ସଂସଦରେ ମହିଳା ସଂରକ୍ଷଣ ଆଇନକୁ ସମର୍ଥନ କରିବାକୁ ସବୁ ସାଂସଦଙ୍କୁ ଆହ୍ବାନ ଦେଲେ ମୋଦୀ
ସଂସଦରେ ମହିଳା ସଂରକ୍ଷଣ ଆଇନକୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ସାଂସଦଙ୍କୁ ଆହ୍ବାନ କରିଛନ୍ତି । ଗୁରୁବାର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହିଳା ସଂରକ୍ଷଣ ଆଇନରେ ପ୍ରସ୍ତାବିତ ସଂଶୋଧନ କେବଳ ଏକ ଆଇନଗତ କାର୍ଯ୍ୟ ନୁହେଁ ବରଂ ଭାରତର କୋଟି କୋଟି ମହିଳାଙ୍କ ଆକାଂକ୍ଷାର ପ୍ରତିଫଳନ। ପୋଷ୍ଟ ହୋଇଥିବା ଏକ ସ୍ବାକ୍ଷରିତ ଲେଖାରେ ମୋଦୀ କହିଛନ୍ତି, ଭାରତର ସଭ୍ୟତା ନୀତି ଅନୁଯାୟୀ ମହିଳାଙ୍କ ବିକାଶରେ ସମାଜର ବିକାଶ ଅନ୍ତନିର୍ହିତ ରହିଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୯ ଲୋକସଭା ନିର୍ବାଚନ ଓ ଆଗାମୀ ଦିନରେ ରାଜ୍ୟମାନଙ୍କରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହାକୁ ଲାଗୁ କରାଯିବ ।ସେ ଆହୁରି କହିଛନ୍ତି ଯେ, ଦେଶ ଏକ ଐତିହାସିକ ମୁହୂର୍ତ୍ତର ଦ୍ୱାରଦେଶରେ ଠିଆ ହୋଇଛି, ଯାହା ଗଣତନ୍ତ୍ରର ମୂଳଦୁଆକୁ ଆହୁରି ଗଭୀର କରିବା ଓ ସମାନତା ଏବଂ ଅନ୍ତର୍ଭୁକ୍ତିକରଣ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦିଷ୍ଟ କରିବାର ସୁଯୋଗ ପ୍ରଦାନ କରୁଛି। ସେ ଆହୁରି କହିଛନ୍ତି ଯେ, ମହିଳା ସଂରକ୍ଷଣକୁ ଆଗକୁ ବଢ଼ାଇବା ପାଇଁ ଏକ ବିଲ୍ ଉପରେ ଆଲୋଚନା ଏବଂ ଏହାକୁ ପାରିତ କରିବା ପାଇଁ ସଂସଦ ଏପ୍ରିଲ ୧୬ ରେ ବସିବ। ସୂଚନାଯୋଗ୍ୟ, ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ତିନିଦିନିଆ ସ୍ବତନ୍ତ୍ର ଅଧିବେଶନ ବସିବ। ୨୦୨୯ ସାଧାରଣ ନିର୍ବାଚନରୁ କାର୍ଯ୍ୟକାରୀ କରିବା ପାଇଁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ୍’ ବା ମହିଳା ସଂରକ୍ଷଣ ଆଇନରେ ସଂଶୋଧନ କରାଯିବ। ଏହାଦ୍ବାରା ଲୋକସଭା ଆସନ ସଂଖ୍ୟା ୮୧୬କୁ ବୃଦ୍ଧି ପାଇବ ଓ ମହିଳାଙ୍କ ପାଇଁ ୨୭୩ଟି ଆସନ ସଂରକ୍ଷିତ ରହିବ ।