ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି । ମହାନଦୀରେ ସର୍ବମୋଟ୍ କେତେ ଜଳ ରାଶି ସଂଗୃହୀତ ହେଉଛି ଏହାର ତଥ୍ୟ MAFରେ ଦାଖଲ କରିବାକୁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ । ଆଗାମୀ ଶୁଣାଣି ପୂର୍ବରୁ ତଥ୍ୟ ଦାଖଲ ନେଇ ନିର୍ଦ୍ଦେଶ । ଏହା ଭିତରେ ୨ ରାଜ୍ୟର ବୈଷୟିକ ଟିମ୍ ପ୍ରାୟ ୧୩ ଥର ବୈଠକ କରିଛନ୍ତି । ଦୁଇ ରାଜ୍ୟର ବୈଷୟିକ ଟିମ୍ ଦ୍ୱାରା ମହାନଦୀରେ ମୌସୁମୀ ଏବଂ ଅଣ ମୌସୁମୀ ସମୟର ଜଳର ତଥ୍ୟ ସଂଗ୍ରହ କରାଯାଇଛି । ଯାହାକୁ ପରବର୍ତ୍ତୀ ଶୁଣାଣି ଅର୍ଥାତ ମେ’ ୨ରେ ଦାଖଲ କରାଯିବ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।ଓଡ଼ିଶା ଓ ଛତିଶଗଡ଼ ଭିତରେ ବିଭିନ୍ନ ପ୍ରସଙ୍ଗ ନେଇ ସହମତି କିପରି ଆସିବ ତାକୁ ନେଇ ଆପୋଷ କଥାବାର୍ତ୍ତା ଜାରି ରହିଛି । ବିବାଦୀୟ ବିଷୟବସ୍ତୁକୁ ନେଇ ବିଭିନ୍ନ ପ୍ରସଙ୍ଗ ନେଇ ସହମତି ଆଲୋଚନା ମାଧ୍ୟମରେ ପ୍ରକାଶ ପାଉଛି । ମୋଟ୍ ୪୫ଟି ବିଷୟ ନେଇ ବିଗତ ଦିନରେ ପ୍ରସଙ୍ଗ ଗୁଡ଼ିକୁ ଫ୍ରେମ୍ କରାଯାଇଥିଲା । ବର୍ତ୍ତମାନ ଅନେକ ପ୍ରସଙ୍ଗରେ ଦୁଇ ରାଜ୍ୟ ଭିତରେ ସହମତି ପ୍ରକାଶ ପାଇଛି । ପ୍ରସଙ୍ଗ ଗୁଡିକର ଚୂଡ଼ାନ୍ତ ଫ୍ରେମ୍ କରିବାକୁ ଦୁଇ ରାଜ୍ୟ ୭ ଦିନର ସମୟ ମାଗିଥିଲେ । ଯାହାକୁ ଟ୍ରିବ୍ୟୁନାଲ ପ୍ରଦାନ କରିଥିବା ସେ ସୂଚନା ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ ହେବ ।