ହର୍ମୁଜ ପ୍ରଣାଳୀରେ ଦୁଇଟି ଭାରତୀୟ ଜାହାଜ ଉପରେ ଗୁଳିମାଡ଼
ହର୍ମୁଜ ପ୍ରଣାଳୀରେ ଦୁଇଟି ଭାରତୀୟ ଜାହାଜ ଉପରେ ଗୁଳିମାଡ଼ ହୋଇଥିବା ନେଇ ଖବର ମିଳିଛି । ଏହି ଜାହାଜ ହର୍ମୁଜ ଦେଇ ଭାରତ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଗୁଳିମାଡ଼ ହୋଇଛି । ଗୁଳିମାଡ଼ ହେବା ପରେ ଏହି ଦୁଇ ଜାହାଜ ପୁଣି ଥରେ ୟୁ-ଟର୍ଣ୍ଣ ନେଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ଏଥିରେ କୌଣସି ମୃତାହତ କିମ୍ବା ଜାହାଜର କ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।
ଭାରତୀୟ ପତାକା ଲାଗିଥିବା ଦୁଇଟି ଜାହାଜ ମଧ୍ୟରୁ ଗୋଟିଏରେ ୨୦ ଲକ୍ଷ ବ୍ୟାରେଲ୍ ତେଲ ଥିଲା । ଏହି ସୂଚନା ମିଳିବା ପରେ, ଭାରତ ସରକାର ଏନେଇ ଇରାନ ରାଷ୍ଟ୍ରଦୂତଙ୍କୁ ତଲବ କରିଛନ୍ତି । ଏହା ପୂର୍ବରୁ ଶନିବାର ହର୍ମୁଜରେ ପୁଣି କଟକଣା ଲାଗୁ କରିଛି ବୋଲି ଘୋଷଣା କରିଥିଲା ଇରାନ । ଶୁକ୍ରବାର ହର୍ମୁଜ ସଂପୂର୍ଣ୍ଣ ରୂପେ ଖୋଲିବା ନେଇ ଇରାନ ଘୋଷଣା କରିଥିଲା । କିନ୍ତୁ ଆଜି ପୁଣି ଥରେ ଏହାକୁ ବନ୍ଦ କରିଛି ତେହେରାନ ।
ଶନିବାର ଦିନ ଇରାନର ଦୁଇଟି ବୋଟ୍ ମଧ୍ୟ ହର୍ମୁଜ୍ ପ୍ରଣାଳୀରେ ଅନ୍ୟ ଏକ ଟ୍ୟାଙ୍କର୍ ଉପରେ ଗୁଳି ଚଳାଇଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ପୂର୍ଣ୍ଣ ଶକ୍ତିରେ’ ନୌସେନା ଅବରୋଧ ଜାରି ରଖିବା ନେଇ ଘୋଷଣା କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି। ୟୁକେର ସାମୁଦ୍ରିକ ବାଣିଜ୍ୟ ଅଭିଯାନ କେନ୍ଦ୍ର ଏକ ବିବୃତ୍ତିରେ କହିଛି ଯେ, ଟ୍ୟାଙ୍କରର କ୍ୟାପ୍ଟେନ୍ ରିପୋର୍ଟ କରିଥିଲେ ଇରାନର ରିଭଲ୍ୟୁସନାରୀ ଗାର୍ଡସ୍ କର୍ପର ଦୁଇଟି ଗନ୍ ବୋଟ୍ ପାଖକୁ ଆସିଥିଲା ଏବଂ କୌଣସି ରେଡିଓ ସତର୍କତା ବିନା ଟ୍ୟାଙ୍କର୍ ଉପରେ ଗୁଳିମାଡ଼ କରିଥିଲେ ।
ଓମାନର ଉତ୍ତର-ପୂର୍ବରେ ୩୭ କିଲୋମିଟର ଦୂରରେ ଟ୍ୟାଙ୍କର ପାଖକୁ ଯିବାକୁ ଗନ୍ ବୋଟ୍ ଚେଷ୍ଟା କରିଥିଲା। ଟ୍ୟାଙ୍କର୍ ଏବଂ କର୍ମଚାରୀ ସୁରକ୍ଷିତ ଅଛନ୍ତି ଏବଂ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି। ଇରାନର ମିଳିତ ସାମରିକ କମାଣ୍ଡ ଶନିବାର କହିଛି ଯେ, ‘ସଶସ୍ତ୍ର ବାହିନୀର କଠୋର ନିୟନ୍ତ୍ରଣରେ ରହିଛି ହର୍ମୁଜ୍ ପ୍ରଣାଳୀ । ଯେପର୍ଯ୍ୟନ୍ତ ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକାର ଅବରୋଧ ଜାରି ରହିବ, ସେପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତକୁ ଅବରୋଧ କରାଯିବ ବୋଲି ଇରାନ ଧମକ ଦେଇଛି।