ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକାଟ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ।  ପ୍ରଶାସନକୁ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଏଣିକି ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡରେ କରାଯିବ ।

ଯେଉଁଠି ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତା ଥିବ, ସେଠାରେ ଆବଶ୍ୟକ ଥିବା ଅଧିକାରୀ ଓ କର୍ମଚାରୀ ପ୍ରତ୍ୟକ୍ଷ ଭାବେ ବୈଠକରେ ଯୋଗ ଦେଇପାରିବେ ।  ଅନ୍ୟମାନେ ଭର୍ଚୁଆଲ ମୋଡରେ ଯୋଗ ଦେବେ ।  ଜୁନ ୧ରୁ ସରକାରୀ ଅଫିସମାନଙ୍କରେ ଯଦି ନୂଆ ଦୁଇ ଚକିଆ ଓ ଚାରି ଚକିଆ ଯାନ କିଣାଯିବ, ସେଗୁଡ଼ିକ ବୈଦ୍ୟୁତିକ ଯାନ ହୋଇଥିବା ବାଧ୍ୟତାମୂଳକ ।  ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ କିମ୍ୱା ଡିଜେଲ ଗାଡ଼ି କିଣାକୁ ମିଳିବ ଅନୁମତି ।

ଜୁନ୍ ପହିଲାରୁ ସରକାରୀ ଅଫିସରେ ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ ଚାରିଚକିଆ ଯାନ EV ହେବା ବାଧ୍ୟତାମୂଳକ ହେବ ।  ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ନିଜ ନିଜ ମଧ୍ୟରେ କାରପୁଲିଂ କରିବେ ।  ସରକାରୀ ଯାନ ବ୍ୟବହାର ପାଇଁ ରାଶିର ପରିମାଣ ମଧ୍ୟ ସେହିଅନୁସାରେ ଅଧା କରାଯିବ ।

କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ, ସେଥିପାଇଁ ଅର୍ଥବିଭାଗ ୧୫ ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରୀ କରିବ ।  ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ୱା ରେଳଯାତ୍ରା କରିବେ ।  ଯେଉଁ ଅଧିକାରୀମାନଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ରହିଛି, ସେମାନେ ସରକାରୀ କାର୍ଯ୍ୟରେ କିଭଳି ଏହାକୁ ବ୍ୟବହାର କରିପାରିବେ, ସେ ସମ୍ପର୍କରେ ଅର୍ଥବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ।

ବହୁଳମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ୱା ମିନିବସ୍ ସେବା ଯୋଗାଇ ଦିଆଯିବ ।  ସରକାରୀ ଗାଡ଼ିର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତିକମରେ ୧୦ ପ୍ରତିଶତ କମିବ, ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ ।

ଏହି ନିର୍ଦ୍ଦେଶାବଳୀ ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ୍ ସହ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତି ମାନଙ୍କରେ କଡ଼ାକଡ଼ି ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment