ଏହି ପରାଜୟ ପଛରେ ବିଜେପିର ସବୁପ୍ରକାର ଷଡ଼ଯନ୍ତ୍ର ଓ ଉପାୟ ଅବଲମ୍ବନ କରିଛି – ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ନିର୍ବାଚନ ପରିଣାମ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ପ୍ରତିକ୍ରିୟା ରଖି ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଉପରେ ଶାଣିତ ସ୍ଵରରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଏହି ପରାଜୟ ପଛରେ ବିଜେପିର ସବୁପ୍ରକାର ଷଡ଼ଯନ୍ତ୍ର ଓ ଉପାୟ ଅବଲମ୍ବନ କରିଛି। ତାଙ୍କ ପାର୍ଟି ନିର୍ବାଚନ ହାରି ନାହିଁ ବରଂ ହରାଇ ଦିଆଗଲା। ଏହି ଲଢେଇ ବିଜେପି ସହିତ ନ ଥିଲା ବରଂ ନିର୍ବାଚନ ଆୟୋଗ ସହ ଥିଲା।
ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମିଶି ନିର୍ବାଚନ ଆୟୋଗଙ୍କ ବ୍ୟବହାର କରି ଆମକୁ ନିର୍ବାଚନରେ ହରାଇଛନ୍ତି। ତଥାପି ସେ ହାର୍ ମାନି ନାହାନ୍ତି। ପୁଣି ସେ ପ୍ରତ୍ୟାବର୍ତ୍ତନ କରିବେ।ଷଡ଼ଯନ୍ତ୍ରର ଅଭିଯୋଗ କରି ମମତା କହିଛନ୍ତି ଯେ, କୋଲକାତାରୁ ଆରମ୍ଭ କରି ଜଙ୍ଗଲମହଲ ପର୍ଯ୍ୟନ୍ତ ସବୁଠି ସ୍ଥିତି ଏକାଭଳି ଥିଲା।
ପୁଣି ଶୂନରୁ ଆରମ୍ଭ କରିବୁ
ତାଙ୍କୁ ହରାଇବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମିଶି ରଣନୀତି ପ୍ରସ୍ତୁତ କରିଥିଲେ। ବିଜେପି ନିର୍ବାଚନ ଜିତିବା ପାଇଁ ସବୁପ୍ରକାର ଉପାୟ ଅବଲମ୍ବନ କରିଥିଲା, ଯେଉଁଥିରେ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର ମଧ୍ୟ ସାମିଲ ଅଛି। ସେ କହିଛନ୍ତି ଯେ ବିରୋଧୀମାନେ ଯେତେ ଚେଷ୍ଟା କଲେ ବି ସେ ଜନସାଧାରଣଙ୍କ ସହ ସବୁବେଳେ ରହିବେ ଏବଂ ଏହି ପରାଜୟର ସମୀକ୍ଷା କରିବେ ବୋଲି ମମତା ବାନାର୍ଜୀ କହିଛନ୍ତି। ସେ କହିଛନ୍ତି, ଆମେ ହାରି ଯାଇଥାଇ ପାରୁ, କିନ୍ତୁ ଆମର ମନୋବଳ ଭାଙ୍ଗିନି। ଆମେ ପୁଣି ଶୂନରୁ ଆରମ୍ଭ କରିବୁ ଏବଂ ଲୋକଙ୍କ ପାଖକୁ ଯିବୁ।
ବଙ୍ଗଳାର ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା
ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ ଅତ୍ୟନ୍ତ ଭାବୁକ ତଥା ଆକ୍ରମଣାତ୍ମକ ନଜର ଆସୁଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ ବିଜେପି କେବଳ ଇତିହାସ ବଦଳାଇବାକୁ ଚାହୁଁନାହିଁ, ବରଂ ବଙ୍ଗଳାର ସଂସ୍କୃତିକୁ ମଧ୍ୟ ନଷ୍ଟ କରିବାକୁ ଚେଷ୍ଟା କରୁଛି। ମୋତେ ରୋକିବା ପାଇଁ ଦିଲ୍ଲୀରୁ ସବୁ ବଡ଼ ବଡ଼ ନେତା ବଙ୍ଗଳାକୁ ଓହ୍ଲାଇଥିଲେ, କିନ୍ତୁ ମୁଁ ଜଣେ ଏକାକୀ ମହିଳା ଭାବେ ସେମାନଙ୍କ ସହ ଲଢ଼ିଛି’।
କେନ୍ଦ୍ରୀୟ ବାହିନୀ ଓ ଏଜେନ୍ସିର ଅପବ୍ୟବହାର
ମମତା ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ସମୟରେ କେନ୍ଦ୍ରୀୟ ବାହିନୀ ମାଧ୍ୟମରେ ଭୋଟରଙ୍କୁ ଭୟଭୀତ କରାଯାଇଛି। ଏହା ସହିତ ED ଏବଂ CBI ଭଳି ଏଜେନ୍ସିକୁ ବ୍ୟବହାର କରି ତାଙ୍କ ଦଳର ନେତାମାନଙ୍କୁ କୋଣଠେସା କରିବାକୁ ଚେଷ୍ଟା କରାଯାଇଛି।
ଲୋକତାନ୍ତ୍ରିକ ମୂଲ୍ୟବୋଧର ହତ୍ୟା
ସେ କହିଛନ୍ତି ଯେ, ଏହା ଏକ ଅସମାନ ଲଢ଼େଇ ଥିଲା। ଗୋଟିଏ ପଟେ ସାଧାରଣ ଜନତା ଥିଲେ ଏବଂ ଅନ୍ୟପଟେ କେନ୍ଦ୍ରର ଅର୍ଥବଳ ଓ ବାହୁବଳ ଥିଲା। ବିଜେପି ଗଣତନ୍ତ୍ରକୁ ଟଙ୍କା ପଇସାରେ କିଣିବାକୁ ଚେଷ୍ଟା କରିଛି ବୋଲି ସେ କଟାକ୍ଷ କରିଛନ୍ତି।
ଇଭିଏମ୍ (EVM) ଉପରେ ପ୍ରଶ୍ନ
ଅନେକ ସ୍ଥାନରେ ଭୋଟ ଗଣତିରେ ଅନିୟମିତତା ହୋଇଥିବା ନେଇ ସେ ସନ୍ଦେହ ପ୍ରକଟ କରିଛନ୍ତି ଏବଂ ଏହାର ଉଚିତ୍ ଯାଞ୍ଚ ହେବା ଦରକାର ବୋଲି କହିଛନ୍ତି। ପରାଜୟ ସତ୍ତ୍ଵେ ମମତା ନଇଁବାକୁ ପ୍ରସ୍ତୁତ ନୁହନ୍ତି।
ଜଙ୍ଗଲମହଲ ଉପରେ ଫୋକସ୍: ବିଶେଷ କରି ଜଙ୍ଗଲମହଲ ଅଞ୍ଚଳରେ ବିଜେପି କିଭଳି ସାମ୍ପ୍ରଦାୟିକ କାର୍ଡ ଖେଳିଛି, ସେ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।