ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ମାଛ ମାର୍କେଟରେ ଆୟତ୍ତ ହେଲା ନିଆଁ, ପୋଡ଼ି ଯାଇଛଇ ପାଖାପାଖି ୩୦ରୁ ଅଧିକ ଦୋକାନ
ମାଛ ମାର୍କେଟରେ ଆୟତ୍ତ ହେଲା ନିଆଁ । ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମବାହିନୀ । ନିଆଁ ଲିଭା କାର୍ଯ୍ୟରେ ୯ଟି ଦମକଳ ଗାଡି ଓ ୩୫ରୁ ଉର୍ଦ୍ଧ୍ବ ଅଗ୍ନିଶମବାହିନୀ ନିୟୋଜିତ ହୋଇଥିଲେ । ଗତକାଲି ରାତି ପ୍ରାୟ ୩ଟା ବେଳେ କଟକ ପ୍ରେସଛକରେ ଥିବା ମାଛ ମାର୍କେଟରେ ଭୟଙ୍କର ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ପୁରା ମାଛ ମାର୍କେଟ ଜଳିପୋଡ଼ି ଛାରଖାର ହୋଇଯାଇ ଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ବଜାରର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। କେବଳ ସେତିକି ନୁହେଁ ନିକଟରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଯାହାଫଳରେ ବ୍ୟାଙ୍କର ପରିସର ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।
ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟିନାହିଁ । ପାଖାପାଖି ୩୦ରୁ ଅଧିକ ଦୋକାନ ପୋଡ଼ିଯାଇଛି । ନିଆଁ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ନିଆଁର ପ୍ରକୋପ ଏତେ ଥିଲା ଯେ, ଓଭରବ୍ରିଜ ଉପର ଯାଏଁ ନିଆଁ ଉଠିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି । ବ୍ୟବସାୟୀଙ୍କ ବିଡ଼ା ବିଡ଼ା ଟଙ୍କା ପୋଡ଼ି ନଷ୍ଟ ହୋଇଯାଇଛି । ୩୦ ଲକ୍ଷରୁ ଅଧିକ ଟଙ୍କା ଜଳି ଯାଇଛି। ଚାରିଆଡ଼େ ଧୂଆଁ ଭର୍ତ୍ତି ହୋଇଯାଇଥିବାରୁ ଭିତରକୁ ପଶିବା କଷ୍ଟକର ହୋଇଥିଲା ।