ଆଇପିଏଲ ୧୫ତମ ଲିଗ୍ ମ୍ୟାଚରେ କେକେଆରକୁ ହରାଇଲା ଲକ୍ଷ୍ନୌ
ଲକ୍ଷ୍ନୌକୁ ଜିତାଇଲେ ମୁକୁଲ-ବଦୋନୀ । ୩ ଓ୍ୱିକେଟରେ ହାରିଲା କୋଲକାତା ନାଇଟ୍ ରାଇଡର୍ସ । ବାଜି ମାରିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ହାରୁଥିବା ମ୍ୟାଚ୍ ଜିତିଗଲା । କୋଲକାତା ପାଖରୁ ବିଜୟ ଛଡାଇ ଆଣିଲେ ମୁକୁଲ ଚୌଧୁରୀ ଏବଂ ଆୟୁଷ ବଦୋନୀ । ବୋଲରଙ୍କ ପରେ ବ୍ୟାଟର ଦେଖାଇଲେ ଦମ୍ । ଇଡେନ୍ ଗାର୍ଡେନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି ।
ଐତିହାସିକ ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳା ଯାଇଥିଲା ମୁକାବିଲା । ପ୍ରଥମେ ବ୍ୟାଟିଂ କରିଥିଲା ଆୟୋଜକ କେକେଆର । ଦଳ ୪ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଅଧିନାୟକ ଆଜିଙ୍କ୍ୟ ରାହାଣେ ବଡ଼ ସ୍କୋର କରି ନ ଥିଲେ ବି ୪୧ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଫର୍ମରେ ଥିବା ଅଙ୍ଗକୃଷ ରଘୁବଂଶୀ ୪୫ ରନ କରିଥିବା ବେଳେ ରୋଭମ୍ୟାନ ପାଓ୍ଵେଲ ୩୯ ରନ କରିଥିଲେ। ଲକ୍ଷ୍ନୌ ସମ୍ମୁଖରେ ୧୮୨ ରନର ବିଜୟ ଲକ୍ଷ୍ୟ ରଖିଥିଲା କେକେଏଆର । ଏଲଏସଜି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମିଚେଲ୍ ମାର୍ସ ୧୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଏଡେନ୍ ମାରକ୍ରମ୍ ୨୨ ରନ୍ କରିଥିଲେ । ସେହିପରି ଋଷଭ ପନ୍ତ ମାତ୍ର ୧୦ ରନ୍ କରିଥିଲେ । ତେବେ ଆୟୁଷ ବଦୋନୀ ଦମଦାର୍ ପାଳି ଖେଳିଥିଲେ । ସେ ୩୪ ବଲରୁ ୫୪ ରନ୍ କରିଥିଲେ । ବଦୋନୀ ଆଉଟ୍ ହେଲା ପରେ ଦଳର ପରାଜୟ ନିଶ୍ଚିତ ହୋଇଯାଇଥିଲା । ହେଲେ ମୁକୁଲ ଚୌଧୁରୀ ଦମଦାର ବ୍ୟାଟିଂ କରିଥିଲେ । ସେ ୨୭ ବଲରୁ ୫୪ ରନ୍ କରି ଏଲଏସଜିକୁ ଜିତାଇଥିଲେ ।