କାଳବୈଶାଖୀ ପ୍ରଭାବ ଆସନ୍ତା ୧୦ ଯାଏ ରହିବ ,ତାତିରୁ ମିଳିବ ତ୍ରାହି
ପ୍ରଚଣ୍ଡ ବଜ୍ରପାତ। ସାଂଘାତିକ ପବନ। ତା’ସାଙ୍ଗକୁ ନିର୍ଘାତ୍ କୁଆପଥର ମାଡ଼ । ସୋମବାର ଅପରାହ୍ନରେ ବି ଭୟାନକ ରୂପ ଦେଖାଇଲା କାଳବୈଶାଖୀ। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡରେ ନିର୍ଧୁମ ବର୍ଷିଲା କୁଆପଥର। ପାଟଣାଗଡ଼, ବେଲପଡ଼ା, ଖପ୍ରାଖୋଲରେ କିଲୋମିଟର କିଲୋମିଟର ପିଚୁ ରାସ୍ତା କୁଆପଥର ଚାଦର ତଳେ ଧଳା ହୋଇଗଲା। ଯୁଆଡ଼େ ଦେଖିବ କୁଆପଥର। କିଛି ସମୟ ପାଇଁ ଲାଗିଲା-ଯେମିତି ପାଟଣାଗଡ଼ରେ କାଶ୍ମୀର ଭଳି ବରଫପାତ ହେଉଛି । ଅନେକ ସ୍ଥାନରେ କୁଆପଥର ମାଡ଼ରେ କ୍ଷୟକ୍ଷତି ବି ହୋଇଛି । ରାସ୍ତାରେ ଓ ଖୋଲା ଆକାଶ ତଳେ ଥିବା ଲୋକେ ନାକେଦମ ହୋଇଛନ୍ତି।
ତେବେ ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ବି କାଳବୈଶାଖୀ କୋପ ଦେଖାଇଛି । ଦଶପଲ୍ଲା ଲଙ୍କାପୋଡ଼ି ତୋରଣରୁ ରାବଣ ମୁଣ୍ଡ ଉଡ଼ିଯାଇଛି । ଗଛ ଭାଙ୍ଗିବାରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା । ଭୁବନେଶ୍ୱରରେ ବି ବର୍ଷା ସାଙ୍ଗକୁ ବଜ୍ରପାତ ଥରାଇଛି । କଟକ, ବାଲେଶ୍ୱର, ଅନୁଗୁଳ, ବାରିପଦା, ସମ୍ବଲପୁର, ଭବାନୀପାଟଣା, ଜଗତସିଂହପୁର, ଖୋର୍ଦ୍ଧା, ନବରଙ୍ଗପୁର, ରାଉରକେଲା, ବରଗଡ଼ରେ ବି କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି ।
ପାଣିପାଗ ବିଭାଗ ଆକଳନ ହେଲା, କାଳବୈଶାଖୀ ପ୍ରଭାବ ଆସନ୍ତା ୧୦ ଯାଏ ରହିବ । ସପ୍ତାହେ ପର୍ଯ୍ୟନ୍ତ ତାତି ବିଶେଷ ବଢ଼ିବନି । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜର କେତେକ ସ୍ଥାନ ସହ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଏଥିରୁ କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ପବନ ଏବଂ ବଜ୍ରପାତ ଆଶଙ୍କା ରହିଛି । ଆଉ କେତେକ ସ୍ଥାନରେ ୩୦ରୁ ୪୦ କିମି ପବନ ହୋଇପାରେ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏପ୍ରିଲରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଏବଂ ତାପମାତ୍ରା ୩୫ରୁ ୩୮ ଡିଗ୍ରୀ ସେଲସିୟସ ପ୍ରାୟତଃ ରହିବା ସମ୍ଭାବନା ଅଛି । ପଶ୍ଚିମା ଝଡ଼ ପ୍ରଭାବ ଓଡ଼ିଶାରେ କାଳବୈଶାଖୀ ବର୍ଷା ଆଣିବ । ଫଳରେ ଗ୍ରୀଷ୍ମ ପ୍ରବାହ ପ୍ରକୋପରୁ ରକ୍ଷା ମିଳିବ । ମେ’ ମାସରେ ଚରମ ଗରମ ହେବ । ଜୁନରେ ସ୍ୱାଭାବିକ ସମୟ (ଜୁନ୍ ୧୦ରୁ ୧୫) ମଧ୍ୟରେ ମୌସୁମୀର ଆଗମନ ହୋଇପାରେ । ତୀବ୍ର ବଜ୍ରପାତ ଓ ପବନ ସହ ପ୍ରଚଣ୍ଡ ଖରା ନେଇ ଚାଷ ଭାଇମାନେ ପ୍ରସ୍ତୁତ ରହିବାକୁ ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ବୌଦ୍ଧରେ ସର୍ବାଧିକ ୩୮.୩ ଡିଗ୍ରୀ ସେଲସିୟସ୍, ବଲାଙ୍ଗୀର ୩୭.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଥିଲା ।