ନିଟ୍‌ ପରୀକ୍ଷାରେ ତ୍ରୁଟି ସ୍ୱୀକାର କରିବା ସହ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ମାନସିକ ଚିନ୍ତା ପାଇଁ ନିଜକୁ ଦାୟୀ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନିଟ୍‌ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରୀକ୍ଷା ପ୍ରକ୍ରିୟାରେ ତ୍ରୁଟି ହୋଇଥିବା ସ୍ୱୀକାର କରିବା ସହ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ମାନସିକ ଚିନ୍ତା ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ନିଟ୍ ପରୀକ୍ଷା ପ୍ରକ୍ରିୟାରେ ସାଲିସ୍ କରାଯାଇଥିଲା। ଆସନ୍ତା ଜୁନ୍ ୨୧ ରେ ହେବାକୁ ଥିବା ପୁନଃ ପରୀକ୍ଷା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଧର୍ମେନ୍ଦ୍ର।

‘ଜାଗରଣ ଭାରତ ଏଜୁକେସନ କନକ୍ଲେଭ୍ ୨୦୨୬’ ର ଷଷ୍ଠ ସଂସ୍କରଣରେ ଯୋଗଦେଇ କମ୍ପିଟେଟିଭ୍‌ ଏଗଜାମ୍‌ ଯେପରିକି NEET UG, CUET, JEE ଆଦି ପାଇଁ ପିଲାମାନଙ୍କୁ ଘରୋଇ କୋଚିଂ ସେଣ୍ଟରରେ ନାମ ଲେଖାଇବା ପୂର୍ବରୁ ପୁନର୍ବାର ଚିନ୍ତା କରିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି। କୋଚିଂ ବ୍ୟବସ୍ଥା ଏକ ‘ସାମାଜିକ ବ୍ୟାଧି’ରେ ପରିଣତ ହୋଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର। ଏହା ସହ ବର୍ତ୍ତମାନର ସମାଲୋଚନା ମଧ୍ୟରେ ସେ ସମସ୍ତଙ୍କୁ ‘ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଏବଂ ଜାତୀୟ ଶିକ୍ଷାନୀତି’ ଉପରେ ବିଶ୍ୱାସ ରଖିବାକୁ ନିବେଦନ କରିଛନ୍ତି।

ସଂସଦୀୟ କମିଟିର ସମନ୍ ଓ ବିତର୍କ

ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମେ’ ୨୧ ରେ ଶିକ୍ଷା ବିଷୟକ ସଂସଦୀୟ ସ୍ଥାୟୀ କମିଟି NTA ଅଧ୍ୟକ୍ଷ ପ୍ରଦୀପ କୁମାର ଯୋଶୀ, ଡିଜି ଅଭିଷେକ ସିଂ ଏବଂ ଉଚ୍ଚଶିକ୍ଷା ସଚିବ ବିନୀତ ଯୋଶୀଙ୍କୁ ସମନ୍ କରିଥିଲେ। ପେପର ଲିକ୍ କିପରି ହେଲା ଏବଂ ଜାତୀୟ ପ୍ରବେଶିକା ପରୀକ୍ଷା ଉପରେ ବିଶ୍ୱାସ ଫେରାଇ ଆଣିବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି, ସେ ନେଇ କମିଟି କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ। ତେବେ ସୂତ୍ର ଅନୁଯାୟୀ, ବୈଠକର ସରକାରୀ ଚିଠିରେ ‘ଲିକ୍’ ଶବ୍ଦର ବ୍ୟବହାରକୁ ନେଇ କମିଟି ସଦସ୍ୟଙ୍କ ମଧ୍ୟରେ ବିତର୍କ ହୋଇଥିଲା। ଏହି ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ଗୁରୁତ୍ୱ ବହନ କରୁଛି।

ପରୀକ୍ଷା ବାତିଲ ଓ ପୁନଃ ପରୀକ୍ଷାର ନିଷ୍ପତ୍ତି

ପ୍ରଶ୍ନପତ୍ର ଲିକ୍ ହେବା ପରେ ଜାତୀୟ ପରୀକ୍ଷା ସଂସ୍ଥା ଗତ ମେ’ ୧୨ ରେ NEET UG ପରୀକ୍ଷାକୁ ବାତିଲ କରିଦେଇଥିଲା। ପୂର୍ବରୁ ମେ’ ୩ରେ ଅନୁଷ୍ଠିତ ହୋଇଥିଲା। ଏହାପରେ ମେ’ ୧୫ ରେ ଏକ ପ୍ରେସ୍ ବ୍ରିଫିଂ ମାଧ୍ୟମରେ ଶିକ୍ଷାମନ୍ତ୍ରୀ ଘୋଷଣା କରିଥିଲେ ଯେ ଆସନ୍ତା ଜୁନ୍ ୨୧ରେ ପୁନଃପରୀକ୍ଷା କରାଯିବ। ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କଠାରୁ କୌଣସି ପରୀକ୍ଷା ଫି’ ନିଆଯିବ ନାହିଁ ଏବଂ ପୂର୍ବରୁ ଦେଇଥିବା ପଞ୍ଜୀକରଣ ଫି’ ମଧ୍ୟ ଫେରସ୍ତ କରାଯିବ।

Leave a comment