ସୌମ୍ୟଙ୍କୁ ନେଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ କହିଥିଲେ । ଏମିତିକି ମିନି ଟ୍ରକରେ ତାଙ୍କ ସହ କ୍ୟାବିନରେ ସାଦା ପୋଷାକରେ ପୋଲିସ କର୍ମଚାରୀ ବସିଥିଲେ ବୋଲି କହିଛନ୍ତି ମିନି ଟ୍ରକ୍ ଡ୍ରାଇଭର ।
ଏହା ପରେ ଦିନ ପ୍ରାୟ ଗୋଟାଏ ବେଳେ NHRC ଟିମ୍ ଆଗରେ ହାଜର ହୋଇଥିଲେ ଘଟଣାର ତଦନ୍ତ କରିଥିବା ସାଇଣ୍ଟିଫିକ୍ ଟିମ୍ର ଅଧିକାରୀ ଓ ସହକର୍ମୀ । ଘଟଣା ଦିନ ସେମାନେ କେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଘଟଣାସ୍ଥଳରୁ କ’ଣ ତଥ୍ୟ ସଂଗ୍ରହ କରିଥିଲେ ସେନେଇ ପଚାରି ବୁଝିଥିଲେ NHRC ଟିମ୍ ।
ଏସବୁ ଭିତରେ ଅପରାହ୍ଣ ୩ଟାରେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଘଟଣା ଦିନ ସୌମ୍ୟଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଥିବା ଦୁଇ ଯୁବତୀ । ସେମାନଙ୍କ ସହ ଥିଲେ ସୌମ୍ୟଙ୍କ ସାଙ୍ଗ ଓମ୍ ଏବଂ ଆମ୍ବୁଲାନ୍ସ ଡ୍ରାଇଭର । ଚାରି ଜଣଙ୍କୁ ସାମ୍ନା ସାମ୍ନି ବସାଇ ପଚରା ଉଚରା କରିଥିଲେ NHRC ଟିମ୍ । ପ୍ରାୟ ୨ରୁ ୩ଘଣ୍ଟା କାଳ ସେମାନଙ୍କୁ ପଚରା ଉଚରା କରାଯାଇଥିଲା ।
ସୌମ୍ୟ ହତ୍ୟା ଘଟଣାରେ ସମସ୍ତ ଦିଗକୁ ନେଇ ତଦନ୍ତ କରୁଥିବା NHRC ଟିମ୍ ଘଟଣା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଡାକି ପଚରା ଉଚରା ଚଳାଇଛନ୍ତି । ଆସନ୍ତାକାଲି ମଧ୍ୟ ଆଉ କିଛି ବ୍ୟକ୍ତିଙ୍କୁ ପଚରା ଉଚରା କରାଯାଇପାରେ ।