ଅନ୍ୟ ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଓଡ଼ିଶା ରାଜପଥରେ ଗଡ଼ିବନି-ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଓଡ଼ିଶାର ରାଜପଥରେ ଏଣିକି ଗଡ଼ିବନି ବାହାର ରାଜ୍ୟର ପୁରୁଣା ଗାଡ଼ି । ଯଦି ଆପଣଙ୍କ ପାଖରେ ଅନ୍ୟ ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଅଛି, ତେବେ ସାବଧାନ ! କାରଣ ପରିବହନ ବିଭାଗ ଏବେ ଆକ୍ସନ ମୋଡ୍ରେ । ରାଜ୍ୟ ପରିବହନ ବ୍ୟବସ୍ଥାକୁ ଚକ୍ଚକିଆ ଏବଂ ସୁରକ୍ଷିତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।
ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ପରେ ଏବେ ସାରା ରାଜ୍ୟରେ କଡ଼ାକଡ଼ି ହେବାକୁ ଯାଉଛି ନିୟମ । ୧୯ ଜୁଲାଇ ୨୦୨୩ରେ ବସିଥିବା ଏସଟିଏ ବୈଠକର ନିଷ୍ପତ୍ତିକୁ ଏବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଆରଟିଓଙ୍କୁ ସ୍ପଷ୍ଟ ଚିଠି ଲେଖାଯାଇଛି । ମୁଖ୍ୟତଃ, ଓଡ଼ିଶା ବାହାରୁ ଆସୁଥିବା ୧୦ ବର୍ଷରୁ ଅଧିକ ପୁରୁଣା ଟ୍ରକ୍, ବସ୍ କିମ୍ବା ଅନ୍ୟାନ୍ୟ ବାଣିଜ୍ୟିକ ଗାଡ଼ି ଉପରେ ଲାଗିଛି ‘ନୋ ଏଣ୍ଟ୍ରି’ ବ୍ୟାନର ।
ନୂଆ ପରମିଟ୍ ତ ମିଳିବନି, ଓଲଟା ମାଲିକାନା ବଦଳାଇବା କିମ୍ବା ଟ୍ୟାକ୍ସ ଦେବା ପାଇଁ ଆରଟିଓ ଅଫିସ ଗଲେ ଆପଣଙ୍କୁ ନିରାଶ ହେବାକୁ ପଡ଼ିବ । ସଡ଼କ ଦୁର୍ଘଟଣା ରୋକିବା ଏବଂ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଏହା ଏକ ବଡ଼ ସଂସ୍କାରମୂଳକ ପଦକ୍ଷେପ ବୋଲି କୁହାଯାଉଛି ।