ଅସମ୍ଭାଳ ତାତି,୩ ଦିନ ପାଇଁ ୪ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି
ଏପ୍ରିଲ ଆରମ୍ଭରୁ ଅସମ୍ଭାଳ ତାତି। ଉପକୂଳ ଓଡ଼ିଶାରେ ଅସହ୍ୟ ଗରମ ଓ ଗୁଳୁଗୁଳି। ଆଗକୁ ଆହୁରି ହେବ। ଏନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୩ ଦିନ ପାଇଁ ୪ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକକୁ ଓ୍ୱାର୍ଣିଂ ଜାରି କରାଯାଇଛି।
ଏପ୍ରିଲ ମାସ ଆରମ୍ଭରୁ ଡହଡହ ଖରା ସାଙ୍ଗକୁ ଗୁଳୁଗୁଳି ଅସହ୍ୟ କଲାଣି। ସ୍ଥିତି ଏମିତି ହେଉଛି ଯେମିତି ଦିନ ୧୧ଟାରୁ ୩ଟା ଭିତରେ ଖରାକୁ ବାହାରିଲେ ଦେହ ସିଝିଯାଉଛି। ପଶ୍ଚିମ ଓଡ଼ିଶାରେ ଟାଇଁ ଟାଇଁ ଖରା ହେଉଛି। ଉପକୂଳ ଓଡ଼ିଶାରେ ଗୁଳୁଗୁଳି ପାଇଁ ଗରମ ଦୁଇଗୁଣା ଅନୁଭବ ହେଉଛି। ବାୟୁମଣ୍ଡଳରେ ଆଦ୍ରତା ୮୦ ପ୍ରତିଶତରୁ ଅଧିକ ରହୁଥିବାରୁ ୩୬ ଡିଗ୍ରୀ ତାପମାତ୍ରା ୪୬ ଡିଗ୍ରି ଭଳି ଅନୁଭୂତ ହେଉଛି। ରାଜଧାନୀ ଭୁବନେଶ୍ବରରେ ଆଜିର ଆଦ୍ରତା ୫୩ ପ୍ରତିଶତ ରହିଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି।ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ଅନୁଭୂତ ହେଉଛି। ଗତ କିଛି ଦିନ ହେବ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ସେଥିପାଇ ରାଜ୍ୟକୁ ହଟ୍ ଆଣ୍ଡ ହ୍ୟୁମିଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମାତ୍ରାଧିକ ଆଦ୍ରତା ପାଇଁ ଭୀଷଣ ଗରମ ଓ ଗୁଳୁଗୁଳି ହେଉଛି।