ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା
ଆସାମରେ ହିମନ୍ତ ସରକାରର ଶପଥ ଗ୍ରହଣ ସମାରୋହ । ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହିମନ୍ତ ବିଶ୍ବଶର୍ମା ।ଆସାମ ରାଜ୍ୟପାଳ ହିମନ୍ତ ଶର୍ମାଙ୍କୁ ପଦ ଓ ଗୋପନୀୟତାରଶପଥ ପାଠ କରାଇଛନ୍ତି । ହିମନ୍ତ ବିଶ୍ୱଶର୍ମା ରାଜ୍ୟର ପ୍ରଥମ ଅଣ-କଂଗ୍ରେସ ନେତା ଯିଏ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଖାନାପଡ଼ା ଭେଟେରେନାରୀ କଲେଜ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି ।
ହିମନ୍ତଙ୍କ ଟିମରେ ୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆସାମରେ ଲଗାତାର ୩ୟ ଥର ପାଇଁ ବିଜେପି ନେତୃତ୍ବାଧୀନ NDA ସରକାର ଗଠନ କରିଛନ୍ତି । ଶପଥ ସମାରୋହରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଅଛନ୍ତି ।
୨୦୨୬ ଆସାମ ବିଧାନସଭା ନିର୍ବାଚନରେ, ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧୀ ଦଳକୁ ପରାସ୍ତ କରି ୧୦୨ ଆସନ ଜିତିଥିଲା। ବିଜେପି ଏକାକୀ ୮୨ ଆସନ ଜିତିଥିଲା। ଯାହା ବହୁମତ ସଂଖ୍ୟାଗରିଷ୍ଠତା ଠାରୁ ବହୁତ ଅଧିକ ଥିଲା। ସହଯୋଗୀ ଦଳ ଏଜିପି ଏବଂ ବିପିଏଫ ମଧ୍ୟ ପ୍ରତ୍ୟେକ ୧୦ ଆସନ ଜିତିଥିଲେ। ସର୍ବାନନ୍ଦ ସୋନୋୱାଲଙ୍କ ନେତୃତ୍ୱରେ ୨୦୧୬ରେ ଆରମ୍ଭ ହୋଇଥିବା ରାଜ୍ୟରେ ଏହା ଏନଡିଏର ଲଗାତାର ତୃତୀୟ ସରକାର। ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ୱ ଶର୍ମାଙ୍କ ପୁନଃନିର୍ବାଚନ ରାଜ୍ୟରେ ବିଜେପିର ବଢ଼ୁଥିବା ପ୍ରଭାବ ଏବଂ ତାଙ୍କ ଦୃଢ଼ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ଅନୁମୋଦନକୁ ପ୍ରତିଫଳିତ କରେ।