ଆମେରିକାକୁ ସମର୍ଥନ ନକରି ଇରାନ୍ ବିଶ୍ବାସ ଜିତିଛି ଫ୍ରାନ୍ସ,ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ହର୍ମୁଜ୍ ଦେଇ ଗତି କରିଛି ଫ୍ରାନ୍ସର ଜାହାଜ

ଆମେରିକାକୁ ସମର୍ଥନ ନକରି ଇରାନ୍ର ବିଶ୍ବାସ ଜିତିଛି ଫ୍ରାନ୍ସ । ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ହର୍ମୁଜ୍ ଦେଇ ଗତି କରିଛି ଫ୍ରାନ୍ସର ଜାହାଜ । ନାଟୋର ଏକ ଘନିଷ୍ଠ ସହଯୋଗୀ ଫ୍ରାନ୍ସ, ଇରାନ ଯୁଦ୍ଧରେ ଆମେରିକାକୁ ସମର୍ଥନ କରିବାକୁ ସିଧାସଳଖ ମନା କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କହିଥିଲେ, ‘ଆମେ ଯୁଦ୍ଧରେ ଆପଣଙ୍କୁ ସାହାଯ୍ୟ କରିପାରିବୁ ନାହିଁ।’ ଆମେରିକାକୁ ସମର୍ଥନ ନକରି ଫ୍ରାନ୍ସ ଇରାନର ବିଶ୍ବାସ ଜିତିନେଇଥିବା କୁହାଯାଉଛି ।

ଫ୍ରାନ୍ସକୁ ଇରାନ ଏକ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ଉପହାର ଦେଇଛି। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଯୋଗୁଁ ବିଶ୍ୱର ଦେଶଗୁଡ଼ିକ ତେଲ ଏବଂ ଗ୍ୟାସ୍ ଅଭାବର ସମ୍ମୁଖୀନ ହେଉଥିବା ସମୟରେ, ଇରାନ୍ ଏକ ଫ୍ରାନ୍ସ କମ୍ପାନୀର ଜାହାଜକୁ ହର୍ମୁଜ୍ ଦେଇ ଯିବାକୁ ଅନୁମତି ଦେଇଛି। ଜାହାଜ ଟ୍ରାକିଂ ତଥ୍ୟ ଅନୁଯାୟୀ , ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ଫରାସୀ ଜାହାଜ କମ୍ପାନୀ CMA CGMର ଏକ କଣ୍ଟେନର ଜାହାଜ ହର୍ମୁଜ୍ ପ୍ରଣାଳୀ ଦେଇ ପଶ୍ଚିମ ୟୁରୋପ ଅଭିମୁଖେ ଯାତ୍ରା କରୁଛି ।

ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁଯାୟୀ, ବିଶ୍ୱର ତୃତୀୟ ବୃହତ୍ତମ କଣ୍ଟେନର ସିପିଂ ଲାଇନର ମାଲ୍ଟା-ପତାକାଯୁକ୍ତ CMA CGM କ୍ରିବି ଗୁରୁବାର ଅପରାହ୍ନରେ ଦୁବାଇ ନିକଟସ୍ଥ ଜଳଭାଗ ଛାଡ଼ି ପୂର୍ବ ଦିଗରେ ଯାତ୍ରା କରିଛି । ଜାହାଜ ଟ୍ରାକିଂ ତଥ୍ୟ ଅନୁଯାୟୀ, ଇରାନ ଉପକୂଳ ନିକଟ ଦେଇ ଯାଉଥିବା ସମୟରେ, ଜାହାଜର ସ୍ୱୟଂଚାଳିତ ପରିଚୟ ପ୍ରଣାଳୀ (AIS) ସୂଚାଉଥିଲା ଯେ, ଏହା ଏକ ଫ୍ରାନ୍ସ କମ୍ପାନୀର ଜାହାଜ ।

ମାର୍ଚ୍ଚ ମାସରୁ ଫସି ରହିଥିଲା ଏହି ଜାହାଜ
ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଅନେକ ଜାହାଜ ହର୍ମୁଜରେ ଫସି ରହିଛନ୍ତି । ଇରାନ ବିଶ୍ୱ ବାଣିଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଛି। କେବଳ ଭାରତ, ଚୀନ୍, ରୁଷିଆ, ଇରାକ ଏବଂ ପାକିସ୍ତାନ ଭଳି କେତେକ ସହଯୋଗୀ ରାଷ୍ଟ୍ରଙ୍କୁ ଇରାନ୍ ହର୍ମୁଜ ଦେଇ ଜାହାଜ ଯାତାୟତ ଲାଗି ଅନୁମତି ଦେଇଛି । ଫ୍ରାନ୍ସର ଏହି ଜାହାଜ ମାର୍ଚ୍ଚ ମାସ ଆରମ୍ଭରୁ ହର୍ମୁଜ ପ୍ରଣାଳୀ ନିକଟରେ ଫସି ରହିଥିଲା।

ଜାପାନୀ ଜାହାଜକୁ ବି ଅନୁମତି !
ଓମାନର ତିନୋଟି ଟ୍ୟାଙ୍କର୍ ମଧ୍ୟ ଏହି ପ୍ରଣାଳୀ ଦେଇ ଗତି କରିଥିବା ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ସୋହାର ଏଲଏନଜିରେ ପାନାମା ପତାକା ଲାଗିଛି । ଏହି ଟ୍ୟାଙ୍କର ଜାପାନର ମିଟସୁଇ ଓଏସକେ ଲାଇନ୍ସର ମାଲିକାନାରେ ରହିଛି । ତେବେ ଟ୍ୟାଙ୍କରକୁ ସୁରକ୍ଷିତ ଭାବରେ ଆଗକୁ ନେବା ପାଇଁ ଇରାନ ସହିତ କ’ଣ ଆଲୋଚନା କରାଯାଇଛି, ସେନେଇ କମ୍ପାନୀ ପକ୍ଷରୁ କିଛି କୁହାଯାଇ ନାହିଁ ।

 

Leave a comment