ଆଜି ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଚାଲିଛି । ପଶ୍ଚିମବଙ୍ଗରେ ବିଜେପି ଆଗୁଆ ରହିଥିବା ବେଳେ ଟିଏମସି ପଛେଇ ଚାଲିଛି । ଏନେଇ ବିଜେପି ପାର୍ଟି ଅଫିସରେ ଉତ୍ସବ ଆରମ୍ଭ ହେଲାଣି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବିଧାନନଗରରେ ଏକ ମତଗଣନା କେନ୍ଦ୍ର ବାହାରେ ଟିଏମସି ଏବଂ ବିଜେପି ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଆଉ ଏନେଇ ପୋଲିସ ଲାଠିଚାର୍ଜ କରିଛି ।
ଖବର ମୁତାବକ, ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲା ବିଧାନନଗରର ଏକ ମତଗଣନା କେନ୍ଦ୍ର ବାହାରେ କେନ୍ଦ୍ରୀୟ ଫୋର୍ସ ରହିଥିବା ବେଳେ ଟିଏମସି ସମର୍ଥକ ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯାହାକୁ ନେଇ ଯୁକ୍ତିତର୍କ ଏବଂ ନାରାବାଜୀ ହୋଇଥିଲା । ଆଉ ଉତ୍ତେଜନା ଲାଗିବାରୁ କେନ୍ଦ୍ରୀୟ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା । ଲୋକମାନେ ନ ମାନିବାରୁ ପୋଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା ।
ବିଜେପି ଅଭିଯୋଗ କରିଛି କି, ଟିଏମସି ସମର୍ଥକ ମତଗଣନା କେନ୍ଦ୍ର ବାହାରେ ନିଜ ପାର୍ଟିର ପତାକା ଲଗାଇଥିଲେ । ଯାହା ପରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ସେପଟେ ଟିଏମସି ସମର୍ଥକ ବିଜେପି ବିପକ୍ଷରେ ସ୍ବର ଉତ୍ତୋଳନ କରିବାରୁ କେନ୍ଦ୍ରୀୟ ସୁରକ୍ଷା ବଳ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରୀୟ ବଳ ଏବଂ ବିଧାନନଗର ପୋଲିସ ହସ୍ତକ୍ଷେପ ପରେ ସ୍ଥିତି ଭଲ ରହିଛି । ଷ୍ଟ୍ରଙ୍ଗ ରୁମ ଆଖପାଖରେ ସୁରକ୍ଷା ବଢାଇ ଦେଇଛି । ପ୍ରଶାସନ ତରଫରୁ ମତଗଣନା ଦିନ କେନ୍ଦ୍ର ବାହାରେ ବାଣ ଫୁଟାଇବା ଏବଂ ବିଜୟ ଉତ୍ସବ କରିବା ଉପରେ ପ୍ରତିବନ୍ଧକ ଲଗାଇଛି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ଭୋଟ ହୋଇଛି । ୨୯୩ ସିଟ୍ ପାଇଁ ଭୋଟ୍ ହୋଇଛି ।