ହର୍ମୁଜ୍ ପ୍ରଣାଳୀ ଉପରେ ଆଲୋଚନା ପାଇଁ ୟୁକେ ପକ୍ଷରୁ ଭାରତ ସମେତ ଅନେକ ଦେଶକୁ ନିମନ୍ତ୍ରଣ କରାଯାଇଛି , ଆମେରିକାକୁ ନାହିଁ ନିମନ୍ତ୍ରଣ

ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁ ଇରାନ ଷ୍ଟ୍ରେଟ୍ ଅଫ ହରମୁଜ ବନ୍ଦ କରିଦେଇଛି।ଫଳରେ ସାରା ବିଶ୍ୱରେ ଶକ୍ତି ସଂକଟ ଦେଖା ଦେଇଛି। ଏହାର ସମାଧାନ ପାଇଁ ଭାରତର ସହଯୋଗ ଲୋଡ଼ିଛି ୟୁନାଇଟେଡ୍ କିଙ୍ଗଡମ(ୟୁକେ)। ଏହି ମାମଲାରେ ଆଲୋଚନା କରି ସମାଧାନ ବାହାର କରିବାକୁ ଭାରତ ସମେତ ୩୫ଟି ଦେଶକୁ ନିମନ୍ତ୍ରଣ କରିଛନ୍ତି ବ୍ରିଟେନ ସରକାର। ଏନେଇ ବୈଦେଶିକ ବ୍ୟାପାର ପ୍ରବକ୍ତା ରଣଧୀର ଜୟସ୍ୱାଲ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ବୈଠକ ଜାରି ରହିଛି।

ରଣଧୀର ଜୟସୱାଲଙ୍କ ଅନୁଯାୟୀ, ଭାରତ ଏହି ବୈଠକରେ ସାମିଲ୍ ହୋଇଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ହେବାକୁ ଥିବା ବୈଠକରେ ନୂଆଦିଲ୍ଲୀର ପ୍ରତିନିଧିତ୍ୱ କରିବେ। ଜୟସ୍ୱାଲ କହିଛନ୍ତି “ହର୍ମୁଜ୍ ପ୍ରଣାଳୀ ଉପରେ ଆଲୋଚନା ପାଇଁ ୟୁକେ ପକ୍ଷରୁ ଭାରତ ସମେତ ଅନେକ ଦେଶକୁ ନିମନ୍ତ୍ରଣ କରାଯାଇଛି। ଆମ ପକ୍ଷରୁ, ବୈଦେଶିକ ସଚିବ ଆଜି ସନ୍ଧ୍ୟାରେ ବୈଠକରେ ଯୋଗ ଦେଉଛନ୍ତି।”

ହରମୁଜ ବନ୍ଦ ହେବା ପରେ ଭାରତ ସମେତ ୟୁକେ, ଜାପାନ ଭଳି ମହାଶକ୍ତିମାନଙ୍କର ଇନ୍ଧନ ସମସ୍ୟା ଉପୁଜିଛି। ଖାଲି ଏମାନେ କାହିଁକି, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳ, ଭିଏତନାମ,ଇଣ୍ଡୋନେସିଆ, ମିଆଁମାର ଭଳି ଏକାଧିକ ଏସିଆୟ ରାଷ୍ଟ୍ର ଓ ୟୁରୋପୀୟ ରାଷ୍ଟ୍ର ମଧ୍ୟ ଇନ୍ଧନ ସଂକଟ ଦେଇ ଗତି କରୁଛନ୍ତି। ଏଥିପାଇଁ ଦେଶଗୁଡ଼ିକର ଛୋଟଛୋଟ ଏମଏସଏମିଇ ବନ୍ଦ ହେବାରେ ବସିଲାଣି। ତେଣୁ ଏହାର ତୁରନ୍ତ ସମାଧାନର ଆବଶ୍ୟକତା ମନେ କରି ୟୁକେ ବୈଠକ ଡକାଇଛି।

ଏପଟେ ଭାରତ କୂଟନୈତିକ ଆଲୋଚନା ମାଧ୍ୟମରେ ହରମୁଜ ଜଳପଥ ଖୋଲିବା ନେଇ ଆଲୋଚନା ଜାରି ରଖିଛି। କିଛି ନହେଲେ ଭାରତର ଜାହାଜ ଛାଡ଼ିବାକୁ ଇରାନକୁ ଅନୁରୋଧ କରାଯାଇଛି। ଏନେଇ ଜୟସ୍ୱାଲ କହିଛନ୍ତି “ଆମର ଜାହାଜଗୁଡ଼ିକ କିଭଳି ଅବାଧ ଓ ସୁରକ୍ଷିତ ପରିବହନ କରିପାରିବେ ସେଥିପାଇଁ ଆମେ ଇରାନ ଏବଂ ସେଠାକାର ଅନ୍ୟାନ୍ୟ ଦେଶ ସହିତ ଯୋଗାଯୋଗରେ ଅଛୁ।”

ଭାରତର ଆଲୋଚନା ଫଳପ୍ରଦ ହୋଇଛି ବୋଲି ସେ କହିଛନ୍ତି। ଜୟସ୍ୱାଲ କହିଛନ୍ତି “ଗତ କିଛି ଦିନ ଧରି ଜାରି ରହିଥିବା ଆମର ଆଲୋଚନା ମଧ୍ୟରେ ଆମର ୬ଟି ଭାରତୀୟ ଜାହାଜ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ପାର କରିପାରିଛି ଏବଂ ଆମେ ସମ୍ପୃକ୍ତ ପକ୍ଷମାନଙ୍କ ସହିତ ଯୋଗାଯୋଗରେ ରହିଛୁ।”

Leave a comment