ଆଇପିଏଲ୍ ୨୦୨୬, ଚତୁର୍ଥ ଦଳ ଭାବେ ଚଳିତ ସଂସ୍କରଣରେ ପ୍ଲେ ଅଫରେ ପ୍ରବେଶ କରିଛି ରାଜସ୍ଥାନ
ଆଇପିଏଲ୍ ୨୦୨୬ରେ ନିଜ ପାଇଁ କର ବା ମର ମୁକାବିଲାକୁ ଜିତି ନେଇଛି ରାଜସ୍ଥାନ। ବ୍ୟାଟରଙ୍କ ପରେ ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ ରାଜସ୍ଥାନ ମୁମ୍ବାଇ ଇଣ୍ଡିଆନ୍ସକୁ ୩୦ ରନରେ ମାତ୍ ଦେଇଛି। ବିଜୟ ସହ ରାଜସ୍ଥାନ ଚତୁର୍ଥ ଦଳ ଭାବେ ଚଳିତ ସଂସ୍କରଣରେ ପ୍ଲେ ଅଫରେ ପ୍ରବେଶ କରିଛି। ମୁମ୍ବାଇ ପରାଜୟ ସହ ନିଜର ଅଭିଯାନ ଶେଷ କରିଛି। ରାଜସ୍ଥାନର ପ୍ଲେ ଅଫରେ ପ୍ରବେଶ ସହ ପଞ୍ଜାବ-କୋଲକାତା ବାହାରି ଯାଇଛନ୍ତି। ଆଇପିଏଲ୍ ୨୦୨୬ର ଶେଷ ଲିଗ୍ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ କେବଳ ଔପଚାରିକତା ରହିଛି ଯାଇଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ବ୍ୟାଟରଙ୍କ ସାମୂହିକ ପ୍ରଦର୍ଶନ ବଳରେ ୮ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା। ଧ୍ରୁବ ଜୁରେଲ ୩୮ ରନ, ଜୋଫ୍ରା ଆର୍ଚର ଦ୍ରୁତ ୩୨ ରନ ଓ ଦାସୁନ ଶନାକା ୨୯ ରନ କରିଥିଲେ। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୯ ଓ୍ଵିକେଟ୍ ହରାଇ ୧୭୫ ରନ କରି ପାରିଛି। ରାଜସ୍ଥାନକୁ ୩୦ ରନରେ ଜିତି ନେଇଛି। ସୂର୍ଯ୍ୟକୁମାର ଯାଦବ ୬୦ ରନ କରିଥିବା ବେଳେ ଓ୍ଵିଲ ଜ୍ୟାକ୍ସ ୩୩ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୪ ରନ କରିଥିଲେ। ବୋଲିଂରେ ଜୋଫ୍ରା ଆର୍ଚର ୧୭ ରନ ଦେଇ ୩ ଓ୍ଵିକେଟ୍ ଅକ୍ତିକାର କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।
୨୦୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଆରମ୍ଭରୁ ବଡ଼ ଝଟକା ଲାଗିଥିଲା। ଇମ୍ପାକ୍ଟ ଖେଳାଳି ଭାବେ ଖେଳିଥିବା ରୋହିତ ଶର୍ମା ଖାତା ବି ଖାଲି ପାରି ନ ଥିଲେ। ନମନ ଧୀର(୬ ରନ) ନିରାଶ କରିଥିଲେ। ପୁଣି ରିୟାନ ରିକଲଟନର ୧୨ ରନ କରି ଆଉଟ୍ ହୋଇଥିଲେ। ତିଳକ ବର୍ମା(୩ ରନ) ବି କ୍ରିଜରେ ତିଷ୍ଠି ପାରି ନ ଥିଲେ। ୩୮ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିବା ମୁମ୍ବାଇ ଇନିଂସକୁ ସମ୍ଭାଳିଥିଲେ ସୂର୍ଯ୍ୟକୁମାର ଯାଦବ ଓ ଓ୍ଵିଲ ଜ୍ୟାକ୍ସ। ଦୁହେଁ ଦ୍ରୁତ ବ୍ୟାଟିଂ କରି ୩୮ ବଲରୁ ୬୩ ରନର ଭାଗିଦାରୀ କରି ମୁମ୍ବାଇ ପାଇଁ ବିଜୟ ଆଶା ବଳବତ୍ତର ରଖିଥିଲେ। ଓ୍ବିଲ ଜ୍ୟାକ୍ସ ୩୩ ରନ କରି ଆଉଟ୍ ହେବା ମୁମ୍ବାଇକୁ ପୁଣି ବଡ଼ ଝଟକା ଦେଇଥିଲା। ତଥାପି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ।
ହେଲେ ପାଣ୍ଡ୍ୟା ଆଉଟ୍ ହେବା ମୁମ୍ବାଇର ବିଜୟ ସମ୍ଭାବନାକୁ ହ୍ରାସ କରିଥିଲା। ସେ ୧୫ ବଲରୁ ୩୪ ରନ କରି ଆଉଟ୍ ହୋଇଥିଲେ। ଏକମାତ୍ର ଆଶା ଥିବା ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲେ। ସେ ୪୨ ବଲରୁ ୬୦ ରନ କରି ଆଉଟ୍ ହେବା ସହ ମୁମ୍ବାଇର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ଶେଷରେ ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ମ୍ୟାଚରେ ୩୦ ରନରେ ପରାଜିତ ହୋଇଛି। ଦଳ ୯ ଓ୍ଵିକେଟ୍ ହରାଇ ୧୭୫ ରନ କରି ପାରିଛି।