ଚଳିତ ଆଇପିଏଲ୍‌ର ଫାଇନାଲ୍‌ ମ୍ୟାଚ୍‌ ସ୍ଥାନାନ୍ତର,ଏହାକୁ ନେଇ ବିବାଦ ବଢିବାରେ ଲାଗିଛି, କିଏ କହୁଛି ସତ

ଚଳିତ ଆଇପିଏଲ୍‌ର ଫାଇନାଲ୍‌ ମ୍ୟାଚ୍‌ ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ହେବାର ଥିଲେ ବି ତାହାକୁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ବିବାଦ ବଢିବାରେ ଲାଗିଛି। ଏ ନେଇ ବିସିସିଆଇ ଓ କର୍ଣ୍ଣାଟକ ସରକାର ଭିନ୍ନ ଭିନ୍ନ କାରଣ ଦର୍ଶାଉଛନ୍ତି।ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି ଯେ ଫାଇନାଲ୍‌ ମ୍ୟାଚ୍‌ ନିମନ୍ତେ କର୍ଣ୍ଣାଟକ କ୍ରିକେଟ୍‌ ସଂଘ ପକ୍ଷରୁ ଏତେ ପରିମାଣରେ କମ୍ପ୍ଲିମେଣ୍ଟାରି ଟିକେଟ୍‌ ଦାବିକରାଯାଇଥିଲା ଯେ ତାହାକୁ ଦେଖି ବୋର୍ଡ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଆଇପିଏଲ୍‌ର ନିୟମ ଅନୁସାରେ ଆୟୋଜକ ରାଜ୍ୟ କ୍ରିକେଟ୍‌ ସଂଘକୁ ୧୫ ପ୍ରତିଶତ କପ୍ଲିମେଣ୍ଟାରି ଟିକେଟ୍‌ ଆବଣ୍ଟନ କରାଯାଏ। କିନ୍ତୁ କର୍ଣ୍ଣାଟକ କ୍ରିକେଟ୍‌ ସଂଘ ଧାର୍ଯ୍ୟ ୧୫ ପ୍ରତିଶତ ଛଡ଼ା ଆଉ ପ୍ରାୟ ୧୦ ହଜାର ଟିକେଟ୍‌ ମାଗିଥିଲା। ଏହା ସହିତ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ଅଧିକାରୀଙ୍କ ପାଇଁ ପ୍ରାୟ ୭୦୦ ଭିଆଇପି ପାସ୍‌ ଦାବି କରାଯାଇଥିଲା। ଏହା ପ୍ରଦାନ କରିବା ସମ୍ଭବ ନଥିବାରୁ ମ୍ୟାଚ୍‌ ସ୍ଥାନାନ୍ତର ନିଷ୍ପତ୍ତି ନିଆଯାଇଥିଲା।ଅନ୍ୟପକ୍ଷରେ କର୍ଣ୍ଣାଟକ ଗୃହ ମନ୍ତ୍ରୀ ଜି. ପରମେଶ୍ବର ବିସିସିଆଇର ବୟାନକୁ ଖାରଜ କରି କହିଛନ୍ତି ଯେ ବ୍ୟାବସାୟିକ କାରଣରୁ ମ୍ୟାଚ୍‌ ସ୍ଥାନାନ୍ତର କରାଯାଇଛି। ମନ୍ତ୍ରୀ, ବିଧାୟକଙ୍କ ଦ୍ବାରା ଟିକେଟ୍‌ ଦାବି ଯୋଗୁଁ ମ୍ୟାଚ୍‌ ସ୍ଥାନାନ୍ତରଣ ହୋଇନାହିଁ ବୋଲି ସେ କହିଛନ୍ତି।

Leave a comment