ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ୨୯୪ଟି ଆସନରୁ କଂଗ୍ରେସ ୨୮୪ଟି ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ରବିବାର ପ୍ରାର୍ଥୀତାଲିକା ଜାରି କରିଛି। ୨୯୪ଟି ଆସନରୁ କଂଗ୍ରେସ ୨୮୪ଟି ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଅଧିର ରଞ୍ଜନ ଚୌଧୁରୀଙ୍କୁ ତାଙ୍କ ପାରମ୍ପରିକ ବହରାମପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ କରାଯାଇଛି। ସେହିପରି ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ପାର୍ଟି ପ୍ରଦୀପ ପ୍ରସାଦଙ୍କୁ ପ୍ରାର୍ଥୀ କରିଛି। ଏଠାରେ ବିଜେପି ମମତାଙ୍କ ବିପକ୍ଷରେ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି। ଏଣୁ ଭାବନୀପୁରରେ ଏଥର ତ୍ରିମୁଖି ଲଢେଇ ହେବା ନିଶ୍ଚିତ ହୋଇଯାଇଛି।
କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପଶ୍ଚିମବଙ୍ଗର ସମସ୍ତ ୨୯୪ଟି ଆସନରେ ପାର୍ଟି ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ରବିବାର ଜାରି ତାଲିକାରେ ୨୮୪ ଜଣଙ୍କ ନାମ ରହିଛି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗ ବିଧାନସଭାରେ ଏବେ ଜଣେ ବି କଂଗ୍ରେସ ବିଧାୟକ ନାହାନ୍ତି। ଗତ ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ ସହ ଶେଷ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ହୋଇ ପାରିନଥିଲା। ଏଣୁ ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢିଥିଲେ। ହେଲେ କଂଗ୍ରେସ ନିର୍ବାଚନରେ ଖାତା ଖୋଲି ପାରିନଥିଲା ଓ ବିଜେପି ରାଜ୍ୟରେ ବିରୋଧୀ ଦଳ ଭାବେ ଉଭା ହୋଇଥିଲା।
ସଦ୍ୟ ଜାରି ପ୍ରାର୍ଥୀ ତାଲିକାରେ କଂଗ୍ରେସ ପୂର୍ବତନ ବିଧାୟକଙ୍କ ଉପରେ ଆସ୍ଥା ସ୍ଥାପନ କରିଛି। ସେହି ଅନୁସାରେ ପୂର୍ବତନ ବିଧାୟକ ଅଲି ଇମ୍ରାନ ରମଜ୍ ଙ୍କୁ ଉତ୍ତର ଦିନାଜ ପୁରର ଚକୁଳିଆ ଆସନରୁ ପ୍ରାର୍ଥୀ କରାଯାଇଛି। ପ୍ରଦେଶ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଦିବଙ୍ଗତ ସୋମେନ ମିତ୍ରଙ୍କ ପୁଅ ରୋହନ ମିତ୍ର ବାଲିଗଞ୍ଜ ସିଟ୍ ରୁ ନିର୍ବାଚନ ଲଢିବେ। ନନ୍ଦିଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳିରେ ପାର୍ଟି ଯୁବ ନେତା ଶେଖ ଜରିୟାତୁଲ ହୁସେନଙ୍କ ଉପରେ ଭରସା କରିଛି। ମୋହିତ ସେନଗୁପ୍ତାଙ୍କୁ ରାୟଗଞ୍ଜ ସିଟ୍ ରୁ ପ୍ରାର୍ଥୀ କରାଯାଇଥିବା ବେଳେ ପୂର୍ବତନ ଏମଏଲଏ ଅମଲ ଆଚାର୍ଯ୍ୟଙ୍କୁ ଇଟାହାରରେ, ପୂର୍ବତନ ଏମଏଲଏ ନେପାଲ ମାହତୋଙ୍କୁ ବାଘମୁଣ୍ଡିରୁ ପ୍ରାର୍ଥୀ କରାଯାଇଛି।
କଂଗ୍ରେସ ସେବାଦଳ ମୁଖ୍ୟ ପୂର୍ଣ୍ଣ ଘୋଷଙ୍କୁ ଶ୍ୟାମ ପୁକୁର, ଛାତ୍ର ପରିଷଦ ଅଧ୍ୟକ୍ଷ ପ୍ରିୟଙ୍କା ଚୌଧୁରୀଙ୍କୁ ବାଲିରୁ, ସୁମନ ରାୟ ଚୌଧୁରୀଙ୍କୁ ମାନିକତଲାରୁ ଓ ରଞ୍ଜିତ ମୁଖାର୍ଜୀଙ୍କୁ ବିଧାନନଗରରୁ ପ୍ରାର୍ଥୀ କରାଯାଇଛି। ସେହିପରି ଯୁବ ନେତା ଶାହିନା ଜାଭେଦ ବେଲେଘାଟାରୁ ନିର୍ବାଚନ ଲଢିବେ। ଆଶୁତୋଷ ଚାଟାର୍ଜୀଙ୍କୁ କଂଗ୍ରେସ ପୁଣି ଥରେ ରାସବିହାରୀ ସିଟରେ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ ତାଲିକାର ଖାସକଥା ଯାହା ତାହା ହେଉଛି ଯେଉଁ ନେତାମାନେ ୨୦୧୬-୨୧ ବିଧାନସଭାରେ ବିଧାୟକ ଥିଲେ ସେମାନଙ୍କ ଉପରେ ଦଳ ଆସ୍ଥା ସ୍ଥାପନ କରିଛି।