ଆଇପିଏଲର ୩୭ତମ ଲିଗ୍ ମୁକାବିଲା: ମୁହାଁମୁହିୀଁ ହେବେ ଚେନ୍ନାଇ ଏବଂ ଗୁଜୁରାଟ

ରବିବାର ଆଇପିଏଲର ୩୭ତମ ଲିଗ୍ ମୁକାବିଲାରେ ମୁହାଁମୁହିୀଁ ହେବେ ଚେନ୍ନାଇ ଏବଂ ଗୁଜୁରାଟ । ସିଏସକେ ନିଜ ଘରୋଇ ଗ୍ରାଉଣ୍ଡରେ ଗୁଜରାଟକୁ ଭେଟିବ । ଚେନ୍ନାଇ ଗତ ଗୁରୁବାର ଦିନ ମୁମ୍ବାଇକୁ ହରାଇ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଥିଲା। ଏହାର ଦିନକ ପରେ ଗୁଜରାଟ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ଠାରୁ ପରାଜିତ ହୋଇ ସପ୍ତମ ସ୍ଥାନକୁ ଖସିଛି । ଉଭୟ ଦଳ ପାଇଁ ବର୍ତ୍ତମାନ ବିଜୟ ଜରୁରି ହୋଇ ପଡ଼ିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଲୟକୁ ଫେରିଛି ଚେନ୍ନାଇ

ବିଳମ୍ବରେ ହେଉ ପଛେ ଚେନ୍ନାଇ ଧିରେ ଧିରେ ଲୟକୁ ଫେରିଛି । ଅଧିନାୟକ ଋତୁରାଜ ଗାଏକୱାଡଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ ଚୁପ ରହିଥିଲେ ହେଁ ଅନ୍ୟ ଓପନର ସଞ୍ଜୁ ସାମସନ ୨ଟି ଶତକ ଅର୍ଜନ କରି ଚେନ୍ନାଇର ଦାୟିତ୍ୱ ମୁଣ୍ଡାଇବାକୁ ପ୍ରସ୍ତୁତ ରହିଥିବା ପ୍ରମାଣିତ କରିଛନ୍ତି । କେବଳ ମଧ୍ୟକ୍ରମ ବ୍ୟାଟରଙ୍କ ପ୍ରଦର୍ଶନରେ ଅବନତି ଦଳ ପାଇଁ ଚିନ୍ତାର କାରଣ ସାଜିଛି । ଚେନ୍ନାଇ ଏକାଦଶରେ ପରିବର୍ତ୍ତନ ହେବା ଆଶା କରାଯାଉଛି । ମହେନ୍ଦ୍ର ସିଂହ ଧୋନିଙ୍କ ଖେଳିବା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନଥିଲେ ହେଁ ତାଙ୍କ ଖେଳ ଦେଖିବା ଆଶାରେ ସମର୍ଥକ ଏବେଠୁ ଅପେକ୍ଷା କରି ରହିଛନ୍ତି । ବାମ ହାତି ପେସ୍ ବୋଲର ଜନସନ ମଧ୍ୟ ଆଜି ଖେଳିବା ସମ୍ଭାବନା ରହିଛି ।

ଗୁଜରାଟ ଦଳଗତ ପ୍ରଦର୍ଶନ କରୁଥିଲେ ହେଁ ନିମ୍ନ ଭାଗ ବ୍ୟାଟିଂ ବିଫଳତା ପରାଜୟର କାରଣ ସାଜୁଛି । ଶାହରୁଖ ଖାନ, ରାହୁଲ ତେୱାତିଆ ନିୟମିତ ଭାବେ ସୁଯୋଗ ପାଉଥିଲେ ହେଁ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି । ଆଜି ଚେନ୍ନାଇ ସ୍ପିନର ଅକିଲ ହୋସେନଙ୍କ ଉପରେ ନଜର ରହିବ । ଗତ ମୁମ୍ବାଇ ବିପକ୍ଷ ମ୍ୟାଚରେ ସେ ୪ଟି ୱିକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅକିଲ ଟି-ଟ୍ୱେଣ୍ଟିରେ ଗିଲଙ୍କୁ ୨ଥର ଆଉଟ୍ କରିସାରିଛନ୍ତି।

ଗୁଜରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଉପରେ ନଜର ରହିବ । ସେ ଇତି ମଧ୍ୟରେ ୧୨ଟି ୱିକେଟ ଅକ୍ତିଆର କରିସାରିଛନ୍ତି । ତେବେ ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚରେ ଇତି ମଧ୍ୟରେ ୫ଟି ମ୍ୟାଚ ଖେଳ ହୋଇସାରିଛି । ଏଥିରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ଟି ମ୍ୟାଚ ଜିତିଛନ୍ତି । ତେବେ ଆସନ୍ତା କାଲି ଅପରାହ୍ଣରେ ମ୍ୟାଚ ରହିଥିବାରୁ ଟସ୍ କୌଣସି ଗୁରୁତ୍ୱ ରଖିବ ନାହିଁ । ଟସ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରିବା ଏକ ପ୍ରକାର ନିଶ୍ଚିତ ।

Leave a comment