‘ଅପରେସନ ସିନ୍ଦୂର’କୁ ପୂରିଲା ବର୍ଷେ ,ପହଲଗାମରେ ଧର୍ମ ପଚାରି ୨୭ ନିରୀହଙ୍କ ଜୀବନ ନେଇଥିଲେ ପାକିସ୍ତାନୀ ଆତଙ୍କୀ
ପହଲଗାମରେ ପାକିସ୍ତାନୀ ଆତଙ୍କା ଧର୍ମ ପଚାରି ୨୭ ନିରୀହଙ୍କ ଜୀବନ ନେଲେ। କାଶ୍ମୀରରୁ କନ୍ୟାକୁମାରୀ ଯାଏ ସମସ୍ତେ ସ୍ତବ୍ଧ ହୋଇଗଲେ । କ୍ରୋଧରେ ଜଳିଲେ ବି । ଗଲାବର୍ଷ ଏପ୍ରିଲ ୨୨ରେ ପାକ୍ ଆତଙ୍କା ଦେଇଥିବା ଏହି କ୍ଷତର ଜବାବ ଭୀଷଣ ହୋଇଥିଲା । ଭାରତୀୟ ସେନା ଯୋଜନାବଦ୍ଧ ଭାବେ ମେ ୭ରେ ପାକିସ୍ତାନ ଭିତରେ ପଶି ଆତଙ୍କା ଶିବିରଗୁଡ଼ିକୁ ମିସାଇଲ ମାଡ଼ କରି ଛାରଖାର କରିଦେଲେ । ଏହି ପ୍ରତିଶୋଧ ଅଭିଯାନର ନାଁ ରହିଥିଲା ‘ଅପରେସନ ସିନ୍ଦୂର’।
ଅପରେସନ ସିନ୍ଦୂର’କୁ ଗୁରୁବାର ବର୍ଷେ ପୂରୁଛି। ପାକିସ୍ତାନ ଏହି ଅପରେସନକୁ ଆଦୌ ଭୁଲିପାରିବ ନାହିଁ । ଭାରତୀୟ ସେନାର ପ୍ରଚଣ୍ଡ ମିସାଇଲ ଓ ବୋମାବର୍ଷାରେ ଅଣନିଃଶ୍ଵାସୀ ହୋଇପଡ଼ିଥିଲା ପାକିସ୍ତାନ। ସାହସ ଜୁଟାଇ ପାଲଟା ଆକ୍ରମଣ କଲା ସତ । କିନ୍ତୁ ଦ୍ଵିତୀୟ ଦଫାରେ ଅପରେସନ ସିନ୍ଦୂର ଆହୁରି ଭୟଙ୍କର ରୂପ ନେଲା । ପାକିସ୍ତାନ ଭିତରେ ପୁଣି ପଶି ପରାକ୍ରମୀ ଭାରତୀୟ ସୈନ୍ୟ ସେଠାକାର ବସ୍ତୁସେନା ଘଟିଗୁଡ଼ିକୁ ଛାରଖାର କରିଦେଲେ। ଶେଷରେ ନେହୁରା ହୋଇ ଯୁଦ୍ଧବିରତି କରାଇଥିଲା ପାକିସ୍ତାନ । ଶାନ୍ତିପ୍ରିୟ ଭାରତ ନିଜ ପ୍ରତିଶୋଧ ନେବା ପରେ ଶାତ ପଡ଼ିଥିଲା। ‘ଅପରେସନ ସିନ୍ଦୂର’କୁ ବର୍ଷେ ପୂରିଥିବା ବେଳେ ବର୍ତ୍ତମାନ ନିୟନ୍ତ୍ରଣରେଖା (ଏଲ୍ ଓସି) ନିକଟସ୍ଥ ଗ୍ରାମଗୁଡ଼ିକରେ ଜୀବନଯାତ୍ରା ସ୍ବାଭାବିକ ହୋଇଛି। କ୍ଷତ ମଧ୍ୟରେ ଶାନ୍ତିର ନୂଆ ସକାଳ ଆସିଛି। କାରବାର ଟ୍ରାକକୁ ଫେରିଛି। ସୀମା ନିକଟରେ ଥିବା ଚରୁଣ୍ଡା, ସିଲିକୋଟ, ସଲାମାବାଦ, ଗିଙ୍ଗଲ, ଲଗମା, ତିଲୱରୀ, ବାଇକୋଟ, ନାମଳା ଏବଂ ହଥଲଙ୍ଗା ଭଳି ଗ୍ରାମରେ ଜୀବନଯାତ୍ରା ସ୍ୱାଭାବିକ୍ ହୋଇଛି। ଲୋକେ ଶାନ୍ତିରେ ନିଃଶ୍ୱାସ ମାରୁଛନ୍ତି । ଚାଷଜମିରେ ପୁଣି ସବୁଳିମା ଲହଡ଼ି ଭାଙ୍ଗୁଛି। ପିଲାମାନେ ହସଖୁସିରେ ସ୍କୁଲ ଯଉଛନ୍ତି I ଛୋଟ କାରବାର ପୁଣି ପସରା ମେଲାଇଛି।
ପାକ୍ ସହ ସଙ୍ଘର୍ଷ ବେଳେ ଏ ସବୁ ସ୍ୱପ୍ନ ପାଲଟିଥିଲା। ଜୀବନ ସ୍ୱାଭାବିକ ହେବ କି ନାହିଁ, ତାହା ଭାବି ଗ୍ରାମାଞ୍ଚଳ ଲୋକେ ପ୍ରମାଦ ଗଣିଥିଲେ। କିନ୍ତୁ ‘ଅପରେସନ ସିନ୍ଦୂର’ର ପ୍ରଚଣ୍ଡ ଜବାବ ସବୁ ଚିନ୍ତା ଦୂର କରିଦେଇଛି। ସ୍ଥାୟୀ ଶାନ୍ତି ପାଇଁ ସମରିକ ଅଭିଯାନ ଯେ ଜରୁରି ତାହା ଅପରେସନ ସିନ୍ଦୂରରେ ଦେଖିବାକୁ ମିଳିଥିଲା। ‘ଅପରେସନ ସିନ୍ଦୂର’ ବେଳେ ଗୁଳିଗୋଳା ମାଡ଼ ହୋଇଥିଲା। ଏହି ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ଏବଂ ଡଜନେତୁ ଅଧିକ ଆହତ ହୋଇଥିଲେ । ଚରୁଣ୍ଡାରେ ପ୍ରାୟ ୨୫ ଏବଂ ସିଲିକୋଟରେ ୩୫ ଘର କ୍ଷତିଗ୍ରସ୍ତ ହୋଇଥିଲା । ୨୦୨୫ ମେ ୮ରେ ସଲାମାବାଦରେ ହୋଇଥିବା ମୋର୍ଟାର ଆକ୍ରମଣ ଯୋଗୁ ଅନେକ ଘର ଧ୍ୱଂସ ହୋଇଯାଇଥିଲା । ଗିଙ୍ଗଲ ଓ ଲଗାମାରେ ବି ବହୁ କ୍ଷତି ହୋଇଥିଲା। ମୋଟ ୧୦୦ରୁ ଅଧିକ ଘର ଗୁଳିଗୋଳା ମାଡ଼ ଯୋଗୁ ପ୍ରଭାବିତ ହୋଇଥିଲା ।
ଏବେ ବଙ୍କର ନିର୍ମାଣ ପାଇଁ ଲୋକମାନେ ଦାବି କରୁଛନ୍ତି। ସିଲିକୋଟର ବିଶରତ ଅହମ୍ମଦ ଏବଂ ହଥଲଙ୍ଗାର ଫାରୁକ ଅହମ୍ମଦ କୁହନ୍ତି, ଅନେକ ଗ୍ରାମରେ ଏପର୍ଯ୍ୟନ୍ତ ସାମୁଦାୟିକ ବଙ୍କର ନିର୍ମାଣ ହୋଇନାହିଁ । ଏଠାରେ କେତେବେଳେ ଯେ ପରିସ୍ଥିତି ବଦଳିବ, ତାହା କହିହେବ ନାହିଁ I ଶମିମ ଅହମ୍ମଦ କୁହତି, ସେନା ଆମର ଅନେକ ସହାୟତା କରିଥିଲା । ସେମାନେ ସାହାଯ୍ୟ କରି ନ ଥିଲେ ଆମେ ଅଜି ହୁଏତ ନଥାନ୍ତୁ ।