ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସର (ଟିଏମସି)ର ଶୋଚନୀୟ ପରାଜୟ ପରେ ମମତା ବାନାର୍ଜୀ ତାଙ୍କର ହାର ସ୍ୱୀକାର କରି ନାହାନ୍ତି, ଏପରିକି ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ମଧ୍ୟ ଦେଇ ନାହାନ୍ତି। ଶନିବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏକ୍ସ ରେ ତାଙ୍କ ପ୍ରୋଫାଇଲରେ ତାଙ୍କୁ ‘ମାନନୀୟ ମୁଖ୍ୟମନ୍ତ୍ରୀ ,ପଶ୍ଚିମବଙ୍ଗ’ ରୂପେ ଦେଖାଯାଇଥିଲା। ତେବେ ସମୟ ବଢିବା ସହିତ ଶୁଭେନ୍ଦୁ ଅଧିକାରୀ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବା ସହ ମମତା ଚୁପଚାପ ତାଙ୍କ ଏକ୍ସ ବାୟୋ ବଦଳାଇ ଦେଇଛନ୍ତି। ଏଥିରେ ସେ ‘ପୂର୍ବ’ ଶବ୍ଦ ପ୍ରୟୋଗ କରିବା ବଦଳେ ନିଜକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (୧୫,୧୬ ଓ ସପ୍ତଦଶ ବିଧାନସଭା) ବୋଲି ସମ୍ବୋଧିତ କରିଛନ୍ତି।
ଏଥିରେ ସେ ନିଜକୁ ତୃଣ ମୂଳ କଂଗ୍ରେସ(ଟିଏମସି)ର ସଂସ୍ଥାପକ ସଭାପତି ଭାବେ ମଧ୍ୟ ଉଲ୍ଲେଖ କରିଛନ୍ତି। ଯାହାକୁ ସେ ୧୯୯୭ ମସିହାରେ କଂଗ୍ରେସର ପୃଥକ ହୋଇ ଗଢିଥିଲେ। ଏହା ପୂର୍ବରୁ ମମତା ବାନାର୍ଜୀ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ମେ ୫ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ‘ସେ ହାରି ନଥିବା ବରଂ ଷଡ଼ଯନ୍ତ୍ର କରି ତାଙ୍କୁ ହରାଇ ଦିଆଯାଇଥିବା’ ଅଭିଯୋଗ କରିଥିଲେ। ଏଣୁ ସେ ଲୋକ ଭବନ ଯାଇ ଇସ୍ତଫା ଦେବେନି କି ତାଙ୍କ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେବନି ବୋଲି ସ୍ପଷ୍ଟ ଘୋଷଣା କରିଥିଲେ।
ସେ ଚେତାବନୀ ଦେଇଥିଲେ ଯେ ‘ମୁଁ ଏବେ ଏକ ମୁକ୍ତ ବିହଙ୍ଗ ଏବେ ଚୌକି ବିନା ଦିଲ୍ଲୀ ବିରୋଧରେ ମୋର ଲଢେଇ ଆରମ୍ଭ ହେବ’। ସେ କହିଥିଲେ ଯେ ମୁଁ ଏବେ ‘ଭାରତ ମେଣ୍ଟ’ କୁ ମଜଭୁତ କରିବି। ମୋର ଏବେ ଚେୟାର ନାହିଁ, ମୁଁ ଜଣେ ସାଧାରଣ ଜନତା। ଏବେ ସେମାନେ ଆଉ କହି ପାରିବେନି ମୁଁ ମୋ ଚେୟାରକୁ ବ୍ୟବହାର କରୁଛି। ମୁଁ ଏକ ମୁକ୍ତ ପକ୍ଷୀ ଓ ମୋର ସମଗ୍ର ଜୀବନକୁ ଲୋକଙ୍କ ସେବା ଲାଗି ଉତ୍ସର୍ଗ କରିଛି। ମୋ ମୁଖ୍ୟମନ୍ତ୍ରୀତ୍ୱର ୧୫ ବର୍ଷରେ ମୁଁ ଟଙ୍କାଟିଏ ବି ଦରମା ନେଇ ନାହିଁ। ମୁଁ ପେନସନ ମଧ୍ୟ ନେବି ନାହିଁ।