ଆଇପିଏଲ୍ ୨୦୨୬ର ୬୧ତମ ମ୍ୟାଚ : ପ୍ଲେ ଅଫରେ ପ୍ରବେଶ କଲା ଆରସିବି

ବ୍ୟାଟର ପରେ ବୋଲରଙ୍କ ଜଲଓ୍ଵା। ଆଇପିଏଲ୍ ୨୦୨୬ର ୬୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ହରାଇଛି। ବିଜୟ ସହ ଆରସିବି ଚଳିତ ସଂସ୍କରଣରେ ପ୍ରଥମ ଦଳ ଭାବେ ଆନୁଷ୍ଠାନିକ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି। ଅନ୍ୟପଟେ ଲଗାତାର ଛଅ ପରାଜୟ ସହ ପଞ୍ଜାବର ପ୍ଲେ ଅଫରେ ପହଞ୍ଚିବା ମୁସ୍କିଲ ହୋଇ ଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଭେଙ୍କଟେଶ ଆୟରଙ୍କ ୭୩ ରନ, ବିରାଟ କୋହଲିଙ୍କ ୫୮ ରନ ଓ ପଡିକ୍କଲଙ୍କ ୪୫ ରନ ବଳରେ ୪ ଓ୍ଵିକେଟ୍ ହରାଇ ବିଶାଳ ୨୨୪ ରନ କରିଥିଲା। ଜବାବରେ ପଞ୍ଜାବ ୮ ଓ୍ଵିକେଟ୍ ହରାଇ ୧୯୯ ରନ କରି ପାରିଛି।

ବିଶାଳ ଟାର୍ଗେଟ ପିଛା କରି ପଞ୍ଜାବର ଆରମ୍ଭ ଖରାପ ହୋଇଥିଲା। ପ୍ରିୟାଂଶ ଆର୍ଯ୍ୟ ତାଙ୍କ ଖାତା ଖୋଲିପାରି ନଥିଲେ। ପ୍ରଥମ ଓଭରରେ ଭୁବନେଶ୍ଵର କୁମାର ତାଙ୍କୁ ଆଉଟ୍ କରିଥିଲେ। ତୃତୀୟ ଓଭରରେ ଭୁବନେଶ୍ୱର ପ୍ରଭସିମରନ ସିଂହ (୫ ବଲ୍ ରୁ ୨ ରନ୍)ଙ୍କୁ ଆଉଟ୍ କରିଥିଲେ। ଚତୁର୍ଥ ଓଭରରେ ରସିଖ ସଲାମଙ୍କ ଦ୍ୱାରା ଆଉଟ୍ ହୋଇଥିଲେ ଅଧିନାୟକ ଶ୍ରେୟସ ଆୟର, ଯାହା ଦଳକୁ ବଡ଼ ଝଟକା ଦେଇଥିଲା।  ପଞ୍ଜାବ ୧୯ ରନରେ ତିନୋଟି ୱିକେଟ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା। କୁପର କନୋଲି କିଛି ସମୟ କ୍ରିଜରେ ରହିଥିଲେ।  ସେ ୨୨ ବଲରେ ୩୭ ରନ୍ କରିଥିଲେ, ଯେଉଁଥିରେ ତିନୋଟି ଚୌକା ଏବଂ ତିନୋଟି ଛକା ଥିଲା। ଷଷ୍ଠ ଓଭରରେ ରୋମାରିଓ ସେଫର୍ଡଙ୍କ ବଲରେ କନୋଲି ଆଉଟ୍ ହୋଇଥିଲେ। ପଞ୍ଜାବ ୯୩ ରନରେ ଦଳର ଅଧା ବ୍ୟାଟର ହରାଇଥିଲା।

ଲଢିଲେ ଷ୍ଟୋଇନିସ ଓ ଶଶାଙ୍କ

୧୧ତମ ଓଭରରେ ସୂର୍ଯ୍ୟାଂଶ ସେଡଗେ ସୁୟାଶ ଶର୍ମାଙ୍କ ବଲରେ ପାଭିଲିୟନ ଫେରିଥିଲେ। ସେ ୨୨ ବଲ୍ ରେ ୩୫ ରନ୍ କରିଥିଲେ। ଏଥିରେ ଦୁଇଟି ଚୌକା ଏବଂ ଦୁଇଟି ଛକା ସାମିଲ୍ ଥିଲା। ଏହା ପରେ ମାର୍କସ୍ ଷ୍ଟୋଇନିସ୍ ଏବଂ ଶଶାଙ୍କ ସିଂହ ଷଷ୍ଠ ୱିକେଟ ପାଇଁ ୬୭ ରନ୍ ଯୋଡି ଦଳ ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ। ଷ୍ଟୋଇନିସ ୨୫ ବଲରୁ ପାଞ୍ଚ ଚୌକା ମାରି ୩୭ ରନ୍ ଯୋଗଦାନ ଦେଇଥିଲେ। ୧୭ତମ ଓଭରରେ ଷ୍ଟୋଇନିସଙ୍କୁ ଜୋଶ୍ ହାଜେଲଉଡ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଶଶାଙ୍କ ୨୭ ବଲ୍ ରୁ ୪ ଚୌକା ଏବଂ ୪ ଛକା ସହିତ ୫୬ ରନ୍ କରିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା। ଆଜମତୁଲ୍ଲା ଉମରଜାଇ ୧୦ ବଲରୁ ୧୪ ରନ୍ କରିଥିଲେ। ଶେଷ ଓଭରରେ ରସିଖଙ୍କ ଦ୍ଵାରା ଶଶାଙ୍କ ଏବଂ ଉମରଜାଇ ଆଉଟ୍ ହୋଇଥିଲେ।

RCB ଇନିଂସ

ଏହି ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଅୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ପରେ ଆରସିବିର ଆରମ୍ଭ ସାମାନ୍ୟ ଧିମା ରହିଥିଲା। ଦଳ ମାତ୍ର ତୃତୀୟ ଓଭରରେ ଜ୍ୟାକବ୍ ବେଥେଲ୍ (୧୧)ଙ୍କ ୱିକେଟ୍ ହରାଇଥିଲା। କିନ୍ତୁ ଏହାପରେ କ୍ରିଜ୍‌କୁ ଆସିଥିବା ଦେବଦତ୍ତ ପଡିକ୍କଲ ଏବଂ ଓପନର ବିରାଟ କୋହଲି ଦଳର ସ୍ଥିତି ସମ୍ଭାଳିଥିଲେ। ପଡିକ୍କଲ ଆସିବା ମାତ୍ରେ ହରପ୍ରୀତଙ୍କୁ ଚମତ୍କାର ଛକା ମାରିଥିବା ବେଳେ କୋହଲି ମଧ୍ୟ ଆଜମତୁଲ୍ଲା ଓମରଜାଇ ଏବଂ ଲକି ଫର୍ଗୁସନଙ୍କ ବଲ୍‌କୁ ବାଉଣ୍ଡ୍ରୀ ପାର୍ କରାଇଥିଲେ। ଫଳରେ ଆରସିବି ପାୱାରପ୍ଲେ ସୁଦ୍ଧା ୧ ୱିକେଟ୍ ହରାଇ ୬୧ ରନ୍ ସଂଗ୍ରହ କରିଥିଲା।​​​​​​​

ପଡିକ୍କଲଙ୍କ ଆକ୍ରମଣ ଓ କୋହଲିଙ୍କ ଚତୁର୍ଥ ଅର୍ଦ୍ଧଶତକ

ବେଙ୍ଗାଲୁରୁର ରନ୍ ଗତିକୁ ଆଗକୁ ବଢ଼ାଇ ପଡିକ୍କଲ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦୁଇଟି ଦମଦାର ଛକା ମାରି ସ୍ବାଗତ କରିଥିଲେ। କୋହଲି ମଧ୍ୟ ଚୌକା ବର୍ଷା କରିଥିଲେ। ତେବେ ଭଲ ଫର୍ମରେ ଥିବା ପଡିକ୍କଲ ୨୫ ବଲ୍‌ରୁ ୪ଟି ଚୌକା ଓ ୩ଟି ଛକା ସହାୟତାରେ ୪୫ ରନ୍ କରି ହରପ୍ରୀତଙ୍କ ବଲ୍‌ରେ ଶ୍ରେୟସ ଅୟରଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ।

ଅନ୍ୟପଟେ କିଙ୍ଗ କୋହଲି ନିଜର ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ। ୧୦ ଓଭରରେ ଦଳୀୟ ସ୍କୋର ୧୦୦ ପାର୍ ହୋଇଥିବା ବେଳେ କୋହଲି ମାତ୍ର ୩୧ ବଲ୍‌ରୁ ଚଳିତ ସିଜିନ୍‌ର ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୫୮ ରନ୍‌ର ଏକ ଦାୟିତ୍ଵବାନ ପାଳି ଖେଳିଥିଲେ, ଯେଉଁଥିରେ ୪ଟି ଚୌକା ଓ ୩ଟି ଛକା ସାମିଲ ଥିଲା।

ଭେଙ୍କଟେଶଙ୍କ ବିସ୍ଫୋରକ ଅର୍ଦ୍ଧଶତକ

କୋହଲି ଆଉଟ୍ ହେବା ପରେ ବ୍ୟାଟିଂ ଭାର ନିଜ କାନ୍ଧକୁ ନେଇଥିଲେ ଭେଙ୍କଟେଶ ଅୟର। ସେ ୧୫ତମ ଓଭରରେ ଚହଲଙ୍କୁ ଦୁଇଟି ବଡ଼ ଛକା ମାରି ଦଳୀୟ ସ୍କୋରକୁ ୧୫୦ ପାର୍ କରାଇଥିଲେ। ଏହାପରେ ୧୭ତମ ଓଭରରେ ଲକି ଫର୍ଗୁସନଙ୍କୁ ପ୍ରହାର କରି ମାତ୍ର ୨୯ ବଲ୍‌ରେ ଚଳିତ ସିଜିନ୍‌ର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଭେଙ୍କଟେଶ ୪୦ ବଲ୍‌ରେ ୮ଟି ଚୌକା ଓ ୪ଟି ଛକା ସହ ୭୩ ରନ୍ କରି ନଟ୍ ଆଉଟ୍ ରହିଥିଲେ।

ଶେଷ ଆଡ଼କୁ ଟିମ୍ ଡେଭିଡ୍ ମଧ୍ୟ ମାତ୍ର ୧୨ ବଲ୍‌ରୁ ୨୮ ରନ୍‌ର ଏକ ଦ୍ରୁତ ପାଳି ଖେଳି ଦଳୀୟ ସ୍କୋରକୁ ୨୦୦ ପାର୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଫଳରେ ଆରସିବି ପଞ୍ଜାବ କିଙ୍ଗସ ସାମ୍ନାରେ ଏକ ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

Leave a comment