ଷ୍ଟକ୍ ଏକ୍ସଚେଞ୍ଜରେ ଉତ୍ସାହଜନକ କାରବାର,ସେନ୍ସେକ୍ସ ୭୮୭ ପଏଣ୍ଟ୍ ବୃଦ୍ଧି ପାଇ ୭୪,୧୦୬ ପଏଣ୍ଟ୍ରେ ବନ୍ଦ ହୋଇଛି
ଦେଶର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ସୋମବାର ଉତ୍ସାହଜନକ କାରବାର ହୋଇଥିଲା। ଏହାର ପ୍ରଭାବରେ ସେନ୍ସେକ୍ସ ୭୮୭ ପଏଣ୍ଟ୍ ବୃଦ୍ଧି ପାଇ ୭୪,୧୦୬ ପଏଣ୍ଟ୍ରେ ବନ୍ଦ ହୋଇଛି। ନିଫ୍ଟି ମଧ୍ୟ ୨୫୫ ପଏଣ୍ଟ୍ ବୃଦ୍ଧି ସହ ୨୨,୯୬୮ ପଏଣ୍ଟ୍ରେ ବନ୍ଦ ହୋଇଛି। ଆଜି ନିବେଶକମାନେ ବ୍ୟାଙ୍କ ଓ ରିଅଲ ଇଷ୍ଟେଟ୍ କମ୍ପାନିର ସେୟାର ଅଧିକ ସଂଖ୍ୟାରେ କିଣୁଥିବା ଦେଖିବାକୁ ମିଳିଥିଲା।
ସେନ୍ସେକ୍ସରେ ଘଟିଥିବା ବୃଦ୍ଧି ପ୍ରଭାବରେ ନିବେଶକମାନଙ୍କୁ ୫ ଲକ୍ଷ କୋଟି ଟଙ୍କା ଫାଇଦା ହୋଇଥିବା ଆକଳନ କରାଯାଇଛି। ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍ ବଜାର ପୁଞ୍ଜି ପରିମାଣ ୪୨୨ ଲକ୍ଷ କୋଟି ଟଙ୍କାରୁ ବଢ଼ି ୪୨୭ ଲକ୍ଷ କୋଟି ଟଙ୍କା ହୋଇଛି। କମ୍ପାନିଗୁଡ଼ିକ ମଧ୍ୟରେ ଟ୍ରେଣ୍ଟ୍, ଏସ୍ବିଆଇ ଲାଇଫ୍ ଓ ଟାଇଟାନ୍ର ସେୟାର ମୂଲ୍ୟରେ ବୃଦ୍ଧି ଘଟିଥିଲା। ସେହି ସମୟରେ ରିଲାଏନ୍ସ, ଓଏନ୍ଜିସି ଓ ମ୍ୟାକ୍ସ ହେଲ୍ଥର ସେୟାର ମୂଲ୍ୟ ହ୍ରାସ ପାଇଥିଲା। ଏସିଆର ଦୁଇ ପ୍ରମୁଖ ସେୟାର ବଜାର ଦକ୍ଷିଣ କୋରିଆରେ କୋପ୍ସି ସୂଚକାଙ୍କ ୧.୩୬ ପ୍ରତିଶତ ବୃଦ୍ଧି ପାଇ ୫୪୫୦ ପଏଣ୍ଟ ଓ ଜାପାନର ନିକେଇ ସୂଚକାଙ୍କ ୦.୫୫ ପ୍ରତିଶତ ବୃଦ୍ଧି ପାଇ ୫୩,୪୧୩ ପଏଣ୍ଟରେ ବନ୍ଦ ହୋଇଥିଲା। ହଂକଂର ସାଙ୍ଗସେଙ୍ଗ ଓ ଚୀନର ସାଂଘାଇ କମ୍ପୋଜିଟ୍ ସୂଚକାଙ୍କରେ କାରବାର ଆଜି ବନ୍ଦ ରହିଥିଲା। ଆମେରିକାର ତିନି ସେୟାର ବଜାରରେ ମିଶ୍ରିତ କାରବାର ହୋଇଥିଲା। ଡାଓ ଜୋନ୍ସ ୨୨୪ ପଏଣ୍ଟ୍ ଖସି ୪୬,୫୦୪ ପଏଣ୍ଟ୍ରେ ବନ୍ଦ ହୋଇଥିଲା। ନାସ୍ଦାକ କମ୍ପୋଜିଟ୍ ସୂଚକାଙ୍କ ଓ ଏସ୍ଆଣ୍ଡ୍ପି ୫୦୦ରେ କିନ୍ତୁ ବୃଦ୍ଧି ଘଟିଥିଲା।