ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନା ନ କିଣିବାକୁ ଲୋକଙ୍କୁ ନିବେଦନ କରିବା ସତ୍ତ୍ୱେ ବୃଦ୍ଧି ପାଇଛି ସୁନା ଓ ରୁପା ମୂଲ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନା ନ କିଣିବାକୁ ଲୋକଙ୍କୁ ନିବେଦନ କରିବା ସତ୍ତ୍ୱେ, ଆଜି, ମେ ୧୨ ତାରିଖରେ ସୁନା ଓ ରୁପା ମୂଲ୍ୟ ବୃଦ୍ଧି ପାଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ,ଏକ କିଲୋଗ୍ରାମ ରୁପାର ମୂଲ୍ୟ ₹୧୧,୬୨୦ ବୃଦ୍ଧି ପାଇ ₹୨୬୭,୮୨୦ ଟଙ୍କା ହୋଇଛି। ପୂର୍ବରୁ, ସୋମବାର ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ₹୨.୫୬ ଲକ୍ଷ ଥିଲା। ସେହିପରି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟରେ ୧,୫୯୨ ଟଙ୍କା ବୃଦ୍ଧି ପାଇ ₹୧,୫୧,୯୫୪ ରେ ପହଞ୍ଚିଛି। ଯାହା ମେ ୧୧ ତାରିଖରେ ₹୧,୫୦,୩୬୨ ଥିଲା। ଗୋଲ୍ଡ ରିଟର୍ଣ୍ଣର ସୂଚନା ଅନୁସାରେ ବର୍ତ୍ତମାନ ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦର ୧ ଲକ୍ଷ ୧ ହଜାର ୧୫୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ଦର ଭରି ଦାମ ୧ ଲକ୍ଷ ୫୩ ହଜାର ୧୯୦ ଟଙ୍କାରେ ପହଞ୍ଚିଛି।

ଚଳିତ ବର୍ଷ ସୁନା ୧୮ ହଜାର ଟଙ୍କା ଏବଂରୁପା ୩୭ ହଜାର ଟଙ୍କା ମହଙ୍ଗା

ଚଳିତ ବର୍ଷ, ସୁନା ଏବଂ ରୁପାର ମୂଲ୍ୟରେ ନିୟମିତ ପରିବର୍ତ୍ତନ ହେଉଛି। ୨୦୨୬ ମସିହାରେ ଏପର୍ଯ୍ୟନ୍ତ ସୁନା ୧୮,୭୫୫ ଟଙ୍କା ଏବଂ ରୁପା ୩୭,୪୦୦ ଟଙ୍କା ବୃଦ୍ଧି ପାଇଛି। ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ସୁନାର ମୂଲ୍ୟ ୧.୩୩ ଲକ୍ଷ ଟଙ୍କା ଥିଲା, ଯାହା ଏବେ ୧.୫୨ ଲକ୍ଷ ଟଙ୍କାରେ ପହଞ୍ଚିଛି।ଏହି ଅବଧି ମଧ୍ୟରେ ରୁପା ମୂଲ୍ୟରେ ମଧ୍ୟ ଜବରଦସ୍ତ ବୃଦ୍ଧି ଘଟିଛି। ଗତବର୍ଷ ଡିସେମ୍ବର ୩୧ ତାରିଖରେ ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୨.୩୦ ଲକ୍ଷ ଟଙ୍କା ଥିଲା, ଏବେ ଏହା ୨.୬୮ ଲକ୍ଷ ଟଙ୍କାରେ ପହଞ୍ଚିଛି। ତେବେ ଚଳିତ ବର୍ଷ ଜାନୁଆରୀ ମାସରେ ସୁନା ଓ ରୁପା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଜାନୁଆରୀ ୨୯ ତାରିଖରେ ସୁନା ₹୧.୭୬ ଲକ୍ଷ ଏବଂ ରୁପା ₹୩.୮୬ ଲକ୍ଷର ସର୍ବକାଳୀନ ସର୍ବାଧିକ ମୂଲ୍ୟ ହାସଲ କରିଥିଲା।

ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (୧୦ ମେ,୨୦୨୬) ସମସ୍ତ ଭାରତୀୟ ନାଗରିକଙ୍କୁ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ କମ୍ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ତା’ ସହିତ ବର୍ଷକ ପାଇଁ ସୁନା ନ କଣିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ। ପିଏମ୍ କହିଥିଲେ ଯେ ଦିନ ଥିଲା ଦେଶ ହିତ ପାଇଁ ଲୋକେ ସୁନା ଦାନ କରୁଥିଲେ। ହେଲେ ଏବେ ସମୟ ଆସିଛି ସୁନା ଦାନ କରିବାର ନୁହେଁ, ସୁନା ନ କିଣିବାର।

ଯେହେତୁ ଭାରତ ସୁନା ବିଦେଶରୁ ଆମଦାନୀ କରୁଛି, ତେଣୁ ଅଧିକ ସୁନା ଆମଦାନୀ କରିବା ଦ୍ୱାରା ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ୁଛି। ମିଡିଆ ରିପୋର୍ଟ ଅନୁସାରେ, ଆର୍ଥିକ ବର୍ଷ ୨୦୨୫ ରେ ସୁନା ଆମଦାନୀ ୫୮ ବିଲିୟନ ଡଲାରରୁ ବୃଦ୍ଧି ପାଇ ୨୦୨୬ ରେ ୭୨ ବିଲିୟନ ଡଲାର ହୋଇଛି। ତେଣୁ ବର୍ଷକ ପାଇ ସୁନା ନ କିଣିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେହିଭଳି ପେଟ୍ରୋଲ, ଡିଜେଲ ଓ ସାର ଆଦିର କମ ବ୍ୟବହାର କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି।

Leave a comment