ମେ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ୫ ଦେଶ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱୀଡେନ,ନରୱେ ଏବଂ ଇଟାଲୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ୫ ଦେଶ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱୀଡେନ,ନରୱେ ଏବଂ ଇଟାଲୀ ଗସ୍ତରେ ରହିବେ। ବିଦେଶ ମନ୍ତ୍ରାଳୟ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରା ବିଶେଷ କରି ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବାର୍ତ୍ତା ପରିପ୍ରେକ୍ଷୀରେ ଭାରତ ନିମନ୍ତେ ସାମରିକ ଓ ବାଣିଜ୍ୟିକ ଦୃଷ୍ଟିରୁ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ଗଲଫ କ୍ଷେତ୍ରରେ ଇନ୍ଧନ ସୁରକ୍ଷା ଓ ୟୁରୋପ ସହିତ ଅତ୍ୟାଧୁନିକ ଟେକ୍ନୋଲଜି, ନିବେଶ ଓ ଗ୍ରୀନ ଏନର୍ଜୀ ଭଳି କ୍ଷେତ୍ରରେ ସହଯୋଗକୁ ନୂଆ ଉଚ୍ଚତା ପ୍ରଦାନ କରିବା ହେବ।

ପ୍ରଥମେ ପହଞ୍ଚିବେ ୟୁଏଇ
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଯାତ୍ରା ମେ ୧୫ରେ ୟୁଏଇ ଗସ୍ତ ସହ ଆରମ୍ଭ ହେବ। ସେଠାରେ ସେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନଙ୍କୁ ଭେଟି ଦ୍ୱିପାକ୍ଷୀୟ ସମ୍ପର୍କ ଓ ଆଞ୍ଚଳିକ ପ୍ରସଙ୍ଗରେ ଚର୍ଚ୍ଚା କରିବେ। ୟୁଏଇରେ ବସବାସ କରୁଥିବା ୪୫ ଲକ୍ଷରୁ ଅଧିକ ଭାରତୀୟଙ୍କ ଉପସ୍ଥିତି ଏହି କ୍ଷେତ୍ର ସହ ସମ୍ପର୍କକୁ ଆହୁରି ଖାସ କରୁଛି। ଦୁଇ ଦେଶଙ୍କ ମଧ୍ୟରେ ଇନ୍ଧନ ସହଯୋଗ ଓ ବାଣିଜ୍ୟ ଅଭିବୃଦ୍ଧି ଉପରେ ଜୋର ଦିଆଯିବ।

ନିବେଶ ଆମନ୍ତ୍ରଣ ଲାଗି ଯିବେ ନେଦରଲ୍ୟାଣ୍ଡ
ମେ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡରେ ରହିବେ। ୨୦୧୭ ମସିହା ପରେ ମୋଦିଙ୍କ ଏହା ଦ୍ୱିତୀୟ ନେଦରଲ୍ୟାଣ୍ଡ ଗସ୍ତ। ଏଠାରେ ମୋଦି ଡଚ୍ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତା କରିବେ ଓ ସେଠାକାର ରାଜା ୱିଲିୟନ ଆଲେକଜାଣ୍ଡାର ଓ ରାଣୀ ମ୍ୟାକ୍ସିମାଙ୍କୁ ମଧ୍ୟ ଭେଟିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ନେଦରଲ୍ୟାଣ୍ଡର ଟପ ବିଜନେସ୍ ଲିଡରଙ୍କୁ ଭାରତରେ ନିବେଶ ଲାଗି ଆକର୍ଷିତ କରିବା ଓ ସେଠାକାର ଭାରତୀୟ ସମୂଦାୟଙ୍କୁ ସମ୍ବୋଧିତ କରିବେ।

ସ୍ୱିଡେନ ଓ ନରୱେ ଯାତ୍ରା କାଳରେ ନର୍ଡିକ୍ ଶିଖର ସମ୍ମିଳନୀରେ ଯୋଗ ଦେବେ
ପ୍ରଧାନମନ୍ତ୍ରୀ ସ୍ୱିଡେନ ଓ ନରୱେ ଯାତ୍ରା କାଳରେ ତୃତୀୟ ଭାରତ-ନର୍ଡିକ୍ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀର କେନ୍ଦ୍ରବିନ୍ଦୁ ବାଣିଜ୍ୟ, ନିବେଶ ଓ ଇନୋଭେସନ ହେବ। ନର୍ଡିକ ଦେଶ ସେମାନଙ୍କ ଜ୍ଞାନକୌଶଳ ଓ ପରିବେଶ ଅନୁକୂଳ ସମାଧାନ ଲାଗି ବେଶ୍ ପ୍ରସିଦ୍ଧ। ଭାରତ ଏହି ଦେଶଙ୍କ ସହ ମିଶି ଜଳବାୟୁ ପରିବର୍ତ୍ତନ ଓ ନୂଆ ଏନର୍ଜୀ କ୍ଷେତ୍ରରେ ବଡ଼ ବୁଝାମଣାର ଆଶା ରଖୁଛି।

ଶେଷରେ ପହଞ୍ଚିବେ ଇଟାଲୀ
ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଇଟାଲୀ ପହଞ୍ଚିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରା ଏପରି ସମୟରେ ହେଉଛି ଯେତେବେଳେ ଭାରତ ଓ ୟୁରୋପୀୟ ସଂଘ ନିଜର ମୁକ୍ତ ବାଣିଜ୍ୟ ବୁଝାମଣା (ଏଫଟିଏ)କୁ ଚୂଡ଼ାନ୍ତ ରୂପ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଇଟାଲୀୟ ନେତୃତ୍ୱଙ୍କ ସହ ମିଶି ଏହି ବୁଝାମଣାକୁ ଲାଗୁ କରିବା ଓ ଆର୍ଥିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଚର୍ଚ୍ଚା କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନା କେବଳ ଦ୍ୱିପାକ୍ଷୀୟ ସମ୍ପର୍କକୁ ମଜଭୁତ କରିବ ବରଂ ପୁରା ୟୁରୋପରେ ଭାରତୀୟ ଉତ୍ପାଦ ଓ ସେବା ଲାଗି ନୂଆ ଦ୍ୱାର ଖୋଲିବ।

Leave a comment