ଦିଲ୍ଲୀରେ ପ୍ରକୋପ ଦେଖାଉଛି ଗ୍ରୀଷ୍ମ ପ୍ରବାହ: ୪୫ ଡିଗ୍ରୀ ଟପିଲା ତାପମାତ୍ରା

ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍ଥିତି ଅତି ସଂଗୀନ ହୋଇପଡ଼ିଛି। ମଇ ମାସର ଏହି ପ୍ରଚଣ୍ଡ ରୌଦ୍ରତାପ ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ଦିଲ୍ଲୀର ଅନେକ ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ପାର୍ କରିସାରିଛି। ଦ୍ୱିପ୍ରହର ସମୟରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସହର ପାଇଁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି।

ସକାଳ ୯ଟା ବାଜୁ ବାଜୁ ଦିଲ୍ଲୀର ସଡ଼କଗୁଡ଼ିକରେ ଗରମ ପବନ ବା ‘ଲୁ’ ବହିବା ଆରମ୍ଭ ହୋଇଯାଉଛି। ଦ୍ୱିପ୍ରହର ସମୟରେ ପ୍ରବଳ ଗରମ ଯୋଗୁଁ ରାଜପଥଗୁଡ଼ିକ ଏକ ପ୍ରକାର ଶୂନଶାନ ଦେଖାଯାଉଛି। କେବଳ ସାଧାରଣ ଲୋକ ନୁହନ୍ତି, ବରଂ ଖୋଲା ଆକାଶ ତଳେ କାମ କରୁଥିବା ଶ୍ରମିକ, ଟ୍ରାଫିକ୍ ପୋଲିସ ଏବଂ ଉଠାଦୋକାନୀମାନେ ଏହି ଗ୍ରୀଷ୍ମ ପ୍ରବାହର ସବୁଠାରୁ ବଡ଼ ଶିକାର ହୋଇଛନ୍ତି। ଗରମ ଯୋଗୁଁ ଦିଲ୍ଲୀରେ ବିଦ୍ୟୁତ ଏବଂ ପାଣିର ଚାହିଦା ରେକର୍ଡ ସ୍ତରରେ ପହଞ୍ଚିଛି।

ପ୍ରବଳ ତାତି ଯୋଗୁଁ ଦିଲ୍ଲୀର ପ୍ରମୁଖ ଡାକ୍ତରଖାନା ଗୁଡ଼ିକରେ ହିଟ୍ ଷ୍ଟ୍ରୋକ୍ , ଡିହାଇଡ୍ରେସନ୍, ବାନ୍ତି ଏବଂ ମୁଣ୍ଡବୁଲା ଭଳି ସମସ୍ୟା ନେଇ ଆସୁଥିବା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷ କରି ଶିଶୁ ଏବଂ ବୃଦ୍ଧମାନଙ୍କୁ ଆବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।

ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ଏହି ସ୍ଥିତିରୁ କୌଣସି ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛି। ତାପମାତ୍ରା ଆହୁରି ୧ ରୁ ୨ ଡିଗ୍ରୀ ବୃଦ୍ଧି ପାଇପାରେ। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଜୁନ୍ ପ୍ରଥମ ସପ୍ତାହ ପୂର୍ବରୁ କୌଣସି ବଡ଼ ଧରଣର ପଶ୍ଚିମା ଝଡ଼ ନଆସିଲେ ଦିଲ୍ଲୀବାସୀଙ୍କୁ ଏହି ପ୍ରଚଣ୍ଡ ତାତି ସହିବାକୁ ପଡ଼ିବ।

Leave a comment