ଦିଲ୍ଲୀ କ୍ୟାପିଟାଲ୍ସକୁ ପଞ୍ଜାବ କିଙ୍ଗ୍ସ ୬ ୱିକେଟ୍ରେ ପରାସ୍ତ କରିଛି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ର ୩୫ତମ ମ୍ୟାଚରେ ରନ୍ ବର୍ଷା ହୋଇଛି। ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମରେ ଆୟୋଜକ ଦିଲ୍ଲୀ କ୍ୟାପିଟାଲ୍ସକୁ ପଞ୍ଜାବ କିଙ୍ଗ୍ସ ୬ ୱିକେଟ୍ରେ ପରାସ୍ତ କରିଛି। ଏଠାରେ ପଞ୍ଜାବ ୧୮.୫ ଓଭରରେ ୪ଟି ୱିକେଟ ହରାଇ ୨୬୫ ରନ୍ କରିଛି। ଏହି ବିଜୟ ସହିତ ପଏଣ୍ଟ ଟେବୁଲରେ ପଞ୍ଜାବ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି। ଚଳିତ ଆଇପଏଲ୍ ଟୁର୍ଣ୍ଣାମେଣ୍ଟରେ ପଞ୍ଜାବ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳିଛି ଏବଂ ଏଥିରୁ ୬ଟିରେ ବିଜୟ ହାସଲ କରିଛି। କୋଲକାତା ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା।
୨୬୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଞ୍ଜାବ ବ୍ୟାଟିଂ କରିଥିଲା। ଦଳର ପ୍ରାରମ୍ଭିକ ବ୍ୟାଟିଂ କ୍ରିକେଟ୍ପ୍ରେମୀଙ୍କୁ ଉତ୍ସାହିତ କରିଥିଲା। ଏକଦା ଦଳ ୩୦୦ରୁ ଊର୍ଦ୍ଧ୍ବ ଷ୍ଟ୍ରାଇକ୍ ରେଟ୍ରେ ରନ୍ ସଂଗ୍ରହ କରିଥିଲା। ପ୍ରାରମ୍ଭିକ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ଏବଂ ପ୍ରଭସିମରନ ସିଂହ ପ୍ରଥମ ୱିକେଟ୍ ପାଇଁ ୧୨୬ ରନ୍ର ଭାଗିଦାରୀ କରିଥିଲେ। ପଞ୍ଜାବକୁ ୬.୫ ଓଭରରେ ପ୍ରଥମ ଝଟକା ଲାଗିଥିଲା। ଆଉଟ୍ ହେବା ପୂର୍ବରୁ ପ୍ରିୟାଂଶ ଏକାକୀ ୪୩ ରନ୍ ସଂଗ୍ରହ କରିଥିଲେ। ସେ ୧୭ଟି ବଲ୍ ଖେଳି ୨ଟି ଚୌକା ଏବଂ ୫ଟି ଛକା ମାରିଥିଲେ।
ଦିଲ୍ଲୀର ଦ୍ବିତୀୟ ଶିକାର ହୋଇଥିଲେ ବିସ୍ଫୋରକ ବ୍ୟାଟର ପ୍ରଭସିମରନ। ସେ ୨୬ଟି ବଲ୍ର ସାମ୍ନା କରିଥିଲେ ଏବଂ ୭୬ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୯ଟି ଚୌକା ଏବଂ ୫ଟି ଛକା ସାମିଲ ଥିଲା। ଯୁବ ବ୍ୟାଟର କୁପର କନୋଲି ୧୦ଟି ବଲ୍ର ସାମ୍ନା କରିଥିଲେ। ସେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ବଳରେ ୧୭ ରନ୍ କରିଥିଲେ। ନେହାଲ ୱାଧୀରାଙ୍କ ବ୍ୟାଟରୁ ୨୫ ରନ୍ ମିଳିଥିଲା। ସେ ୧୫ଟି ବଲ୍ ଖେଳି ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।
ଟସ୍ ଜିତି ଦିଲ୍ଲୀ ଟିମ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ସଫଳ ରଣନୀତି କରି ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍ ହରାଇ ୨୬୪ ରନ୍ ସଂଗ୍ରହ କରିଥିଲା। ଏହି ମ୍ୟାଚ୍ରେ ଦିଲ୍ଲୀର ପ୍ରାରମ୍ଭିକ ବ୍ୟାଟିଂ ଯଦିଓ ସାମାନ୍ୟ ପ୍ରଭାବିତ ହୋଇଥିଲା, ପରବର୍ତ୍ତୀ ସମୟରେ ଦଳର ମୋର୍ଚ୍ଚା ସମ୍ଭାଳି ଥିଲେ କେଏଲ୍ ରାହୁଲ ଏବଂ ନିତିଶ ରାଣା। କ୍ରିକେଟ୍ପ୍ରେମୀମାନେ କେଏଲ୍ ରାହୁଲଙ୍କୁ ନିଶ୍ଚିତ ଭାବେ ମନେ ରଖିବେ। ପଞ୍ଜାବ ବିପକ୍ଷରେ ଆଜି କେଏଲ୍ ରାହୁଲ ଯେଉଁଭଳି ଭାବେ ବ୍ୟାଟିଂ କଲେ, ତାହା ଅଭୁଲା ରହିବ। ଅପରାଜିତ ରହି ସେ ୧୫୨ ରନ୍ ସଂଗ୍ରହ କରିଛନ୍ତି। ୬୭ଟି ବଲ୍ର ସାମ୍ନା କରି ୨୨୬.୮୭ ହାରରେ ସେ ବ୍ୟାଟିଂ କରିଛନ୍ତି। ଏଥିରେ ସେ ୧୬ଟି ଚୌକା ଏବଂ ୯ଟି ଛକା ସାମିଲ କରିଛନ୍ତି।
ଦିଲ୍ଲୀ ପାଇଁ ପ୍ରଥମ ୱିକେଟ୍ରେ ପାଥୁମ ନିଶଙ୍କା ଏବଂ କେଏଲ୍ ରାହୁଲ ୨୮ ରନ୍ ସଂଗ୍ରହ କରିଥିଲେ। ନିଶଙ୍କା ୭ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୧୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ସେ ୨ଟି ଚୌକା ସାମିଲ କରିଥିଲେ। କିନ୍ତୁ ଦିଲ୍ଲୀ ୨ୟ ୱିକେଟରେ ୨୨୦ ରନ୍ର ଭାଗିଦାରୀ କରିଥିଲା। ଏହାକୁ ସମ୍ଭବ କରିଥିଲେ କେଏଲ୍ ରାହୁଲ ଏବଂ ନିତିଶ ରାଣା। ପଞ୍ଜାବ ୨ୟ ୱିକେଟ ଭାବେ ନିତିଶ ରାଣାଙ୍କୁ ଆଉଟ୍ କରିଥିଲା। ରାଣା ୪୪ଟି ବଲ୍ ସାମ୍ନା କରିଥିଲେ। ସେ ୧୧ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ରାଣା ଆଉଟ୍ ହେଲା ପରେ ତାଙ୍କର ସ୍ଥାନ ପୂରଣ କରିବାକୁ ଡେଭିଡ ମିଲର ପଡ଼ିଆକୁ ପ୍ରବେଶ କରିଥିଲେ।