ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟର୍ ଡେଭିଡ୍ ଓ୍ବାର୍ଣ୍ଣର୍
ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟର୍ ଡେଭିଡ୍ ଓ୍ବାର୍ଣ୍ଣର୍ । ଗତ ରବିବାର ରାତିରେ ସେ ସିଡ୍ନିର ମାରୋବ୍ରାଠାରେ ମଦ୍ୟପାନ କରି ଗାଡ଼ିଚଳାଉଥିବା ବେଳେ ଧରା ପଡ଼ିଥିଲେ । ଦୁଇଥର ହୋଇଥିବା ପରୀକ୍ଷାରୁ ସେ ଅନୁମୋଦିତ ମାତ୍ରାଠାରୁ ଅଧିକ ମଦ୍ୟପାନ କରିଥିବା ଜଣାପଡ଼ିଥିଲା । ନ୍ୟୁ ସାଉଥ୍ ଓ୍ବେଲ୍ସ ପୁଲିସ ପକ୍ଷରୁ କୁହାଯାଇଛି ଯେ ତାଙ୍କ ଗାଡ଼ିକୁ ଅଟକାଇ ତାଙ୍କର ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସେ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଥିଲା । କିଛି ସମୟ ପରେ କରାଯାଇଥିବା ଆଉ ଏକ ପରୀକ୍ଷା ପଜିଟିଭ୍ ବାହାରିବା ପରେ ତାଙ୍କୁ ଗିରଫ କରି ମାରୋବ୍ରା ପୁଲିସ ଷ୍ଟେସନକୁ ନିଆଯାଇଥିଲା । ଓ୍ବାର୍ଣ୍ଣର ୨୦୨୪ ଜୁନ ୨୪ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଗ୍ରହଣ କରିଥିଲେ। ଏବେ ସେ ପାକିସ୍ତାନ କ୍ରିକେଟ୍ ଲିଗ୍ (ପିଏସ୍ଏଲ୍)ରେ କରାଚୀ କିଙ୍ଗ୍ସ ପାଇଁ ଚୁକ୍ତିବଦ୍ଧ ଅଛନ୍ତି । ନିଜର ପରବର୍ତ୍ତୀ ପିଏସଏଲ୍ ମ୍ୟାଚ୍ ଖେଳିବାକୁ ସେ ଏପ୍ରିଲ ୯ ସୁଦ୍ଧା ପାକିସ୍ତାନ ଫେରିବାର ଅଛି।