ଆଇପିଏଲ୍‌ର ୫୭ତମ ମ୍ୟାଚ୍‌: କୋଲକାତା ଦେଇଥିବା ୧୯୩ ରନ୍‌ର ଲକ୍ଷ୍ୟକୁ କୋହଲିଙ୍କ ଯାଦୁଗରୀ ଶତକ ବଳରେ ଆର୍‌ସିବି ୫ ବଲ୍‌ ପୂର୍ବରୁ ହାସଲ କରି ନେଇଥିଲା

କିଂବଦନ୍ତି କୋହଲି ପୁଣି ଥରେ କମାଲ କରିଛନ୍ତି। ଚଳିତ ଆଇପିଏଲ୍‌ର ୫୭ତମ ମ୍ୟାଚ୍‌ରେ ଜବରଦସ୍ତ ବ୍ୟାଟିଂ କରି ଶତକୀୟ ପାଳି ଖେଳିବା ସହ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁ (ଆର୍‌ସିବି)କୁ ପୁଣି ଥରେ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନକୁ ଫେରାଇ ଆଣିଛନ୍ତି। ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ ଦେଇଥିବା ୧୯୩ ରନ୍‌ର ଲକ୍ଷ୍ୟକୁ କୋହଲିଙ୍କ ଯାଦୁଗରୀ ଶତକ ବଳରେ ଆର୍‌ସିବି ୫ ବଲ୍‌ ପୂର୍ବରୁ ହାସଲ କରି ନେଇଥିଲା। କୋହଲି ୬୦ ବଲ୍‌ରୁ ୩ ଛକା ଓ ୧୧ ଚୌକା ବଳରେ ୧୦୫ ରନ୍‌ କରି ଅପରାଜିତ ଭାବେ ପ୍ୟାଭିଲିୟନ ଫେରିବା ଆର୍‌ସିବି ପ୍ରଶଂସକଙ୍କୁ ଅଧିକ ଉଲ୍ଲସିତ କରିଥିଲା। ସେ ମଧ୍ୟ ବ୍ୟକ୍ତିଗତ ଭାବେ ନିଜ ‘ଚେଜ୍‌ ମାଷ୍ଟର୍‌’ ଉପାଧୀର ସମ୍ମାନ ଆହୁରି ବଢ଼ାଇ ଦେଇଥିଲେ। ଆର୍‌ସିବି ଦ୍ବାଦଶ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ପାଇ ଦ୍ବିତୀୟରୁ ପ୍ରଥମକୁ ଉଠିଥିଲା। ଅନ୍ୟପକ୍ଷରେ କୋଲକାତା ଦଶମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରି ବିଦାୟ ନେବାର ଦ୍ବାର ଦେଶରେ ପହଞ୍ଚି ଯାଇଥିଲା‌।

ଆର୍‌ସିବି ଆଜି ଟସ୍‌ ଜିତି କୋଲକାତା ନାଇଟ୍‌ ରାଇଡର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କୋଲକାତାର ଅଭିଜ୍ଞ ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ବିସ୍ଫୋରକ ଓପନର୍‌ ଫିନ୍‌ ଆଲେନ୍‌ଙ୍କୁ ୨୮ ରନ୍‌ରେ ଆଉଟ୍‌ କରି ଆର୍‌ସିବି ମଧ୍ୟ ପ୍ରତିପକ୍ଷ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା। ତେବେ ଅଙ୍ଗକ୍ରିସ୍‌ ରଘୁବଂଶୀଙ୍କ ଅର୍ଦ୍ଧଶତକ ସହ ଶେଷ ଆଡ଼କୁ ରିଙ୍କୁ ସିଂହଙ୍କ ଧୂଆଁଧାର ୪୯* ରନ୍‌ ବଳରେ କୋଲକାତା ୪ ୱିକେଟ୍‌ ବିନିମୟରେ ୧୯୨ ରନ୍‌ କରି ନେଇଥିଲା। ଏହି ଦଳର ଦାମୀ ଅଲରାଉଣ୍ଡର୍‌ କ୍ୟାମରନ୍‌ ଗ୍ରୀନ୍‌ ମଧ୍ୟ ୩୨ ରନ୍‌ର ମହତ୍ତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ଚମତ୍କାର ବ୍ୟାଟିଂ କରୁଥିବା ରିଙ୍କୁ ଅପରାଜିତ ରହିଥିଲେ ବି ମାତ୍ର ୧ ରନ୍‌ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ସଂକ୍ଷିପ୍ତ ସ୍କୋର୍‌: କୋଲକାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ-୧୯୨/୪ (ଅଙ୍ଗକ୍ରିସ୍‌ ରଘୁବଂଶୀ ୭୧, ରିଙ୍କୁ ସିଂହ ୪୯*, କ୍ୟାମରନ୍‌ ଗ୍ରୀନ୍‌ ୩୨, ଭୁବନେଶ୍ବର କୁମାର ୧/୩୪, ଜୋସ୍‌ ହାଜେଲଉଡ୍‌ ୧/୩୫, ରସିଖ ସଲାମ ୧/୩୫)। ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ ୧୯.୧ ଓଭରରେ-୧୯୪/୪ ( ବିରାଟ କୋହଲି ୧୦୫*, ଦେବଦତ୍ତ ପଡ଼ିକଲ ୩୯, କାର୍ତ୍ତିକ ତ୍ୟାଗି ୩/୩୨)।

Leave a comment