ପାକିସ୍ତାନ ଗସ୍ତରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି.ଭେନସ୍,କାଲି ଇସ୍ଲାମାବାଦରେ ହେବ ଶାନ୍ତି ଆଲୋଚନା
ଆମେରିକା ଉପରାଷ୍ଟ୍ରପତି ଜେ.ଡି.ଭେନସ୍ ଶୁକ୍ରବାର ପାକିସ୍ତାନ ଗସ୍ତ କରିଛନ୍ତି। ଇରାନ-ଆମେରିକା ଯୁଦ୍ଧବିରାମ ଲାଗି ଇସ୍ଲାମାବାଦରେ ଅନୁଷ୍ଠିତ ହେଉଥିବା ଶାନ୍ତିବାର୍ତ୍ତା ପୂର୍ବରୁ ଭେନ୍ସ ବଡ଼ ବୟାନ ଦେଇଛନ୍ତି। ଭେନସ୍ କହିଛନ୍ତି ଯେ ସେ ଇରାନ ସହିତ ସକରାତ୍ମକ ଆଲୋଚନା ଆଶା କରୁଛନ୍ତି। ପାକିସ୍ତାନ ଗସ୍ତ ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନାରେ କହିଛନ୍ତି ଯେ ଆମେ ଆଲୋଚନାକୁ ଅପେକ୍ଷା କରିଛୁ, ମୋତେ ଲାଗୁଛି ଏହା ସକରାତ୍ମକ ହେବ।
ସେ କହିଛନ୍ତି ଯେ ରାଷ୍ଟ୍ରପତି ଯେପରି କହିଛନ୍ତି ଯଦି ଇରାନୀ ଭରସାର ସହ ଆଲୋଚନା ଲାଗି ପ୍ରସ୍ତୁତ,ତେବେ ଆମେ ବନ୍ଧୁତ୍ୱର ହାତ ବଢାଇବାକୁ ମଧ୍ୟ ପ୍ରସ୍ତୁତ। ଯଦି ସେମାନେ ଆମ ସହ ଖେଳିବାକୁ ଚେଷ୍ଟା କରନ୍ତି ଆମେ ଏହାକୁ ସ୍ୱୀକାର କରିବୁନି। ଏହି ଶାନ୍ତିବାର୍ତ୍ତା ଇସ୍ଲାମାବାଦରେ ଶନିବାର ଅନୁଷ୍ଠିତ ହେବ। ଏହି ବାର୍ତ୍ତାକୁ ‘ଇସ୍ଲାମାବାଦ ଟକସ୍’ କୁହାଯାଉଛି। ଇରାନର ପଡୋଶୀ ଦେଶ ହେଉଛି ପାକିସ୍ତାନ ଏହା ଛଡା ଆମେରିକା ସହ ଭଲ ସମ୍ପର୍କ ମଧ୍ୟ ରଖୁଛି। ଏହି କାରଣରୁ ଇସ୍ଲାମାବାଦକୁ ଶାନ୍ତିବାର୍ତ୍ତା ପାଇଁ ଚୟନ କରାଯାଇଛି।
ଇସ୍ଲାମାବାଦରେ ଅନୁଷ୍ଠିତ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଉପରେ ଏବେ ସାରା ବିଶ୍ୱର ନଜର। ଯଦି ଏହି ବାର୍ତ୍ତା ସଫଳ ହୁଏ ତେବେ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବ୍ରେକ୍ ଲାଗିବ। ହୋର୍ମୁଜ ପ୍ରଣାଳୀ ପୁଣି ଖୋଲିବା ସହିତ ବିଶ୍ୱକୁ ତୈଳ ଓ ଗ୍ୟାସ୍ ଯୋଗାଣ ରାସ୍ତା ଖୋଲିଯିବ। ଫଳରେ ବିଶ୍ୱରେ ବଢୁଥିବା ଅଶୋଧିତ ତୈଳ ଦର ହ୍ରାସ ହେବା ସହ ବୈଶ୍ୱିକ ଶକ୍ତି ପ୍ରବାହ ସ୍ୱଭାବିକ ହେବ। ତେବେ ଏ କଥାର ମଧ୍ୟ ଡର ରହୁଛି ଯେ ଶାନ୍ତି ବାର୍ତ୍ତା ବିଫଳ ମଧ୍ୟ ହୋଇ ପାରେ। ଯଦି ଏପରି କିଛି ହୁଏ ତେବେ ଉପୁଜିଥିବା ପରିସ୍ଥିତି ଏବେକା ପରିସ୍ଥିତି ଅପେକ୍ଷା ଆହୁରି ଜଟିଳ ହୋଇପାରେ।