୨୦୨୨-୨୩ ଆର୍ଥିକ ବର୍ଷକୁ ନୂଆ ଆଧାର ବର୍ଷ ଭାବେ ବିଚାରକୁ ନିଆଯିବ

ରାଜ୍ୟଗୁଡ଼ିକର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ହିସାବ ପଦ୍ଧତିରେ ପରିବର୍ତ୍ତନ କରାଯାଇଛି। ସେମାନେ ଆଗକୁ ୨୦୨୨-୨୩ ଆର୍ଥିକ ବର୍ଷକୁ ନୂଆ ଆଧାର ବର୍ଷ ଭାବେ ବିଚାରକୁ ନେଇ ନିଜ ଅର୍ଥନୈତିକ ପ୍ରଦର୍ଶନ ମାପିବେ। ଆଜି ପର୍ଯ୍ୟନ୍ତ ସେମାନେ ୨୦୧୧-୧୨ ଆର୍ଥିକ ବର୍ଷକୁ ଆଧାର ବର୍ଷ ଭାବେ ବ୍ୟବହାର କରୁଥିଲେ ଯାହା ବହୁତ ପୁରୁଣା ହୋଇଗଲାଣି। ପୂର୍ବରୁ କେନ୍ଦ୍ର ସରକାର ନିଜ ଜିଡିପି ହିସାବର ଆଧାର ବର୍ଷକୁ ବଦଳାଇସାରିଛନ୍ତି। ରାଜ୍ୟଗୁଡ଼ିକର ହିସାବ ସେହି ଧାରାକୁ ଆଣିବା ପାଇଁ ସେମାନଙ୍କ ଲାଗି ନୂଆ ଆଧାର ବର୍ଷ ଜାରି କରାଯାଇଛି। ଏହା ଦ୍ବାରା ରାଜ୍ୟମାନଙ୍କ ଅର୍ଥନୈତିକ ପ୍ରଦର୍ଶନର ଆହୁରି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ।ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବିଶ୍ବସ୍ତରରେ ପ୍ରଚଳିତ ମାନକ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଜିଡିପି ହିସାବ ପାଇଁ ନୂଆ ଆଧାର ବର୍ଷ ଗ୍ରହଣ କରିବାକୁ ପଡ଼ିବ। ଏହା ଦ୍ବାରା ଆଞ୍ଚଳିକ ଅର୍ଥନୀତିଗୁଡ଼ିକ ମଧ୍ୟରେ ଯୁକ୍ତିସଙ୍ଗତ ତୁଳନା ହୋଇପାରିବ। ନୂଆ ଗାଇଡ୍‌ଲାଇନ୍‌ରେ ଏକ ନିର୍ଦ୍ଦିଷ୍ଟ ପ୍ରକାର ଫ୍ରେମ୍‌ୱର୍କ ଜାରି କରାଯାଇଛି ଯାହାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବ୍ୟବହାର କରିବେ।

ଜିଡିପି ଏକ ସଂଖ୍ୟା ହୋଇଥିଲେ ମଧ୍ୟ ତାହାର ମହତ୍ବ ବେଶ୍‌ ଅଧିକ। ସେହି ତଥ୍ୟକୁ ଅର୍ଥ ମନ୍ତ୍ରଣାଳୟ, ଅର୍ଥ ଆୟୋଗ, ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଓ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକ ପାଣ୍ଠି ଭାଗବଣ୍ଟା କରିବା, ନୀତି ନିର୍ଦ୍ଧାରଣ, ବଜେଟ୍‌ ପ୍ରସ୍ତୁତି, ସମ୍ବଳ ଆବଣ୍ଟନ ଓ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରଦର୍ଶନର ତୁଳନା ପାଇଁ ବ୍ୟବହାର କରାଯାଇଥାଏ। ଯେଉଁ ରାଜ୍ୟର ଜିଡିପି ଅଭିବୃଦ୍ଧି ଯେତେ ଅଧିକ ତାହା ସେତେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବିଚାର କରାଯାଏ। ନିବେଶକମାନେ ମଧ୍ୟ ସେହି ତଥ୍ୟ ଆଧାରରେ ପୁଞ୍ଜିନିବେଶ ନିଷ୍ପତ୍ତି ଗ୍ରହଣ କରିଥାନ୍ତି।

Leave a comment