ଇରାନ ଭାରତକୁ ଖାଲି ବନ୍ଧୁ ବୋଲି କହୁନି, ବନ୍ଧୁତ୍ୱ ନିଭାଉଛି ମଧ୍ୟ,ଷ୍ଟ୍ରେଟ୍ ଅଫ ହରମୁଜ ଦେଇ ଭାରତୀୟ ପତାକା ଥିବା ଏଲ୍‌ପିଜି ଓ ପେଟ୍ରୋଲ, ଡିଜେଲ୍ ବୋଝେଇ ଜାହାଜ ସହଜରେ ପାସ୍ ହୋଇଯାଉଛି

ଇରାନ ଭାରତକୁ ଖାଲି ବନ୍ଧୁ ବୋଲି କହୁନି, ବନ୍ଧୁତ୍ୱ ନିଭାଉଛି ମଧ୍ୟ। ଯୁଦ୍ଧ ଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ଇରାନ ଅନ୍ୟ କିଛି ଦେଶର ଜାହାଜକୁ ଯିବାକୁ ଦେଉ ନଥିବା ବେଳେ ଭାରତୀୟ ଜାହାଜ କିନ୍ତୁ ଛାଡ଼ି ଦେଉଛି। ଷ୍ଟ୍ରେଟ୍ ଅଫ ହରମୁଜ ଦେଇ ଭାରତୀୟ ପତାକା ଥିବା ଏଲ୍‌ପିଜି ଓ ପେଟ୍ରୋଲ, ଡିଜେଲ୍ ବୋଝେଇ ଜାହାଜ ସହଜରେ ପାସ୍ ହୋଇଯାଉଛି।
ଶୁକ୍ରବାର ଭାରତର ସପ୍ତମ ଏଲ୍‌ପିଜି ଟ୍ୟାଙ୍କର ଗ୍ରୀନ ସାଙ୍ଗବୀ ବିନା ବାଧାରେ ହରମୁଜ ଜଳପଥ ପାର୍ କରିଛି। ଏନେଇ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘାବୀ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏବଂ ଭାରତର କୂଟନୈତିକ ସଫଳତାକୁ ପ୍ରଶଂସା କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଜବାବ ଦେଇ ଭରତକୁ ଏକ ମେସେଜ୍ ଦେଇଛି ଇରାନ।ମୁମ୍ବାଇରେ ଥିବା ଇରାନ ଦୂତାବାସ ଏକ୍ସରେ ପୋଷ୍ଟ କରି ଲେଖିଛି “ଭାରତ ବିଶେଷ କରି ଗୁଜରାଟ ଆମର ମିଶ୍ରିତ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଛି। ଶତାବ୍ଦୀ ପୂର୍ବରୁ ଆମ ଦେଶରୁ ଆସିଥିବା ଲୋକଙ୍କୁ ଗୁଜରାଟ ଅତି ଆଦରର ସହ ସ୍ୱାଗତ କରିଥିଲା।”
ଇରାନର ଏହି ମନ୍ତ୍ୟବ୍ୟ ସମ୍ଭବତଃ ଗୁଜୁରାଟର ପ୍ରାଚୀନ ଲୋଥାଲ ବନ୍ଦରରକୁ ନେଇ କରାଯାଇଛି। ଯାହା ପ୍ରାୟ ୪ ହଜାର ବର୍ଷ ପୂର୍ବେ ସିନ୍ଧୁ ଉପତ୍ୟକାର ସହରଗୁଡ଼ିକୁ ପାରସ୍ୟ ଉପକୂଳ ସହିତ ସଂଯୋଗ କରିଥିଲା। ଇରାନ ଦୂତାବାସ ଆହୁରି କହିଛି“ ଏହି ସ୍ଥାୟୀ ସଭ୍ୟତାଗତ ବନ୍ଧନକୁ ନେଇ ଆମେ ଭାରତ ସହିତ ବନ୍ଧୁତା ଏବଂ ସହଯୋଗର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପ୍ରତିବଦ୍ଧ।”
ଭାରତର ଗ୍ରୀନ ସାଂଗବୀ ଜାହାଜ ୪୬,୬୫୦ ମେଟ୍ରିକ ଟନ ଏଲ୍‌ପିଜି ନେଇ ଭାରତ ଅଭିମୁଖେ ଆସୁଛି। ଏହି ଜାହଜଟି ଇରାନର ହରମୁଜ ଜଳପଥ ପାର୍ କରି ସାରିଛି। ଏହାକୁ ନେଇ ଗୁଜରାଟ ମୁପମୁଖ୍ୟମନ୍ତ୍ରୀ ହର୍ଷ ସଂଘାବୀ ଏକ୍ସରେ ପୋଷ୍ଟ କରି ଲେଖିଥିଲେ ଆଉ ଏକ ଜାହାଜ ଆଉ ଏକ କୂଟନୈତିକ ବିଜୟ।
ହରମୁଜ ଜଳପଥ ବିଶ୍ୱର ମୋଟ ତୈଳ ଆବଶ୍ୟକତାର ଏକ ପଞ୍ଚମାଂଶ ଯୋଗାଣ ପୂରା କରିଥାଏ। ବର୍ତ୍ତମାନ ଯୁଦ୍ଧା କାରଣରୁ ଇରାନ ଏହି ରାସ୍ତାକୁ ବନ୍ଦ କରି ଦେଇଛି। ତେଣୁ ସାରା ବିଶ୍ୱରେ ବର୍ତ୍ତମାନ ଶକ୍ତି ସଂକଟ ଦେଖା ଦେଇଛି। ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପ୍ରତି ୧୦୦ ଡଲାର ପାର୍ କରିଛି।
ତେବେ ଭାରତର ଏପର୍ଯ୍ୟନ୍ତ ଏଲପିଜି ପରିବହନ କରୁଥିବା ୮ଟି ଜାହାଜ ହର୍ମୁଜ ପାର କରି ଭାରତୀୟ ବନ୍ଦରରେ ପହଞ୍ଚିଛି। ପ୍ରାୟ ୧୭ଟି ଭାରତୀୟ ଜାହାଜ ହରମୁଜ ଜଳପଥର ପଶ୍ଚିମରେ ଫସି ରହିଛି।

ଇରାନ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ଶତ୍ରୁ ରାଷ୍ଟ୍ର ଓ ବାକି ଦୁନିଆ ପାଇଁ ବନ୍ଦ ରଖିଥିବା ବେଳେ ଏହାର ମିତ୍ର ରାଷ୍ଟ୍ରଗୁଡ଼ିକ ପାଇଁ ଜଳପଥ ଖୋଲା ରଖିଛି। ଆଉ ଭାରତୀୟଙ୍କ ପାଇଁ ଖୁସୀର କଥା ହେଲା ଇରାନର ବନ୍ଧୁ ରାଷ୍ଟ୍ର ତାଲିକାରେ ଭାରତର ନାଁ ବି ରହିଛି। ଇରାନ ଏହାର ବନ୍ଧୁ ରାଷ୍ଟ୍ର ଭାରତ, ଋଷ, ଚୀନ ଇରାକ ଓ ପାକିସ୍ତାନ ପାଇଁ ଷ୍ଟ୍ରେଟ୍ ଅଫ ହରମୁଜ ଜଳପଥ ଖୋଲା ରଖିଛି।

Leave a comment