ଗୋଟିଏ ରନରେ ଗୁଜରାଟଠୁ ହାରିବା ପରେ ଭାଙ୍ଗି ପଡିଲେ ଡେଭିଡ ମିଲର,ସାନ୍ତ୍ୱନା ଦେଲେ ଅକ୍ଷର ପଟେଲ

ବୁଧବାର ଥିଲା ଚଳିତ ଆଇପିଏଲ ସିଜିନର ହାଇଭୋଲଟେଜ୍ ଫାଇଟ୍ । ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ-ଗୁଜରାଟ । ମୁକାବିଲା ବି ଥିଲା ବେଶ୍ ରୋମାଞ୍ଚକର । ତେବେ ମ୍ୟାଚର ଶେଷ ଓଭର ଥିଲା ବେଶ୍ ଡ୍ରାମାଟିକ୍ । ପୁରା ଫିଲ୍ମର କ୍ଲାଇମ୍ୟାକ୍ସ ପରି ଥିଲା ଶେଷ ଓଭର । ଡେଭିଡ ମିଲରଙ୍କ ବିସ୍ଫୋରକ ଇନିଂସ ଦିଲ୍ଲୀ କ୍ୟାପିଟାଲ୍ସକୁ ବିଜୟର ଦ୍ୱାରରେ ପହଞ୍ଚାଇଥିଲା ।

ଗୋଟିଏ ଭୁଲ୍‌ ଶକ୍ତ ଝଟ୍‌କା:

କିନ୍ତୁ ମିଲରଙ୍କ ସେହି ଗୋଟିଏ ଭୁଲ ପାଇଁ ଦଳକୁ ଲାଗିଥିଲା ଶକ୍ତ ଝଟ୍‌କା । ଚାହିଁ ବି ମ୍ୟାଚ୍ ବଞ୍ଚାଇ ପାରିଲେ ନାହିଁ ମିଲର । ଗୋଟିଏ ରନରେ ଗୁଜରାଟଠୁ ହାରିବା ପରେ ଭାଙ୍ଗି ପଡିଥିଲେ ଡେଭିଡ ମିଲର । ଏହି ସମୟରେ ଅଧିନାୟକ ଅକ୍ଷର ପଟେଲ ଆସି ତାଙ୍କୁ ସାନ୍ତ୍ୱନା ଦେଇଥିଲେ । ହତାଶା ହୋଇ ଠିଆ ହୋଇଥିବା ମିଲରଙ୍କୁ କୁଣ୍ଢେଇ ପକାଇଥିଲେ । ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା ।

ଆରମ୍ଭରୁ ଗର୍ଜିଥିଲେ DC ବ୍ୟାଟର:

ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟାନ୍ସ ୨୧୦ ରନ କରିଥିଲା । ଟାର୍ଗେଟର ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ବି ଦମଦାର ଆରମ୍ଭ କରିଥିଲା । କେଏଲ ରାହୁଲ ଏବଂ ପଥୁମ ନିସାଙ୍କା ପ୍ରଥମ ୱିକେଟ ପାଇଁ ୭୬ ରନର ପାର୍ଟନରସିପ୍ କରିଥିଲେ । ନିସାଙ୍କା ୨୪ ବଲରୁ ୪୧ ରନ କରିଥିଲେ ଏବଂ ରାହୁଲ ୫୨ ବଲରୁ ୪ ଛକା ଏବଂ ୧୧ ଚୌକା ମାରି ୯୨ ରନ କରିଥିଲେ । ଡେଭିଡ୍ ମିଲର ଗୋଟିଏ ପଟେ ଇନିଂସକୁ ହାତରେ ରଖିଥିଲେ । ସେ ୨୦ ବଲରୁ ୩ ଛକା ଏବଂ ୩ ଚୌକା ମାରି ଅପରାଜିତ ୪୧ ରନ କରିବାରେ ସଫଳ ହୋଇଥିଲେ, କିନ୍ତୁ ସେ ଏକ ଭୁଲ କରିଥିଲେ ଯାହା ମ୍ୟାଚ ଛଡାଇ ନେଇଥିଲା ।

ଡେଭିଡ୍ ମିଲରଙ୍କ ଭୁଲ:

ଡେଭିଡ୍ ମିଲରଙ୍କ ଭୁଲ- ଦିଲ୍ଲୀ କ୍ୟାପିଟାଲ୍ସକୁ ଜିତିବା ପାଇଁ ୧୨ ବଲରୁ ୩୬ ରନ ଆବଶ୍ୟକ ଥିଲା। ମହମ୍ମଦ ସିରାଜ ୧୯ତମ ଓଭର ବୋଲିଂ କରିଥିଲେ, ଦୁଇଟି ଛକା ଏବଂ ଗୋଟିଏ ଚୌକା ଦେଇଥିଲେ । ଏହି ଓଭରରୁ ମୋଟ ୨୩ ରନ୍ ଆସିଥିଲା । ବିଜୟ ପାଇଁ ଶେଷ ଛଅ ବଲରେ ୧୩ ରନ୍ ଦରକାର ଥିଲା। ବିପ୍ରଜ ପ୍ରଥମ ବଲରେ ଚୌକା ମାରିଥିଲେ କିନ୍ତୁ ଦ୍ୱିତୀୟ ବଲରେ ଆଉଟ୍ ହୋଇଥିଲେ । ୩ଟି ବଲରୁ ୮ ରନ ଆବଶ୍ୟକ ଥିବା ବେଳେ, ଡେଭିଡ୍ ମିଲର ଏକ ଛକା ମାରିଥିଲେ।

୨ଟି ବଲରୁ ମାତ୍ର ୨ ରନ ଦରକାର ଥିବା ବେଳେ, ମିଲର ପରବର୍ତ୍ତୀ ବଲରେ ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ହାତଛଡ଼ା କରିଥିଲେ । ଏକ ସିଙ୍ଗଲ୍ ସହଜରେ ନିଆଯାଇପାରିଥାନ୍ତା, କିନ୍ତୁ ମିଲର ରନ କରିନଥିଲେ । ନଚେତ୍, ସ୍କୋର ସମାନ ହୋଇଥାନ୍ତା । ମିଲର ପରବର୍ତ୍ତୀ ବଲରେ ଏକ ସଟ୍ ଚେଷ୍ଟା କରିଥିଲେ, କିନ୍ତୁ ଏଥର ବଲ ତାଙ୍କ ବ୍ୟାଟକୁ ଛାଡ଼ି ୱିକେଟ କିପରଙ୍କ ହାତକୁ ଚାଲିଗଲା । ବଟଲର୍ ସିଧାସଳଖ ଥ୍ରୋ କରିଥିଲେ ଏବଂ କୁଲଦୀପ ରନ ଆଉଟ୍ ହୋଇଥିଲେ । ଦିଲ୍ଲୀ ୧ ରନରେ ମ୍ୟାଚ୍ ହାରିଗଲା ।

ମିଲରଙ୍କ ଆଖିରେ ପରାଜୟ ଲୁହ!

ସେପଟେ ମ୍ୟାଚ୍ ପରେ ନିଜକୁ ନିଜେ ଭୁଲ୍ ସ୍ୱିକାର କରିଥିଲେ ଦକ୍ଷିଣ ଆଫ୍ରିକାର ଏହି ଖେଳାଳି । କାରଣ ପ୍ରଥମେ ଧୂଆଧାଁର ଖେଳ, ପରେ ରିଟାୟର୍ଡ ହଟ୍ । ପରେ ପୁଣିଥରେ ଆସି ଦମ୍ ଦେଖାଇ ଖେଳିବା କୌଣସି ଚତ୍ମକାର ଠାରୁ କମ୍ ନଥିଲା । ହେଲେ ଶେଷ ବଲ୍ରେ ସବୁକିଛି ଓଲଟପାଲଟ । ଆଉ ମ୍ୟାଚ୍ ପରେ ନିଜକୁ ଅଲଗା କରି ବସିଥିବାର ନଜର ଆସିଥିଲେ ମିଲର । ଗୋଟିଏ କୋଣରେ ବସି ମୁଣ୍ଡରେ ହାତ ରଖି ଭାଙ୍ଗିପଡିଥିବାର ନଜର ଆସିଥିଲେ । ଯାହାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । କେହି କେହି କହୁଛନ୍ତି ବୋଧ୍‌ହୁଏ ମିଲର କାନ୍ଦୁଥିଲେ ।

Leave a comment