ଇରାନ ଯୁଦ୍ଧରେ ବ୍ରିଟେନ ପଡିବନି,ଏହା ଆମର ଯୁଦ୍ଧ ନୁହେଁ ବୋଲି ଆମେରିକାକୁ ସ୍ପଷ୍ଟ ସନ୍ଦେଶ ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି। କହିଛନ୍ତି ଇରାନ ଯୁଦ୍ଧରେ ବ୍ରିଟେନ ପଡିବନି। ସେ କହିଛନ୍ତି ଏହା ଆମର ଯୁଦ୍ଧ ନୁହେଁ। ଏହା ସହିତ ସେ ହୋର୍ମୁଜ ପ୍ରଣାଳୀକୁ ପୁଣି ଖୋଲିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରୟାସ କରିବେ ବୋଲି ଘୋଷଣା କରିଛନ୍ତି। ଇରାନ ସହ ଯୁଦ୍ଧ ପାଇଁ ଟ୍ରମ୍ପ ନିକଟରେ ‘ନାଟୋ’ ସହଯୋଗୀଙ୍କ ଉପରେ ଚାପ ପକାଇଥିଲେ ଓ କହିଥିଲେ ଯଦି ହୋର୍ମୁଜ ଖୋଲିବାରେ ସହାୟତା ନ କରନ୍ତି ତେବେ ନାଟୋର ଭବିଷ୍ୟତ ‘ବହୁତ ଖରାପ’ ହୋଇପାରେ।

ଟ୍ରମ୍ପଙ୍କ ଏହି ଧମକର ଷ୍ଟାର୍ମର ସାମ୍ବାଦିକ ସମ୍ମିଳନୀରେ ଜବାବ ରଖିଛନ୍ତି। ଷ୍ଟାର୍ମର ସ୍ପଷ୍ଟ ରୂପେ କହିଛନ୍ତି ଯେ ସେ କୌଣସି ଚାପରେ ପଡିବେନି ଓ ବ୍ରିଟେନର ଜାତୀୟ ହୀତରେ ନିଷ୍ପତ୍ତି ନେବେ। ଷ୍ଟାର୍ମର ସ୍ପଷ୍ଟ ଭାବେ କହିଛନ୍ତି ଯେ ଇରାନ ସହିତ ଜାରି ବ୍ୟାପକ ଯୁଦ୍ଧରେ ବ୍ରିଟେନ ଫଶିବନି। ହେଲେ କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା ଓ ନିଜର ଜାତୀୟ ସୁରକ୍ଷାକୁ ମଜଭୁତ କରିବା ପାଇଁ କାମ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ବ୍ରିଟେନ ଚଳିତ ସପ୍ତାହରେ ଏକ ଅନ୍ତର୍ଜାତୀୟ ଡିପ୍ଲୋମାଟିକ୍ ସମ୍ମିଳନୀର ଆୟୋଜନ କରିବ ବୋଲି ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ଏହି ସମ୍ମିଳନୀରେ ଇରାନ ଦ୍ୱାରା ବ୍ଲକ୍ କରାଯାଇଥିବା ହୋର୍ମୁଜ ପ୍ରଣାଳୀକୁ ପୁଣି ଖୋଲିବାକୁ ରାସ୍ତା ଖୋଜା ଯିବ। ଏହି ସାମୁଦ୍ରିକ ମାର୍ଗ ବିଶ୍ୱ ତୈଳ ପରିବହନର ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ। ଏହି ମାର୍ଗ ବନ୍ଦ ରହିବା ଯୋଗୁ ବୈଶ୍ୱିକ ତୈଳ ଦର ବଢି ଯାଇଛି ଓ ବାଣିଜ୍ୟ ପ୍ରଭାବିତ ହେଉଛି। ଷ୍ଟାର୍ମର କହିଛନ୍ତି ଯେ ଏଥି ପାଇଁ ୩୫ ଦେଶ ଏକ ମିଳିତ ବୟାନରେ ସ୍ୱାକ୍ଷର କରିଛନ୍ତି। ଏଥିରେ ସମୁଦ୍ର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସଂକଳ୍ପ ନିଆଯାଇଛି। ବ୍ରିଟେ ବିଦେଶ ସଚିବ ୟଭେଟ କୋପର ଏହି ସମ୍ମିଳନୀର ନେତୃତ୍ୱ ନେବେ। ଏହାଛଡା ଯୁଦ୍ଧ ରଣନୀତିକାର ଯୁଦ୍ଧ ପରବର୍ତ୍ତି ସୁରକ୍ଷା ବ୍ୟବସ୍ଥା ଉପରେ କାମ କରୁଛନ୍ତି। ଷ୍ଟାର୍ମର କହିଛନ୍ତି ଯେ ସ୍ଥିରତା ପାଇଁ ସାମରିକ ଶକ୍ତି ଓ କୂଟନୈତିକ ପ୍ରୟାସ ଜରୁରି।

ଷ୍ଟାର୍ମର କହିଛନ୍ତି ଯେ ବ୍ରିଟେନ ନିଜ ନାଗରିକ, ହିତ ଓ କ୍ଷେତ୍ରୀୟ ସହଯୋଗୀଙ୍କୁ ରକ୍ଷା କରିବ। ହେଲେ କୌଣସି ବଡ଼ ଯୁଦ୍ଧରେ ସାମିଲ ହେବ ନାହିଁ। ସେ ଏହାକୁ ନାଟୋ ମିସନ ରୂପେ ମଧ୍ୟ ସେ ଦେଖୁ ନଥିବା କହିଛନ୍ତି। ଏହାଛଡା ସେ ଉପସାଗରୀୟ ଦେଶ ଓ ୟୁରୋପୀୟ ଭାଗିଦାରଙ୍କ ସହ ବ୍ୟାପକ ମେଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ମଧ୍ୟରେ ଆସିଛି। ଏଥିରେ ହୋର୍ମୁଜ ପ୍ରସଙ୍ଗ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଲାଗି ଚିନ୍ତାର ବିଷୟ ପାଲଟିଛି। ଏଥିରୁ ବ୍ରିଟେନ କୂଟନୀତି ଓ ସହଯୋଗ ଉପରେ ଅଧିକ ନିର୍ଭର କରୁଥିବା ସ୍ପଷ୍ଟ ହୋଇଯାଇଛି।

Leave a comment