ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍‌କୁ ନେଇ ଦେଖାଦେଇଥିବା ଚାହିଦା ସାରା ଦେଶରେ ସର୍ବାଧିକ,ତେଲ ବିକ୍ରିରେ ୩୭ ପ୍ରତିଶତ ବୃଦ୍ଧି

ଗତ ଦୁଇଦିନ ମଧ୍ୟରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍‌କୁ ନେଇ ଦେଖାଦେଇଥିବା ଚାହିଦା ସାରା ଦେଶରେ ସର୍ବାଧିକ। ଅନ୍ୟ କୌଣସି ରାଜ୍ୟରେ ତେଲକୁ ନେଇ ଏଭଳି ସ୍ଥିତି ନାହିଁ। ଏହି ଦୁଇ ଦିନରେ ତେଲ ବିକ୍ରିରେ ୩୭ ପ୍ରତିଶତ ବୃଦ୍ଧି ହୋଇଛି। ସାଧାରଣ ଦିନଗୁଡ଼ିକରେ ରାଜ୍ୟରେ ୪୦୦୦ କିଲୋଲିଟର ପେଟ୍ରୋଲ ଓ ୧୧ ହଜାର କିଲୋଲିଟର ଡିଜେଲ ବିକ୍ରି ହୋଇଥାଏ। କିନ୍ତୁ ଏହି ଦୁଇ ଦିନରେ ଦୈନିକ ୫୫୦୦ କିଲୋଲିଟର ପେଟ୍ରୋଲ ଓ ୧୩୦୦୦ କିଲୋଲିଟରରୁ ଅଧିକ ଡିଜେଲ ବିକ୍ରି ହୋଇଛି ବୋଲି ଇଣ୍ଡିଆନ ଅଏଲ୍‌ର ସିଜିଏମ୍‌ କମଲ ସିଲ କହିଛନ୍ତି।

ରାଜ୍ୟର ତୈଳ ଓ ଗ୍ୟାସ୍‌ ସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟରେ ଥିବା ୨୮୦୦ରୁ ଅଧିକ ପେଟ୍ରୋଲ ପମ୍ପ୍‌ରୁ ଏକ ତୃତୀୟାଂଶ ଟାଙ୍କିରେ ପ୍ରବଳ ଭିଡ଼ ରହୁଛି। ବିଶେଷ କରି ଖଣି ଖାଦାନ ଥିବା ଜିଲ୍ଲାଗୁଡ଼ିକ‌ରେ ତେଲ ଚାହିଦା ବଢ଼ିଛି। ରାଜ୍ୟରେ ତେଲର କୌଣସି ଅଭାବ ନାହିଁ। ସବୁ କମ୍ପାନି ପାଖରେ ପର୍ଯ୍ୟାପ୍ତ ତେଲ ଅଛି। ଅଧିକ ତେଲ କିଣିବା ଓ ତେଲ ପାଇଁ ରାସ୍ତାରେ ଧାଡ଼ିରେ ଠିଆ ହେବାରୁ ଲୋକମାନେ ବିରତ ରହିବା ଉଚିତ। ସବୁ ଟାଙ୍କିରେ ତେଲ ଅଛି। ଅଗ୍ରାଧିକାର ଭିତ୍ତିରେ ଟାଙ୍କିଗୁଡ଼ିକୁ ତେଲ ଯୋଗାଇ ଦିଆଯାଉଛି। କେଉଁ ଟାଙ୍କିରେ କେତେ ତେଲ ରହିଛି ତାକୁ ବାସ୍ତବ ସମୟରେ ନିରୀକ୍ଷଣ କରାଯାଉଛି। ତେଲ ଶେଷ ହୋଇଆସୁଥିବା ଟାଙ୍କିକୁ ଶୀଘ୍ର ଟ୍ୟାଙ୍କର ପଠାଇବାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି। ତେଲ ସ୍ଥିତି ସମ୍ପର୍କରେ ପ୍ରତିଦିନ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ତଥ୍ୟ ପ୍ରଦାନ କରାଯାଉଥିବା ସେ କହିଛନ୍ତି।

ସେ କହିଥିଲେ ଯେ ରାଜ୍ୟରେ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେ‌ଟ୍ରୋଲିୟମର ଆଠଟି ତେଲ ଯୋଗାଣ ସ୍ଥାନ ରହିଛି। ସେଥିରେ ୧୦-୧୨ ଦିନର ତେଲ ମହଜୁଦ ରହିଛି। ସେହି କେନ୍ଦ୍ରଗୁଡ଼ିକ ସିଧାସଳଖ ପାରାଦୀପ ତୈଳ ବିଶୋଧନାଗାର ସହ ଯୋଡ଼ିହୋଇ ରହିଛି।  ପାଇପ୍‌ ଜରିଆରେ ସେହି ସବୁ ସ୍ଥାନରେ ନିରନ୍ତର ତେଲ ପହଞ୍ଚୁଛି। ଯୋଗାଣ କେନ୍ଦ୍ରଗୁଡ଼ିକରୁ ବିଭିନ୍ନ ଟାଙ୍କିକୁ ତେଲ ପଠାଯାଉଛି। ସ୍ଥିତି ଉପରେ ତେଲ କମ୍ପାନିଗୁଡ଼ିକ ତୀକ୍ଷ୍‌ଣ ନଜର ରଖିଛନ୍ତି। ପେଟ୍ରୋଲ ପମ୍ପଗୁଡ଼ିକୁ ଚାରି ଦିନର ପେଟ୍ରୋଲ ଓ ତିନି ଦିନର ଡିଜେଲ ଦିଆଯାଉଛି। ଓଡ଼ିଶାରେ  ବିଶୋଧନାଗାର ଥିବାରୁ ଏଠାରେ ତେଲର  ଅଭାବ ଦେଖାଦେବ ନାହିଁ ବୋଲି ତୈଳ କମ୍ପାନିଗୁଡ଼ିକ କହିଛନ୍ତି। ପାରାଦୀପ ବିଶୋଧନାଗାରରୁ ଅନ୍ୟ ରାଜ୍ୟକୁ ମଧ୍ୟ ତେଲ ଯୋଗାଇ ଦିଆଯାଉଛି ବୋଲି ସେମାନେ କହିଛନ୍ତି।

 

Leave a comment