ଭାରତକୁ ଆସୁଛି ୬ ଲକ୍ଷ ବ୍ୟାରେଲ ଇରାନ ଅଶୋଧିତ ତୈଳ

ଇରାନରୁ ଅଶୋଧିତ ତୈଳ ନେଇ ଆସୁଥିବା ଏକ ଟ୍ୟାଙ୍କର ଭାରତ ତାର ଗନ୍ତବ୍ୟ ବୋଲି ସୂଚିତ କରିଛି। ୨୦୧୯ ମସିହା ପରେ ତେହେରାନରୁ ଭାରତକୁ ଏହା ପ୍ରଥମ ତୈଳ କନସାଇନମେଣ୍ଟ ବୋଲି କୁହାଯାଇପାରେ। ଏହି ଘଟଣାକ୍ରମ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ପଶ୍ଚିମ ଏସିୟାରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମାର୍ଚ୍ଚ ୨୧ ତାରିଖରେ ଇରାନର ଅଶୋଧିତ ତୈଳ ଉପରେ ଆମେରିକା ମାସକ ଲାଗି କଟକଣା ନିଲମ୍ବିତ କରିଛି। ଇରାନୀ ତୈଳ ଉପରେ ଜାରି କଟକଣା ୱାସିଂଟନ ହଟାଇବାର ଉଦ୍ଦେଶ୍ୟ ଅନ୍ତର୍ଜାତୀୟ ବଜାରରେ ଅଧିକରୁ ଅଧିକ ତୈଳ ଯୋଗାଣ ସୁନିଶ୍ଚିତ କରିବା।

କମଡିଟି ମାର୍କେଟ ଆନାଲିଟିକ୍ସ ଫାର୍ମ କେପଲର ସିପ୍ ଟ୍ରାକିଂ ଡାଟା ଅନୁସାରେ ଏସ୍ୱାତିନୀ ପତାକା ଥିବା ଟ୍ୟାଙ୍କର ପିଙ୍ଗ ଶୁନ ଗୁଜରାଟର ବଡିନାର ବନ୍ଦରକୁ ତାର ଗନ୍ତବ୍ୟ ବୋଲି ସୂଚିତ କରିଛି। ତଥ୍ୟ ଅନୁସାରେ ଟ୍ୟାଙ୍କରରେ ପାଖାପାଖି ୬ ଲକ୍ଷ ବ୍ୟାରେଲ ଇରାନ ଅଶୋଧିତ ତୈଳ ଥିବାର ଜଣାପଡିଛି। ଏହି ଟ୍ୟାଙ୍କରକୁ ମାର୍ଚ୍ଚ ୪ ତାରିଖ ଦିନ ଇରାନର ମୁଖ୍ୟ ତୈଳ ପ୍ଲାଣ୍ଟ ଖାର୍ଗ ଦ୍ୱୀପରେ ଲୋଡ କରାଯାଇଥିଲା। ମିଳୁଥିବା ସୂଚନା ଅନୁସାରେ ଏହି କନସାଇନମେଣ୍ଟ ଏପ୍ରିଲ ୪ ତାରିଖରେ ଭାରତ ପହଞ୍ଚିବ। ତେବେ ଏହି ତୈଳକୁ କେଉଁ ଭାରତୀୟ କମ୍ପାନୀ ଉପଯୋଗ କରିବ ତାହା ଜଣାପଡି ନାହିଁ।

ଐତିହାସିକ ରୂପେ ଭାରତ ଇରାନ ତୈଳର ଏକ ମୁଖ୍ୟ ଗ୍ରାହକ। ଏକ ସମୟରେ ଭାରତର ମୋଟ ତୈଳ ଆମଦାନୀର ଇରାନୀ ତୈଳର ଅଂଶ ୧୧.୫% ରହୁଥିଲା। ୨୦୧୮ ମସିହାରେ ଭାରତ ଦୈନିକ ଇରାନରୁ ୫,୧୮,୦୦୦ ବ୍ୟାରଲ ତୈଳ ଆମଦାନୀ କରୁଥିଲା। ଏହା ମେ ୨୦୧୯ ବେଳକୁ ହ୍ରାସ ହୋଇ ଦୈନିକ ୨,୬୮,୦୦୦ ବ୍ୟାରଲକୁ ଚାଲି ଆସିଥିଲା। ପରେ ଇରାନ ଉପରେ ଆମେରିକୀୟ କଟକଣା କାରଣରୁ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ତେବେ ନିକଟରେ ଆମେରିକା ସମୁଦ୍ରରେ ଇରାନୀ ତୈଳର ସିପମେଣ୍ଟ କ୍ରୟ ଉପରେ କଟକଣାକୁ ୩୦ ଦିନ ପର୍ଯ୍ୟନ୍ତ ନିଲମ୍ବନ କରିଛି। ଏହି ସମୟ ଅବଧି ଏପ୍ରିଲ ୧୯ ତାରିଖରେ ଶେଷ ହେବ।

ଇତି ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ ରହିବା କାରଣରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବୟାନରେ ହର୍ମୁଜ ପ୍ରଣାଳୀ ଖୋଲିବା ଦାୟିତ୍ୱ ଆମର ନୁହେଁ ବରଂ ସେହି ଦେଶମାନଙ୍କର ଯେଉଁମାନେ ଇରାନ ଉପରେ ନିର୍ଭରଶୀଳ। କାରଣ ହର୍ମୁଜ ଖୋଲିବା ଆମେରିକା ଲାଗି କୌଣସି କାରଣ ଥିବା ଭଳି ମନେ ହୁଏନି। ଏହା ଛଡା ଟ୍ରମ୍ପ ସେହି ସହଯୋଗୀଙ୍କ ପ୍ରତି ନିରାଶା ବ୍ୟକ୍ତ କରିଛନ୍ତି ଯେଉଁମାନେ ଆମେରିକାର ଯୁଦ୍ଧକୁ ସମର୍ଥନ କରୁ ନାହାନ୍ତି। ଏଣୁ ଟ୍ରମ୍ପ କହିଛନ୍ତି ନିଜ ତେଲ ନିଜେ ଯାଇ ଆଣ।

Leave a comment