ଏଠାରେ ଆମେରିକୀୟ ସୈନ୍ୟଙ୍କ ପାଇଁ କୌଣସି ସ୍ଥାନ ନାହିଁ- ମୋଜତାବା ଖେମିନି

ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଆଲୋଚନା ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନି ଆମେରିକାକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଉପସାଗରୀୟ ଦେଶଗୁଡ଼ିକ ଆଉ ଆମେରିକାର ସାମରିକ ବେସ୍ ପାଇଁ ସୁରକ୍ଷା କବଚ ସାଜିବେ ନାହିଁ ଏବଂ ଏଠାରେ ଆମେରିକୀୟ ସୈନ୍ୟଙ୍କ ପାଇଁ କୌଣସି ସ୍ଥାନ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଖେମିନି ଆମେରିକା ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ, ୱାସିଂଟନ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ଏବଂ ନିଜର ସାମରିକ ପ୍ରଭାବ ବିସ୍ତାର କରିବା ପାଇଁ ଗଲ୍ଫ ରାଷ୍ଟ୍ରଗୁଡ଼ିକୁ ବ୍ୟବହାର କରୁଛି। ଉପସାଗୀୟ ଅଂଚଳରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ମୂଳପୋଛ କରିବାକୁ ଇରାନ ପଛାଇବ ନାହିଁ ବୋଲି ଖେମିନି ଚେତାବନୀ ଦେଇଛନ୍ତି। ଏକ ଲିଖିତ ବିବୃତିରେ ଇରାନର ସର୍ବୋଚ୍ଚ ନେତା କହିଛନ୍ତି ଯେ, ଆମେରିକା ଏହି ଅଞ୍ଚଳରେ ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ କରିବା କିମ୍ବା ନୂଆ ସାମରିକ ବେସ୍ ସ୍ଥାପନ କରିବା ପାଇଁ ଆଉ କୌଣସି ସୁରକ୍ଷିତ ସ୍ଥାନ ପାଇବ ନାହିଁ। ଗଲ୍ପ ରାଷ୍ଟ୍ରମାନଙ୍କ ଭରସା ଆମେରିକା ଉପରୁ ତୁଟି ଯାଇଛି ବୋଲି ଖେମିନି କହିଛନ୍ତି।

ସୂଚନାଯୋଗ୍ୟ, ପ୍ରବଳ ତିକ୍ତତା ମଧ୍ୟରେ ଇରାନ ଓ ଆମେରିକା ଏବେ ୧୪ ସୂତ୍ରୀ ବିଶିଷ୍ଟ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି, ଯେଉଁଥିରେ ଅଧିକାଂଶ ପ୍ରସଙ୍ଗର ସମାଧାନ ହୋଇସାରିଥିବା ଦାବି କରାଯାଉଛି। ତେବେ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବେ ବି ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛି। ଆମେରିକାର ଦାବି ହେଉଛି ଯେ ଇରାନ ନିଜର ସମୃଦ୍ଧ ୟୁରାନିୟମ ହସ୍ତାନ୍ତର କରିବ ଏବଂ ଭବିଷ୍ୟତର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଗ୍ୟାରେଣ୍ଟି ଦେବ। ଏହା ସହିତ ଇରାନର ମିସାଇଲ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ୱାସିଂଟନ ଜିଦ୍ ଧରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଲେଖିଛନ୍ତି ଯେ, ଇରାନ ସହ ଯେକୌଣସି ଚୁକ୍ତି ଓବାମା ଶାସନ କାଳର ଚୁକ୍ତି ଅପେକ୍ଷା ଅଧିକ ଭଲ ହେବା ଆବଶ୍ୟକ, ନଚେତ କୌଣସି ଚୁକ୍ତି ସ୍ବାକ୍ଷରିତ ହେବ ନାହିଁ।

Leave a comment