ସୋସିଆଲ ମିଡିଆରେ ମେଲୋଡି ଟଫି ଟ୍ରେଣ୍ଡ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ମେଲୋଡି କ୍ୟାଣ୍ଡି (ଚକୋଲେଟ୍) ଉପହାର ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଏହାସହ ସୋସିଆଲ ମିଡିଆରେ ମେଲୋଡି ଟଫି ଟ୍ରେଣ୍ଡ୍ ଦେଖାଯାଇଛି। ପିଏମ ମେଲୋନି ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ ମୋତେ ଉପହାର ସ୍ୱରୂପ ଏକ ବହୁତ ସୁନ୍ଦର କ୍ୟାଣ୍ଡି ଆଣିଛନ୍ତି – ମେଲୋଡି। ଉପହାର ପାଇଁ ଧନ୍ୟବାଦ।”

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପାଞ୍ଚ-ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟ ପାଇଁ ମଙ୍ଗଳବାର ଇଟାଲୀରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମେଲୋନି ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ। ଦୁଇ ନେତା ଗୋଟିଏ କାରରେ ରୋମର ରାସ୍ତା ଦେଇ ଯାତ୍ରା କରିଥିଲେ ଏବଂ ପ୍ରାୟ ୨,୦୦୦ ବର୍ଷ ପୁରୁଣା ଐତିହାସିକ କଲୋସିୟମ୍ ପରିଦର୍ଶନ କରିଥିଲେ।ଏହା ପୂର୍ବରୁ, ଦୁଇ ନେତା ଏକାଠି ରାତ୍ରୀଭୋଜନ କରିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ମେଲୋନି ମୋଦୀଙ୍କ ସହ ଏକ ସେଲ୍ଫି ସେୟାର କରି ଲେଖିଛନ୍ତି, “ସ୍ୱାଗତ ମୋର ବନ୍ଧୁ।” ଦୁଇ ନେତାଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ସେମାନଙ୍କର ସାକ୍ଷାତର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ଆଜି ହେବାକୁ ଥିବା ଆନୁଷ୍ଠାନିକ ଆଲୋଚନାରେ ଭାରତ-ଇଟାଲୀ ବନ୍ଧୁତାକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା ଜାରି ରହିବ। ଦୁଇ ନେତା ବାଣିଜ୍ୟ, ନିବେଶ, ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି।

Leave a comment