ଦିଲ୍ଲୀରେ ବିଜେପି ସାଂସଦ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଦିଲ୍ଲୀରେ ବିଜେପି ସାଂସଦ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ସେହିଭଳି ସାଂସଦ ମାନେ ମଧ୍ୟ ନିଜ ନିଜ ନିର୍ବାଚନ ମଣ୍ଡଳୀ ବିଷୟରେ ଚର୍ଚ୍ଚା ଆଲୋଚନା କରିଛନ୍ତି ।
ଗତ ଶନିବାର ଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଗସ୍ତ ସମୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ମଧ୍ୟ ଚର୍ଚ୍ଚା ଚାଲିଥିବା ସୂଚନା ମିଳିଥିଲା । ରାଜ୍ୟରେ ବିଧାନସଭା ପରେ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ବଢ଼ିଲା ଚର୍ଚ୍ଚା । ଦୁଇ ମାସ ପରେ ଦୁଇ ବର୍ଷ ପୂର୍ତ୍ତି କରିବାକୁ ଯାଉଥିବା ମୋହନ ସରକାର ନେଇପାରନ୍ତି ବଡ଼ ପଦକ୍ଷେପ । ମନ୍ତ୍ରୀ ମଣ୍ଡଳରେ ୬ ମନ୍ତ୍ରୀପଦ ଖାଲି ପଡିଛି । ମନ୍ତ୍ରୀପଦ ପୂରଣ ପାଇଁ ଦିଲ୍ଲୀରେ ମାନସ ମନ୍ଥନ ଚାଲିଥିବା ଚର୍ଚା ଜୋର ଧରିଛି । ଏହାସହ ନିଗମ ପଦ ପୂରଣ ନେଇ ବି ବଡ଼ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ।
ଦୁଇ ମାସ ପରେ ଦୁଇ ବର୍ଷ ପୂରଣ କରିବେ ମୋହନ ମାଝୀ ସରକାର । ହେଲେ ଏହି ଦୁଇ ମାସ ମଧ୍ୟରେ ସରକାରର ବଡ଼ ନିଷ୍ପତ୍ତି ନେବାକୁ ଅଣ୍ଟା ଭିଡ଼ିଛନ୍ତି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ ବୋର୍ଡ ନିଗମ ପଦବୀ ପୂରଣ ନେଇ ଦିନପରେ ଦିନ ଗଡୁଥିବାରୁ ଏହି ପ୍ରକ୍ରିୟାକୁ ଦୁଇ ମାସ ମଧ୍ୟରେ ଶେଷ କରିବା ପାଇଁ କେନ୍ଦ୍ରରୁ ନିର୍ଦ୍ଦେଶ ଆସିଛି । କୁହାଯାଉଛି ଦିଲ୍ଲୀ ନେତୃତ୍ୱଙ୍କ ପାଖରେ ଏବେ ରାଜ୍ୟ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ । ଏହି ରିପୋର୍ଟ କାର୍ଡ ଅନୁଯାଇ ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ ।
ଚର୍ଚ୍ଚା ଅନୁଯାଇ ଏକାଧିକ ବିଭାଗ ଥିବା ମନ୍ତ୍ରୀ ମାନଙ୍କ ଠାରୁ କିଛି ବିଭାଗ କାଢ଼ି ନୂଆ ମନ୍ତ୍ରୀମାନଙ୍କୁ ହସ୍ତାନ୍ତର କରାଯିବ । ଅତି ଆବଶ୍ୟକ ପଡ଼ିଲେ ମନ୍ତ୍ରୀମଣ୍ଡଳରେ କିଛି ଅଦଳ ବଦଳ ମଧ୍ୟ କରାଯାଇପାରେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଥିବାରୁ ଏଭଳି ଆଲୋଚନା ଜୋର ଧରିଛି । ତେବେ ସୂଚନା ଅନୁଯାଇ, ବିଧାନସଭା ଅଧିବେଶନ ଶେଷ ହେବା ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ଦିଲ୍ଲୀରେ ପ୍ରସ୍ତୁତ ହେଉଛି ଯୋଜନା ।