ଚୀନରେ ଭୟଙ୍କର ଭୂମିକମ୍ପ,ଭୂକମ୍ପର ତୀବ୍ରତା ୫.୨

ଚୀନରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ରବିବାର ରାତି ୧୨:୨୧ ରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଲିଉଝୋର ଲିଉନାନ ଥିଲା । ଭୂକମ୍ପର ତୀବ୍ରତା ୫.୨ ବୋଲି ରିପୋର୍ଟ କରିଛନ୍ତି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ପ୍ରାୟ ୮ କିଲୋମିଟର ଗଭୀରତା ଥିଲା ବୋଲି ଅନୁମାନ କରାଯାଉଛି । ମଧ୍ୟରାତ୍ରିରେ ହୋଇଥିବା ଭୂମିକମ୍ପରେ ଅନେକ କୋଠା ଭୁଶୁଡ଼ି ପଡ଼ିଥିବାବେଳେ ଲୋକମାନେ ଭଗ୍ନାବଶେଷରେ ଫସି ରହିଛନ୍ତି । ଭୂକମ୍ପରେ ୨ ଜଣଙ୍କ ଜୀବନ ଚାଲିଯାଇଛି । ଭଗ୍ନାବଶେଷ ତଳୁ ଜୀବନ ଖୋଜା ଜାରି ରହିଛି ।

ବିଳମ୍ବିତ ରାତିରେ ଲୋକମାନେ ଶୋଇଥିବା ସମୟରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଏହି ଅଞ୍ଚଳଟି ଚୀନ୍ର ଗୁଆଙ୍ଗସି ଅଞ୍ଚଳରେ ଅବସ୍ଥିତ ଏବଂ ଏଠାରେ ୪ ଲକ୍ଷରୁ ଅଧିକ ଲୋକ ବାସ କରନ୍ତି । ସମଗ୍ର ଅଞ୍ଚଳରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ୧୩ରୁ ଅଧିକ କୋଠା ଭୁଶୁଡ଼ି ପଡ଼ିଥିଲା । ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିଲେ । ଲୋକେ ରାତିରେ ଶୋଇଥିବା ସମୟରେ ଭମିକମ୍ପ ହେବାରୁ କ୍ଷୟକ୍ଷତି ଅଧିକ ହୋଇଥିବା କୁହାଯାଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ପ୍ରାୟ ୭,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଭୂମିକମ୍ପ ହଂକଂ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ହଂକଂ ଅବଜରଭେଟୋରୀକୁ ସ୍ଥାନୀୟ ବାସିନ୍ଦାଙ୍କଠାରୁ ରିପୋର୍ଟ ମିଳିଛି। ସେମାନେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭବ କରିଥିବା କହିଛନ୍ତି ।

Leave a comment