ମେ ୪ରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କାର ଚତୁର୍ଥ କିସ୍ତି

ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ମେ ୪ରେ ଅର୍ଥାତ ସୋମବାର ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏକ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ଏହି ଟଙ୍କା। ଏ ନେଇ ଶନିବାର ଏକ୍ସରେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ସୂଚନାଯୋଗ୍ୟ, ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଥିଲା ଚତୁର୍ଥ କିସ୍ତି। ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟଙ୍କୁ ଟଙ୍କା ଯାଇଥିଲା। ଏକକାଳୀନ ୫ ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଥିଲା। ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀଙ୍କୁ ମଧ୍ୟ ସୁଭଦ୍ରା କିସ୍ତି ମିଳିଥିଲା।ହେଲେ ଚତୁର୍ଥ କିସ୍ତି ବେଳେ ପୂର୍ବରୁ ପ୍ରଥମ ତିନୋଟି କିସ୍ତି ପାଇଥିବା ଅନେକ ହିତାଧିକାରୀଙ୍କୁ ଚତୁର୍ଥ କିସ୍ତିର ଟଙ୍କା ମିଳି ନ ଥିଲା। ଏହାକୁ ନେଇ ହିତାଧିକାରୀ ଚିନ୍ତାରେ ପଡ଼ିଥିଲେ। କଣ ତାଙ୍କ ନାଁ କଟିଗଲା ବୋଲି ମନରେ ଆଶଙ୍କା କରୁଥିଲେ। ଏପରିକି ବ୍ୟାଙ୍କଠୁ ନେଇ ଆଧାରକେନ୍ଦ୍ର ଯାଇ ଟଙ୍କା ନ ଆସିବାର କାରଣ ବି ପଚାରୁଥିଲେ। ହେଲେ ସେହି ହିତାଧିକାରୀଙ୍କ ସହ ନୂଆ ଭାବେ ଜଡ଼ିତ ହୋଇଥିବା ହିତାଧିକାରୀଙ୍କୁ ମେ ୪ରେ ସୁଭଦ୍ରା ଟଙ୍କା ମିଳିବ।ଉଲ୍ଲେଖନୀୟ ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ସୁଭଦ୍ରାର ନୂଆ ପଞ୍ଜିକରଣ ଚାଲିଥିଲା।

Leave a comment