ଭୋଟ ଦେଉଛି ଆସାମ, କେରଳ ଓ ପୁଡୁଚେରୀ,ବିଜେପି ନେତୃତ୍ୱାଧୀନ ମେଣ୍ଟ ଏବଂ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ ଟକ୍କର
ଭୋଟ ଦେଉଛି ଆସାମ, କେରଳ ଓ ପୁଡୁଚେରୀ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତଦାନ । ଗୋଟିଏ ପର୍ଯ୍ୟାୟରେ ହେଉଥିବା ମତଦାନର ଫଳାଫଳ ଆସନ୍ତା ମେ ୪ ତାରିଖରେ ପ୍ରକାଶ ପାଇବ । ଆସାମର ୧୨୬ ବିଧାନସଭା ଆସନ ପାଇଁ ହେବ ଭୋଟିଂ । ବିଜେପି ନେତୃତ୍ୱାଧୀନ ମେଣ୍ଟ ଏବଂ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର ହେଉଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପାଇଁ ନିଜର ଗଡ଼ ରକ୍ଷା କରିବା ଏକ ବଡ଼ ଆହ୍ୱାନ । ବନ୍ୟା ନିୟନ୍ତ୍ରଣ, ବିଦେଶୀ ଅନୁପ୍ରବେଶ ଏବଂ ଆର୍ଥିକ ବିକାଶ ଭଳି ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ାଯାଉଛି । କେରଳର ୧୪୦ଆସନରେ ପାଇଁ ମତଦାନ କରିବେ ଜନତା । ଦକ୍ଷିଣ ଭାରତର ଏହି ରାଜ୍ୟରେ ପ୍ରତି ୫ ବର୍ଷରେ ସରକାର ବଦଳିବାର ନଜର ରହିଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ନେତୃତ୍ୱରେ ବାମପନ୍ଥୀ ମେଣ୍ଟ LDF ତୃତୀୟ ଥର ପାଇଁ କ୍ଷମତାକୁ ଫେରିବାକୁ ଆଶା ରଖିଛି । କଂଗ୍ରେସ ନେତୃତ୍ୱାଧୀନ UDF ଏବଂ ବିଜେପି ସହ ଚାଲିଛି କଡ଼ା ମୁକାବିଲା ।
ଜନକଲ୍ୟାଣକାରୀ ଯୋଜନା ଓ ବେକାରୀ ସମସ୍ୟା କେରଳ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ । ପୁଡୁଚେରୀରେ ୩୦ ଆସନରେ ହେବ ଭୋଟିଂ । କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସ୍ୱାମୀଙ୍କ AINRC ଏବଂ ବିଜେପି ମେଣ୍ଟ କ୍ଷମତାରେ ରହିଛନ୍ତି । ବିରୋଧୀ କଂଗ୍ରେସ ଏବଂ ଡିଏମକେ ମେଣ୍ଟ ସହ ହେବ ମୁକାବିଲା । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବ୍ୟାପକ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି । ଆଜି ମତଦାନ ପରେ ଏପ୍ରିଲ ୨୩ରେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ରେ ଅନୁଷ୍ଠିତ ହେବ ।