ନନ୍ଦନକାନନକୁ ୪ ଦିନିଆ ଗ୍ରସ୍ତରେ ଆସି ପହଞ୍ଚିଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଦୁଇ ଜଣିଆ ଦଳ,ବିଭିନ୍ନ ଦିଗ ଉପରେ କରିବେ ଅନୁଧ୍ୟାନ

ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ୪ ଦିନିଆ ଗ୍ରସ୍ତରେ ଆସି ପହଞ୍ଚିଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ (CZA) ଦୁଇ ଜଣିଆ ଦଳ। ଦୁଇଜଣ ହେଉଛନ୍ତି, ଜଣେ ଅବସରପ୍ରାପ୍ତ ଭେଟେନାରି ଅଫିସର ଡ଼ ଜାକବ ଆଲେକଜାଣ୍ଡାର ଏବଂ ଅନ୍ୟ ଜଣେ ଅବସରପ୍ରାପ୍ତ ପିସିସିଏଫ କଣ୍ଡଲ ରାଓ। ମଙ୍ଗଳବାର ଏହି ଦଳ ନନ୍ଦନକାନନରେ ପହଞ୍ଚିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ତାଙ୍କୁ ସ୍ଵାଗତ କରିଥିଲେ ।  ଏହାପରେ ଏହି ଦଳ ନନ୍ଦନକାନନର ବିଭିନ୍ନ ଖୁଆଡମାନ ବୁଲି ଦେଖିଥିଲେ ।

ତାଙ୍କ ସହ ପରିଦର୍ଶନରେ ନନ୍ଦନକାନନ ନିର୍ଦ୍ଧେଶକ ସନତ କୁମାର ନାରାୟଣ, ଉପ ନିର୍ଦ୍ଦେଶକ ଅଭୟ କୁମାର ଦଳାଇଙ୍କ ସମେତ ସମସ୍ତ ବିଭାଗର ଏସିଏଫ, ରେଞ୍ଜର ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ। ଆସିଥିବା ସିଜେଡଏ ଦଳ ନନ୍ଦନକାନନର ମୂଲ୍ୟାଙ୍କନ କରିବେ। ୪ ଦିନ ଧରି ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିବେ। ଚିଡ଼ିଆଖାନା ଚଳାଇବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି କରାଯାଇଥିବା ନୀତି ନିୟମକୁ ନନ୍ଦନକାନନ କର୍ତ୍ତୃପକ୍ଷ କିଭଳି ଅନୂପାଳନ କରୁଛନ୍ତି ତାହାକୁ ତନତନ କରି ପରଖିବେ।

ସେଥିମଧ୍ୟରେ ପରିସର ସଫାସୂତରା, ଜଳ ଯୋଗାଣ, ଜୀବଜନ୍ତୁଙ୍କ ସୁରକ୍ଷା, ଖୁଆଡ ନିର୍ମାଣ, ସ୍ବାସ୍ଥ୍ୟ ସମସ୍ୟା ଓ ନିରାକରଣ, ଚିକିତ୍ସା କ୍ଷେତ୍ରରେ ଥିବା ବ୍ୟବସ୍ଥା, ଉନ୍ନତିମୂଳକ କାର୍ଯ୍ୟ, ପର୍ଯ୍ୟଟକମାନଙ୍କ ପାଇଁ ସୁବିଧା ଆଦି ବିଷୟରେ ଅନୁଧ୍ୟାନ କରିବେ। ନିୟମାନୁସାରେ ପ୍ରତି ୩ବର୍ଷକୁ ଥରେ ଭାରତବର୍ଷରେ ଥିବା ଚିଡିଆଖାନାଗୁଡ଼ିକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ (ସିଜେଡଏ)ଦ୍ଵାରା ଅନୁଧ୍ୟାନ କରାଯାଇଥାଏ। ଏହି ଅନୁଧ୍ୟାନ ସମୟରେ କରାଯାଇଥିବା ତର୍ଜମା ଅନୁଯାୟୀ ଚିଡିଆଖାନାମାନଙ୍କର ମୂଲ୍ୟାୟନ (ଗ୍ରେଡେସନ) ଏ,ବି,ସି,ଡ଼ି ଆଦି ଶ୍ରେଣୀରେ ବିଭକ୍ତ କରାଯାଇ ଘୋଷଣା କରାଯାଇଥାଏ।

Leave a comment