ରକେଟ୍ ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ମଣିପୁର ଅଶାନ୍ତ, ୫ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ

ଅଶାନ୍ତ ମଣିପୁର । ରକେଟ୍ ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ମଣିପୁର ଅଶାନ୍ତ ହୋଇ ଉଠିଛି । ରାଜ୍ୟର ଅନେକ ଜିଲ୍ଲାରେ ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଛି । ଫଳରେ ଇଣ୍ଟରନେଟ୍ ବନ୍ଦ କରାଯିବା ସହ କର୍ଫ୍ୟୁ ଲାଗୁ ହୋଇଛି ।

ଘରକୁ ଟାର୍ଗେଟ୍ କରାଯାଇ ଆଟାକ୍

ମଙ୍ଗଳବାର ସକାଳେ ମଣିପୁରର ସମ୍ବେଦନଶୀଳ ପାହାଡ଼ିଆ-ଉପତ୍ୟକା ସୀମାରେ ଅବସ୍ଥିତ ଗାଁ ମୋଇରଙ୍ଗର ଟ୍ରୋଙ୍ଗଲାବି ଆୱାଙ୍ଗ ଲାଇକାଇରେ ଥିବା ଏକ ଘରକୁ ଟାର୍ଗେଟ୍ କରାଯାଇଥିଲା। ଏଥିରେ ଗୋଟିଏ ପରିବାର ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ତେବେ ଏହା ମୋର୍ଟାର୍ ଥିଲା କି ରକେଟ୍ ମାଡ଼ ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ରିପୋର୍ଟ ଅନୁସାରେ, ନିକଟବର୍ତ୍ତୀ ପାହାଡିଆ ଅଞ୍ଚଳରୁ ଏହି ଆକ୍ରମଣ କରାଯାଇଥିବାବେଳେ, ଏଥିରେ ସୀମା ସୁରକ୍ଷା ବାହିନୀର ଜଣେ ଭାରତୀୟ ଯବାନଙ୍କ ଘର ନଷ୍ଟ ହୋଇଯାଇଛି। ତାଙ୍କ ନାଁ ହେଲା ଓଇନାମ୍ ମାଲେମଙ୍ଗାନବା। ସେ ରାଜ୍ୟ ବାହାରେ ନିୟୋଜିତ ଅଛନ୍ତି। ବିସ୍ଫୋରଣ ସମୟରେ ତାଙ୍କ ପତ୍ନୀ,୩୭ ବର୍ଷୀୟ ଓଇନାମ୍ ଓଙ୍ଗବି ବିନିତା ଏବଂ ସେମାନଙ୍କର ଦୁଇ ପିଲାଘରେ ଥିଲେ। ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କ ବୟସ ପାଞ୍ଚ ବର୍ଷ ହୋଇଥିବା ବେଳେ ଆଉ ଜଣେ ୫ ମାସର ଶିଶୁ। ଏହି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯବାନଙ୍କ ପତ୍ନୀ ବିନିତା ଗୁରୁତର ଆହତ ହୋଇଛନ୍ତି।

ଭୋର ସମୟରେ ଯବାନଙ୍କ ଘରେ ଏହି ଆକ୍ରମଣ ହୋଇଥିଲା।ଏଥିରେ ଘରର ଏକପ୍ରକାର ଚୁରମାର ହୋଇଯାଇଥିଲା। ଖବର ପାଇଁ ସ୍ଥାନୀୟ ଲୋକ ଓ ପୁଲିସ ଭଙ୍ଗା ଘରୁ ଯବାନଙ୍କ ଆହତ ପତ୍ନୀ ଓ ଦୁଇ ପୁଅଙ୍କୁ ଉଦ୍ଧାର କରି ଇମ୍ଫାଲର ଡାକ୍ତରଖାନା ନେଇଥିଲେ। ଚିକିତ୍ସା ବେଳେ ଦୁଇ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ବିନିତାଙ୍କ ଚିକିତ୍ସା ଚାଲିଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଭୋର ସମୟରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଏହାପରେ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।

କର୍ଫ୍ୟୁ ଏବଂ ଇଣ୍ଟରନେଟ୍ ବନ୍ଦ

ରାଜ୍ୟରେ ଘଟଣା ପରେ ସ୍ଥିତି ଅଣାୟତ ରହିଛି । ଯାହାକୁ ରୋକିବାକୁ ସରକାର ବିଷ୍ଣୁପୁର ଜିଲ୍ଲାରେ କର୍ଫ୍ୟୁ ଲଗାଇଛନ୍ତି । ସେହିପରି ଘାଟି ନିକଟବର୍ତ୍ତୀ ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । କେବଳ ଏତିକି ନୁହେଁ ଅନେକ ସ୍ଥାନରେ ସୁରକ୍ଷାକର୍ମୀ ଏବଂ ଜନତା ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

Leave a comment