ଆର୍ଥିକବର୍ଷ ୨୦୨୫-୨୬ ଶେଷ କାରବାର ଦିବସ: ଉଭୟ ମୁଦ୍ରା  ଓ ଷ୍ଟକ୍‌ ବଜା‌ର ପାଇଁ ଖରାପ

ଆର୍ଥିକବର୍ଷ ୨୦୨୫-୨୬ ଶେଷ କାରବାର ଦିବସ ଉଭୟ ମୁଦ୍ରା  ଓ ଷ୍ଟକ୍‌ ବଜା‌ର ପାଇଁ ଖରାପ ରହିଛି।  ବୈ‌ଦେଶିକ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ପ୍ରଥମ ଥର ପାଇଁ ୯୫ ଅତିକ୍ରମ କରିଛି। ଅର୍ଥାତ୍‌ ଗୋଟିଏ ଡଲାର କିଣିବା ପାଇଁ ଆଜି ୯୫ ଟଙ୍କାରୁ ଅଧିକ ଦେବାକୁ ପଡ଼ିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଆଜି ପଞ୍ଚମ ସପ୍ତାହରେ ପହଞ୍ଚିଛି। ଏଥିପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇବା ସହିତ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପୁଞ୍ଜି ଉଠାଇ ନେଉଛନ୍ତି। ଏହାର ପ୍ରଭାବ ଦେଶରେ ମୁଦ୍ରାସ୍ଫୀତିକୁ ବଢ଼ାଇବା ସହ ବିତ୍ତୀୟ ସ୍ଥିତିକୁ ଦୁର୍ବଳ କରିବା ଆଶଙ୍କା ଉପୁଜିଛି। ସେଥିପାଇଁ ଭାରତୀୟ ଟଙ୍କା ମୂଲ୍ୟ ଦୁର୍ବଳ ହେବା ସହ ସେୟାର ବଜାର ନିମ୍ନମୁଖୀ ହୋଇଛି। ଗତ ଶୁକ୍ରବାର ଡଲାର ତୁଳନାରେ ଟଙ୍କା ୯୪ ଟଙ୍କା ୮୧ ପଇସାରେ ପ୍ରଥମ ଥର ପାଇଁ ବନ୍ଦ ହୋଇଥିଲା। ଆଜି ଟଙ୍କା ସେହି ଅଲୋଡ଼ା ରେକର୍ଡକୁ ଅତିକ୍ରମ କରିଯାଇଛି। ଟଙ୍କା ମୂଲ୍ୟରେ ଅସ୍ଥିରତାକୁ ରୋକିବା ପାଇଁ ଗତ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ବୈଦେଶିକ ମୁଦ୍ରା କାରବାର କରୁଥିବା ଡିଲର ବ୍ୟାଙ୍କଗୁଡ଼ିକ ପାଇଁ ନିୟମକୁ କଠୋର କରିଥିଲା।

ବିଦେଶୀ ମୁଦ୍ରା କାରବାର କରୁଥିବା ଡିଲର ବ୍ୟାଙ୍କଗୁଡ଼ିକର ଦୈନିକ ନିଟ୍‌ ବିଦେଶୀ ମୁଦ୍ରା ରଖିବା କ୍ଷମତାକୁ ୧୦୦ ନିୟୁତ ଡଲାରରେ ଧାର୍ଯ୍ୟ କରିଥିଲା। ଆସନ୍ତା ଏପ୍ରିଲ ୧୦ ତାରିଖ ସୁଦ୍ଧା ଉକ୍ତ ନିୟମକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଆଜି ମୁଦ୍ରା ବିନିମୟ ବଜାରରେ ପ୍ରଥମେ ଏହାର ଭଲ ପ୍ରଭାବ ପଡ଼ିଥିଲା। କିଛି ସମୟ ପାଇଁ ଟଙ୍କା ସଶକ୍ତ ହୋଇଥିଲା। କାରବାର ୯୩ ଟଙ୍କା ୫୯ ପଇସାରେ ଆରମ୍ଭ ହୋଇଥିଲେ ମଧ୍ୟ ପରେ ଏହା ୯୫ ଟଙ୍କା ୨୦ ପଇସାକୁ ଖସି ଯାଇଥିଲା। ସମ୍ଭବତଃ ରିଜର୍ଭ ବ୍ୟାଙ୍କର ତୁରନ୍ତ ହସ୍ତକ୍ଷେପ ଫଳରେ ଟଙ୍କା ମୂଲ୍ୟରେ କିଛିଟା ସୁଧାର ଆସି ୯୪ ଟଙ୍କା ୮୩ ପଇସାରେ ବନ୍ଦ ହୋଇଛି। ଚଳିତ ଆର୍ଥିକବର୍ଷରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧୧.୪ ପ୍ରତିଶତ ହ୍ରାସ ପାଇଛି, ଏହା ଗତ ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ମୁଦ୍ରାର ସବୁଠୁ ଖରାପ ପ୍ରଦର୍ଶନ।

ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ପରଠାରୁ ଟଙ୍କା ମୂଲ୍ୟ ଡଲାର ତୁଳନାରେ ୪ ପ୍ରତିଶତରୁ ଅଧିକ ହ୍ରାସ ଘଟିଲାଣି। ଗତ ୭ ବର୍ଷ ମଧ୍ୟରେ କୌଣସି ମାସରେ ଟଙ୍କା ମୂଲ୍ୟରେ ଏଭଳି ହ୍ରାସ ଦେଖିବାକୁ ମିଳି ନଥିଲା। ଟଙ୍କା ମୂଲ୍ୟ ହ୍ରାସ ଧାରା ଏହି ହାରରେ ଜାରି ରହିଲେ ଶୀଘ୍ର ଏହା ୧୦୦ ତଳକୁ ଖସିଯିବାକୁ ଏଡ଼ାଇ ଦେଇହେବ ନାହିଁ। ଡଲାର ତୁଳନାରେ ଟଙ୍କା ମୂଲ୍ୟ ଲଗାତାର ହ୍ରାସ ପାଉଥିଲେ ମଧ୍ୟ ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଭାରତୀୟ ଅର୍ଥନୀତିର ମୂଳଦୁଆ ମଝବୁତ୍‌ ରହିଛି। ବିତ୍ତୀୟ ସ୍ଥିତି ସୁଦୃଢ଼ ରହିଛି। ଭାରତର ବିତ୍ତୀୟ ପରିଚାଳନାକୁ ସାରା ବିଶ୍ବ ପ୍ରଶଂସା କରୁଛି। ଆମର ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ମଜଭୁତ ରହିଛି। ଅନ୍ୟ ପ୍ରମୁଖ ଅର୍ଥନୀତି ତୁଳନାରେ ଟଙ୍କାର ପ୍ରଦର୍ଶନ ଭଲ ରହିଛି। ମୁଦ୍ରା ମୂଲ୍ୟରେ ଯେଉଁ ହ୍ରାସ ଘଟୁଛି ତାହା କେବଳ ଭାରତୀୟ ମୁଦ୍ରାରେ ସୀମିତ ନାହିଁ। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଏସିଆ ଦେଶର ପ୍ରମୁଖ ଅର୍ଥନୀତିର ମୁଦ୍ରା ମୂଲ୍ୟ କମୁଛି। ଦକ୍ଷିଣ କୋରିଆର ଓନ୍‌, ଥାଇଲାଣ୍ଡର ବାହତ୍‌, ଫିଲିପାଇନ୍ସର ପେସୋ ମୂଲ୍ୟ ଏହି ସମୟ ମଧ୍ୟରେ ଯଥାକ୍ରମେ ୪.୬ ପ୍ରତିଶତ, ୫.୫ ପ୍ରତିଶତ ଏବଂ ୪.୮ ପ୍ରତିଶତ ହ୍ରାସ ପାଇଛି ବୋଲି  ଅର୍ଥମନ୍ତ୍ରୀ  କହିଛନ୍ତି। ସେନସେକ୍ସ  ଆଜି ୧୬୩୫ ପଏଣ୍ଟ ବା ୨.୨୨ ପ୍ରତିଶତ କମି ୭୧,୯୪୭.୫୫ ପଏଣ୍ଟରେ ଏବଂ ନିଫ୍‌ଟି ୪୮୮ ପଏଣ୍ଟ ତଳକୁ ଖସି ୨୨୩୩୧.୪୦ ପଏଣ୍ଟରେ ବନ୍ଦ ହୋଇଛି। ପୁଞ୍ଜି ବଜାର ସୂଚକାଙ୍କ ତଳକୁ ଖସିବା ଫଳରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ୯ ଲକ୍ଷ କୋଟି ଟଙ୍କା କମିଯାଇଛି। ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି କାରବାର ଶେଷବେଳକୁ ୪୧୨.୪ ଲକ୍ଷ କୋଟି ଟଙ୍କାରେ ରହିଛି।

Leave a comment