ୟୁକ୍ରେନ ଉପରେ ଋଷିଆ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଡ୍ରୋନ ଆକ୍ରମଣ,ଏକକାଳୀନ ୮୦୦ରୁ ଅଧିକ ଡ୍ରୋନ ମାଡ଼
ୟୁକ୍ରେନ ଉପରେ ଋଷିଆ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଡ୍ରୋନ ଆକ୍ରମଣ କରିଛି। ୨୦ଟି ଅଞ୍ଚଳ ଉପରକୁ ଋଷିଆ ଏକକାଳୀନ ୮୦୦ରୁ ଅଧିକ ଡ୍ରୋନ ମାଡ଼ କରିଛି। ଫଳରେ ରାଜଧାନୀ କିଭ ସମେତ ପଶ୍ଚିମ ସହର ଲିଭ୍, ବ୍ଲାକ୍ ସି ପୋର୍ଟ ସିଟି ଓଡେଶା ଆଦି ସହର ଗୁରୁତର ପ୍ରଭାବିତ ହୋଇଛି। ଅଧିକାରୀଙ୍କ ଅନୁସାରେ ଏହି ସବୁ ଡ୍ରୋନ ଆକ୍ରମଣରେ ଅନୁନ୍ୟ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପିଲାଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି।ଋଷିଆର ଏହି ଡ୍ରୋନ ଆକ୍ରମଣ ଯୋଗୁ ଅନେକ ଭବନ ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।
ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମୀର ଜେଲେଂସ୍କି ଏହାକୁ ଗତ ୪ ବର୍ଷର ଯୁଦ୍ଧରେ ସବୁଠୁ ବଡ଼ ଓ ଘାତକ ଆକ୍ରମଣ ବୋଲି କହିଛନ୍ତି। ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଉପରେ ଚାପ ପକାଇବା ଓ ସେଗୁଡିକୁ ନଷ୍ଟ କରିବା ଋଷିଆର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜେଲେଂସ୍କି କହିଛନ୍ତି। ଏହି ଆକ୍ରମଣ ପରେ ଋଷିଆ କ୍ରୁଜ ଓ ବାଲେଷ୍ଟିକ୍ ମିଜାଇଲ ଆକ୍ରମଣ କରିପାରେ ବୋଲି ଜେଲେଂସ୍କି ଆଶଙ୍କା କରିଛନ୍ତି। ଋଷିଆର ଏହି ଆକ୍ରମଣ ପଡୋଶୀ ଦେଶଙ୍କୁ ମଧ୍ୟ ଦେଖା ଯାଇଛି। ସୀମା ନିକଟରେ ଡ୍ରୋନ ଗତିବିଦ୍ଧିକୁ ଦେଖି ହଙ୍ଗେରୀ ପ୍ରଧାନମନ୍ତ୍ରୀ ପିଟର ମ୍ୟାଗ୍ୟାର ଋଷୀୟ ରାଜଦୂତଙ୍କୁ ତଲବ କରିଥିବା ବେଳେ ମସ୍କୋର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି।
ଅନେକ ଡ୍ରୋନକୁ କିଭ୍ ରେ ଖସାଇଦିଆଯାଇଛି। ଏହି ଡ୍ରୋନ ଆକ୍ରମଣ ଯୋଗୁ ପଶ୍ଚିମ ରିଭନେ କ୍ଷେତ୍ରରେ ୩ ଜଣଙ୍କ ମୃତ୍ୟୁ ପୁଷ୍ଟି ହୋଇଛି। ଲଗତାର ବଢୁଥିବା ଆକ୍ରମଣ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ଋଷିଆର କାର୍ଯ୍ୟାନୁଷ୍ଠାନରେ ବିଶ୍ୱର ନିରବତା ମସ୍କୋକୁ ଅଧିକ ଆକ୍ରାମକ କରୁଛି। ଏଥି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଯୁଦ୍ଧ ସମାପ୍ତି ନିକଟତର ହେଉଥିବା ସଂକେତ ଦେଇଛନ୍ତି। ତେବେ ଉଭୟ ନେତା ଏହା ପଛର ସ୍ପଷ୍ଟ ଉଦ୍ଦେଶ୍ୟ ଜଣାଇ ନାହାନ୍ତି।
କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଋଷିଆର ଇଛା ଦୋହରାଇଛନ୍ତି। କହିଛନ୍ତି ଡୋନେଟସ୍କ, ଲୁହାନସ୍କ, ଖେରସନ ଓ ଜାପୋରଜିଆ କ୍ଷେତ୍ରରୁ ୟୁକ୍ରେନ ତା ସେନା ହଟାଇ ନେଉ। ତେବେ ୟୁକ୍ରେନ ସ୍ପଷ୍ଟ କହିଛି ଯେ ସେ ଋଷିଆ ଉପରେ ଚାପ ହ୍ରାସ କରିବନି। ଗତ ମାସ ମାନଙ୍କରେ ୟୁକ୍ରେନ ମଧ୍ୟ ଦୀର୍ଘ ଦୂରଗାମୀ ଡ୍ରୋନ ଉପଯୋଗ କରି ଋଷିଆର ତୈଳ ଓ ସାମରିକ ଘାଟିକୁ ଟାର୍ଗେଟ କରିଥିଲା। ଏଣୁ ଯୁଦ୍ଧ ଏବେ ବିପଦଜନକ ମୋଡରେ ପହଞ୍ଚି ଯାଇଛି।